Unknown

 

 

 

 

 

 

 

 

 

 

ଶିଳ୍ପ-କାହାଣୀ

(ପ୍ରଥମ ଭାଗ)

ଶ୍ରୀ ବାସୁଦେବ ତ୍ରିପାଠୀ

 

କାଗଜ

 

ବର୍ତ୍ତମାନ ତୁମେ ଯେଉଁ ବହି ଖଣ୍ଡିକ ଧରି ପଢ଼ୁଛ, ତାହା କାଗଜରେ ତିଆରି ହୋଇଛି । ସମ୍ବାଦପତ୍ର, ପ୍ରଚାର ପତ୍ର, ବହି, ଲଫାପା, ପୋଷ୍ଟକାର୍ଡ, ଡାକଟିକଟ, ମନିଅର୍ଡର ଫର୍ମ, ପିଲାଙ୍କ ଖେଳନା, ନୋଟ୍‍, ଏପରି କି ଘରର କାନ୍ଥ ମଧ୍ୟ କାଗଜରେ ତିଆରି ହେଉଛି । ଏ ଯୁଗରେ କାଗଜ ବିଶେଷ ଦରକାର–ଏହା କଦାପି ମିଛ ନୁହେଁ ।

 

କିନ୍ତୁ ହଜାର ହଜାର ବର୍ଷ ଆଗେ ଏଇ କାଗଜ କ’ଣ ତାହା କେହି ଲୋକ ଜାଣି ନ ଥିଲେ । ସେ କାଳର ଲୋକେ ମନର କଥା ଲେଖି ରଖିବାକୁ ଇଚ୍ଛା କରୁଥିଲେ, ମାତ୍ର କି ଉପାୟରେ ତାହା କରିବେ, ତହିଁର ବାଟ ପାଉ ନ ଥିଲେ । ସେମାନେ ଯେଉଁ ଗୁମ୍ଫାଗୁଡ଼ିକରେ ବାସ କରୁଥିଲେ, ତାହାର ଭିତର ଓ ବାହାର ପଥର କାନ୍ଥରେ ଦୁଇ ଚାରି ଧାଡ଼ି ଖୋଳି ଦେଉଥିଲେ । ସେହି ଲେଖା ହିଁ ସେମାନଙ୍କୁ ଦରକାର ବେଳେ ସାହାଯ୍ୟ ଦେଉଥିଲା ।

 

କ୍ରମେ ଲୋକେ କାନ୍ଥ ଲେଖାକୁ ଆଦୌ ପସନ୍ଦ କଲେ ନାହିଁ । କାରଣ ଦରକାର ସମୟରେ ପଥର କାନ୍ଥକୁ ତ କେହି ବୋହି ନେଇ ପାରିବ ନାହିଁ, ତେଣୁ ଖଣ୍ଡେ ଖଣ୍ଡେ କଞ୍ଚା ଇଟାରେ ଅକ୍ଷର ଲେଖି ତାହାକୁ ନିଆଁରେ ପୋଡ଼ି ରଖୁଥିଲେ । ସେହି ଇଟାକୁ ସାଥିରେ ନେବା ପାଇଁ ଆଉ କୌଣସି ଅସୁବିଧା ଜଣାପଡ଼ୁ ନ ଥିଲା ।

 

ଗଧ ପିଠିରେ ଇଟା-ରସିଦ୍‍

 

ଖ୍ରୀଷ୍ଟଙ୍କ ଜନ୍ମର ପ୍ରାୟ ଚବିଶ ଶହ ବର୍ଷ ଆଗେ ଲୋକେ ଇଟାରେ ଲେଖା ପଢ଼ା କରୁଥିଲେ । ସେ କାଳରେ ଖଜଣା ଦେଉଥିବା ଲୋକଙ୍କୁ ରସିଦ ଦିଆ ଯାଉଥିଲା । ତୁମେ ସ୍କୁଲରେ ଦରମା ଦେଇ ଖଣ୍ଡିଏ ରସିଦ୍‍ ନେଉଛ । ତୁମ ରସିଦ୍‍ଟି କାଗଜରେ ତିଆରି ହୋଇଛି; କିନ୍ତୁ ସେ କାଳରେ କାଗଜ ତ ନ ଥିଲା । ତେଣୁ ଇଟା ହିଁ ସେମାନଙ୍କର ରସିଦ୍‍ ଥିଲା । ତୁମକୁ ଖଣ୍ଡିଏ ରସିଦ୍‍ ଦିଆଯାଇ ବାକି ଖଣ୍ଡିଏ ମୁଣ୍ଡା ରସିଦ୍‍ ହୋଇ ରହେ । ସେହିପରି ଇଟାରୁ ଅଧେ ରସିଦ୍‍ ରୂପେ ଦିଆ ଯାଉଥିଲା । ଖଜଣା ଅସୁଲକାରୀମାନେ ଗଧ ପିଠିରେ ଅନେକଗୁଡ଼ିଏ ଇଟା ବୋଝାଇ କରି ନେଉଥିଲେ ଏବଂ ଗାଁକୁ ଗାଁ ବୁଲି ଅଧା ଇଟା-ରସିଦ୍‍ ଦେଉଥିଲେ । ସେହି ଇଟା-ରସିଦ୍‍ରୁ ହିଁ ଖଜଣା ଦେଇଥିବାର ପ୍ରମାଣ ମିଳୁଥିଲା ।

 

ପତ୍ରରେ ଲେଖାପଢ଼ା

 

ପ୍ରାୟ ତିନି ହଜାର ବର୍ଷ ପୂର୍ବେ ମିଶର ଦେଶର ଲୋକେ ଏକପ୍ରକାର ଗଛକୁ ଲେଖାଲେଖି କାର୍ଯ୍ୟରେ ବ୍ୟବହାର କରୁଥିଲେ । ସେହି ଗଛର ନାମ ପାପିରସ୍‍ । ତାହା ତିନି ଫୁଟରୁ ଦଶ ଫୁଟ ପର୍ଯ୍ୟନ୍ତ ଉଚ୍ଚ । ମିଶର ଦେଶରେ ଯେଉଁ ନୀଳ ନଦୀ ବୋହି ଯାଉଅଛି, ସେହି ନଦୀରେ ଏହି ଗଛଗୁଡ଼ିକ ଜନ୍ମେ । ଲୋକେ ପାପିରସ୍‍ ଗଛକୁ ଏକାଠି କରିଦିଅନ୍ତି ଏବଂ ଏକପ୍ରକାର ଅଠା ଦ୍ୱାରା ତାହା ଯୋଡ଼ି ତହିଁରେ ଲେଖାଲେଖି କରନ୍ତି ।

 

ସେ କାଳରେ ପାପିରସ୍‍ ଗଛ କାଗଜ ପରି କାମ ତୁଲାଉଥିଲା । ତେଣୁ ଆଜିକାଲି ଲୋକେ କାଗଜକୁ ଇଂରେଜୀରେ ‘ପେପର୍‍’ କହୁଛନ୍ତି । ଏବେ ପଣ୍ଡିତମାନେ ମିଶର ଦେଶର ପିରାମିଡ୍‍ ତଳୁ କେତେକ ପାପିରସ୍‍ର ନମୁନା ପାଇଛନ୍ତି । ତହିଁରୁ ସାଢ଼େ ଚାରି ହଜାର ବର୍ଷ ତଳର କେତେକ କଥା ଜଣାଯାଏ ।

 

ଆଗେ ଭାରତୀୟମାନେ ଏକପ୍ରକାର ଗଛର ପତ୍ରକୁ ସେହିଭଳି ବ୍ୟବହାର କରୁଥିଲେ । ତାହାର ନାମ ଭୂର୍ଜପତ୍ର । କାଗଜ କଥା ଶୁଣା ନ ଥିବା ପୂର୍ବରୁ ଭୂର୍ଜପତ୍ର ଚଳୁଥିଲା । ଓଡ଼ିଶାରେ ଭୂର୍ଜପତ୍ର ପ୍ରାୟ ମିଳେ ନାହିଁ । ତାଳଗଛ ଖୁବ୍‍ ବେଶୀ ଥିବା ହେତୁ ଲୋକେ ସେହି ଗଛର ପତ୍ରରେ ଲେଖୁଥିଲେ । ତାଳପତ୍ରରେ ଲେଖା ଯାଇଥିବା ଅନେକ ସୁନ୍ଦର ସୁନ୍ଦର ପୋଥି ଏବେ ସୁଦ୍ଧା ଆମ ଦେଶରେ ରହିଛି । ତାଳପତ୍ରର ସ୍ଥାନ କାଗଜ ଅଧିକାର କଲାଣି । ତେଣୁ ପୋଥି ଲେଖିବା ଆଉ ଦରକାର ପଡ଼ୁନାହିଁ ।

 

ଚୀନ୍‍ ଲୋକେ ନୂଆ କଥା ଶିଖାଇଲେ କିପରି ?

 

ଚୀନ୍‍ ଲୋକେ ପୃଥିବୀବାସୀଙ୍କୁ ଯେଉଁ ନୂଆ କଥାଟି ଶିଖାଇଲେ ତାହା ହେଉଛି–କାଗଜ । ପ୍ରାୟ ଦୁଇ ହଜାର ବର୍ଷ ଆଗେ ଚୀନ୍‍ ଦେଶରେ ପ୍ରଥମେ କାଗଜ ତିଆରି ହୋଇଥିଲା । ଗୁଡ଼ିଏ ପୋକଙ୍କୁ ଦେଖି ଜଣେ ଚୀନ୍‍ବାସୀ କିପରି କାଗଜ ତିଆରି କରିବାକୁ କଳ୍ପନା କରିଥିଲେ, ତାହା ଶୁଣିଲେ ତୁମକୁ ବଡ଼ ଖୁସି ଲାଗିବ ।

 

ଥରେ ଜଣେ ଚୀନ୍‍ ଲୋକ ଗୋଟିଏ ଗଛ ମୂଳରେ ବସିଥିବା ବେଳେ ଦେଖିଲେ ଯେ, ଗୁଡ଼ିଏ ପୋକ ଭଁ ଭଁ ଶବ୍ଦ କରି ବହୁ ଦୂରରୁ ଉଡ଼ି ଆସିଲେ ଏବଂ ସେ ଯେଉଁ ଗଛ ମୂଳରେ ବସିଥିଲେ, ସେହି ଗଛର ଗଣ୍ଡିକୁ ଧୀରେ ଧୀରେ ଖୋଳିବାକୁ ଲାଗିଲେ । ତାହା ପରେ ସେମାନେ ଗାତ ଭିତରେ ପଶିଲେ । ଫେରିବା ବେଳେ ପାଟିରେ କିଛି ଜିନିଷ ଧରିଥାଆନ୍ତି । ସେହି ଜିନିଷକୁ ନେଇ ସେମାନେ ବସାର କାନ୍ଥ ଗଢ଼ିଲେ ।

 

ପୋକଗୁଡ଼ିକ ଏତେ ଚଞ୍ଚଳ ସେମାନଙ୍କର ଛୋଟ ବସାଟି ତିଆରି କରିଦେବେ ବୋଲି ଯୁବକଟି ଆଦୌ ବିଶ୍ୱାସ କରି ନ ଥିଲେ । ତେଣୁ ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ବାଃ ! ଛୋଟ ପୋକଗୁଡ଼ିକର କି ଚମତ୍କାର ବୁଦ୍ଧି !’’ ସେ ପୋକମାନଙ୍କର ବସାକୁ ପରୀକ୍ଷା କରିବା ଲାଗି ହାତରେ ଧରିଲେ ଏବଂ ଦେଖିଲେ ସେମାନେ ଗଛ ଭିତରୁ ଯେଉଁ ରସ କାଢ଼ି ଆଣୁଛନ୍ତି, ତାହା ଅତି କୋମଳ ଓ ଚିକ୍‍କଣ । ସେହି ଚିକ୍‍କଣିଆ ଅଠା ରସକୁ ସେ ଥରକୁ ଥର ଆଙ୍ଗୁଠିରେ ମକଚିଲେ । ତାହା ମଇଦା ପରି ଖୁବ୍‍ ଚଞ୍ଚଳ ଦଳି ହୋଇଗଲା । ଏଥର ସେ ନିଜେ କିପରି କାଠରୁ ଅଠା ବାହାର କରିବେ, ତାହାର ଉପାୟ ମନେମନେ ଚିନ୍ତା କଲେ ।

 

କଥାରେ ଅଛି–‘ମନ ଥିଲେ ଉପାୟ ଆପେ ଆପେ ଆସେ ।’ ସେହି ଯୁବକ ବୁଦ୍ଧି ଖଟାଇ ଗଛର କାଠକୁ ଟିକି ଟିକି କାଟି ଗୁଣ୍ଡ କଲେ । ସେହି ଗୁଣ୍ଡକୁ କିଛି ଦିନ ପାଣିରେ ବତୁରାଇ ରଖିଲେ । ଇସ୍‍ ! କି ଗନ୍ଧ ! ସେହି କାଠଗୁଣ୍ଡ ପାଣିରେ ସଢ଼ି ଯିବାରୁ ତହିଁରୁ ଗନ୍ଧ ବାହାରିଲା । ତାହାକୁ ସେ ବାଟି ମଣ୍ଡ କଲେ । ପରେ ସେହି ମଣ୍ଡକୁ ତଳେ ଖେଳାଇ ଦେଇ ତାହା ଉପରେ ଗୋଟାଳିଆ ଭାରି ଜିନିଷଟାଏ ଚଲାଇ ଦେଲେ । ଏଥର ଲମ୍ୱ ଲମ୍ୱ ଫର୍ଦ୍ଦର ଜିନିଷ ବାହାରି ଆସିଲା । ତାହାହିଁ ହେଲା କାଗଜର ପ୍ରଥମ ରୂପ ।

 

ପ୍ରଥମେ ପ୍ରଥମେ ଯେଉଁ କାଗଜ ତିଆରି ହେଉଥିଲା, ତାହା ଆଦୌ ସୁନ୍ଦର ହେଉ ନ ଥିଲା । ତେଣୁ ସେ ଦେଶର ଆହୁରି କେତେକ ଲୋକ ଭଲ କାଗଜ ତିଆରି କରିବା ଲାଗି ଧ୍ୟାନ ଦେଲେ । ସେ କାଳରେ ଚୀନାମାନେ ଖୁବ୍‍ ସଭ୍ୟ ଥିଲେ । ସେମାନେ ଲେଖା ପଢ଼ା ଇତ୍ୟାଦିରେ ବଡ଼ ଧୁରନ୍ଧର ଥିଲେ । ପାଠକୁ ସାଇତି ରଖିବା ଲାଗି ସେମାନେ ସବୁବେଳେ ଚିନ୍ତା କରୁଥିଲେ । କାଗଜ କାଠଗୁଣ୍ଡରୁ ତିଆରି ହେଉଥିବାରୁ ସେମାନେ ଏଣିକି ଅଧିକ ଲେଖାଲେଖି କରିବାକୁ ସୁଯୋଗ ପାଇଲେ । କ୍ରମେ କାଗଜର ଆଦର ବଢ଼ୁଥିବାର ଦେଖି କେତେକ ଲୋକ କାଗଜ ତିଆରି କରି ପେଟ ପୋଷିଲେ ଏବଂ କାଗଜ ଶିଳ୍ପକୁ ସାଧାରଣ ଲୋକେ ଖୁବ୍‍ ପସନ୍ଦ କଲେ ।

 

ଅନ୍ୟ ଲୋକେ କାଗଜ କଥା ଜାଣିଲେ କିମିତି ?

 

ଚୀନାମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ କୌଣସି ଜାତି କାଗଜ ତିଆରି ହେଉଥିବା କଥା ଆଦୌ ଜାଣି ନ ଥିଲେ । କାଗଜ ତିଆରି ପ୍ରଣାଳୀ କେବଳ ଚୀନ ଲୋକଙ୍କୁ ଜଣାଥିଲା ।

 

ମାତ୍ର ସବୁ ଦିନ କ’ଣ ସମାନ ଥାଏ ? ଇତି ମଧ୍ୟରେ ଏହି ଦେଶକୁ ଏକ ବିପତ୍ତି ପଡ଼ିଲା-। ଆରବ ଦେଶର ରାଜା ଚୀନ୍‍ ଆକ୍ରମଣ କଲେ । ଦୁଇ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଲା-। ଚୀନାମାନେ ଦେଶର ଟେକ ରଖିବା ଲାଗି ପ୍ରାଣଦେଇ ଲଢ଼ିଲେ; କିନ୍ତୁ ଶତ୍ରୁମାନଙ୍କୁ ରାଜ୍ୟରୁ ହଟାଇ ପାରିଲେ ନାହିଁ । ଶେଷକୁ କେତେକ ଚୀନ୍‍ ସୈନ୍ୟ ଆରବ ରାଜାଙ୍କ ଦ୍ୱାରା ବନ୍ଦୀ ହେଲେ । ଆରବ ରାଜା ବନ୍ଦୀମାନଙ୍କୁ ନିଜ ଦେଶକୁ ଘେନିଗଲେ । ଯେଉଁମାନେ ରାଜାଙ୍କର ଅଧୀନତା ସ୍ୱୀକାର କଲେ ନାହିଁ, ସେମାନେ ନାନା ଦୁଃଖକଷ୍ଟ ପାଇଲେ, ମାତ୍ର ଅନ୍ୟମାନଙ୍କୁ ରାଜା ଅଭୟ ଦେଇ ସେମାନଙ୍କୁ ଭଲ ଭଲ କାର୍ଯ୍ୟ ଯୋଗାଇ ଦେଲେ । କେତେକ ଚୀନ୍‍ ଲୋକ ପ୍ରଥମେ ସେ ଦେଶରେ କାଗଜ ତିଆରି କଲେ । ତେଣୁ ସେମାନଙ୍କ ଦ୍ୱାରା କାଗଜକଳ ବିଦେଶରେ ପରିଚାଳିତ ହେଲା ।

 

କ୍ରମେ ଏହି ଘଟଣାଟି ଅନ୍ୟ ଦେଶକୁ ବ୍ୟାପିଗଲା । ସ୍ପେନ୍‍ ଦେଶର ଲୋକେ ଆରବୀୟମାନଙ୍କଠାରୁ କାଗଜ ତିଆରି କୌଶଳ ଶିଖିଲେ । ଇଟାଲୀର ଗୋଟିଏ ଛୋଟ ସହରରେ ମଧ୍ୟ କାଗଜ କଳ ପ୍ରତିଷ୍ଠିତ ହେଲା । ତାହା ଦେଖି ଇଂଲଣ୍ଡର ଲୋକେ ଆଦୌ ସହି ପାରିଲେ ନାହିଁ-। ସେମାନେ ଅନ୍ୟମାନଙ୍କ ପରି କାଗଜ ବ୍ୟବହାର କରିବାକୁ ଇଚ୍ଛା କଲେ । କେହି କେହି ଇଂରେଜ ଲୋକ କାଗଜ କଳ ବସାଇବା ଲାଗି ନାନା କଳ୍ପନା କଲେ । ମାତ୍ର ଠିକ୍‍ ସେହି ସମୟକୁ ଜର୍ମାନ ଦେଶର ଜଣେ ସାହେବ ଇଂଲଣ୍ଡକୁ ପଳାଇ ଆସିଥାନ୍ତି । ସେ କାଗଜ ବ୍ୟବସାୟକୁ ଢେର ପସନ୍ଦ କଲେ ଏବଂ ବୁଦ୍ଧି ଖଟାଇ କାଗଜ ତିଆରି କରିବାର ପ୍ରଣାଳୀ ଶିଖିଗଲେ ।

 

ସେ ୧୫୬୮ ଖ୍ରୀଷ୍ଟାବ୍ଦରେ ଗୋଟିଏ କାଗଜ କଳ ଇଂଲଣ୍ଡରେ ପ୍ରତିଷ୍ଠା କଲେ । ସିଲେ ନାମକ ଆହୁରି ଜଣେ ଇଂରେଜ ନୂତନ ଧରଣର କାଗଜ କଳ ବସାଇ ତହିଁରେ ବହୁ ମୂଳଧନ ବ୍ୟୟ କଲେ । କିନ୍ତୁ ବଡ଼ ଦୁଃଖର କଥା ଯେ, ସେ ଆଦୌ ଲାଭବାନ ହୋଇ ପାରିଲେ ନାହିଁ ।

 

ସିଲେ ଓ ତାଙ୍କ ପୂର୍ବବର୍ତ୍ତୀ ଲୋକଙ୍କ ଦ୍ୱାରା କାଗଜ କଳର ବହୁ ଉନ୍ନତି ଘଟି ଥିବାରୁ ଇଂରେଜମାନେ ସେମାନଙ୍କୁ କାଗଜ କଳର ଜନ୍ମଦାତା ବୋଲି କହନ୍ତି ।

 

ଏହା ପରେ ଆମେରିକାରେ କାଗଜ କଳ ପ୍ରତିଷ୍ଠିତ ହେଲା । କାଗଜ ତିଆରି କରି ଜାଣିଥିବା କେତେକ ଫରାସୀ ଲୋକ ଆମେରିକା ଯାଇ ସେଠାରେ ଏହି ଶିଳ୍ପକୁ ପ୍ରସାର କଲେ । ଏବେ ଆମେରିକାରେ ଏତେ କାଗଜ ତିଆରି ହେଉଅଛି ଯେ, ତାହା ଦେଖିଲେ ଯେ କେହି ଲୋକ ବିସ୍ମିତ ହେବ ।

 

ଆମ ଦେଶର କାଗଜ କଳ କଥା

 

ଆଗେ ଭାରତୀୟ ଲୋକେ ଭୂର୍ଜପତ୍ର ଓ ତାଳପତ୍ରରେ ଲେଖାଲେଖି କରୁଥିଲେ ବୋଲି ପୂର୍ବରୁ କୁହାଯାଇଅଛି । ଇଂରେଜମାନେ ଏ ଦେଶକୁ ଆସିବା ପରେ ୧୮୬୭ ଖ୍ରୀଷ୍ଟାବ୍ଦରେ ଗୋଟିଏ କାଗଜକଳ ହୁଗୁଳି ନଦୀ କୂଳରେ ପ୍ରଥମେ ପ୍ରତିଷ୍ଠିତ ହେଲା । ତାହା ପରେ ଲକ୍ଷ୍ନୌସହରରେ ଆହୁରି ଏକ କଳ ପ୍ରତିଷ୍ଠିତ ହୋଇ ତହିଁରୁ କାଗଜ ମିଳିଲା । ବଙ୍ଗଳାର ଟିଟାଗଡ଼ଠାରେ ଯେଉଁ କାଗଜ କଳା ରହିଛି ତାହା ପ୍ରକୃତରେ ଖୁବ୍‍ ବଡ଼ । ୧୯୪୦ ଖ୍ରୀଷ୍ଟାବ୍ଦ ବେଳକୁ ଭାରତରେ କେବଳ ଏଗାରଟି କାଗଜ କାରଖାନା ଥିଲା । ଏହା ମଧ୍ୟରେ ସେମାନଙ୍କର ସଂଖ୍ୟା କ୍ରମେ କ୍ରମେ ବୃଦ୍ଧି ପାଉଛି ।

Image

ଓଡ଼ିଶାର ବଜ୍ରରାଜ ନଗରଠାରେ ଓରିଏଣ୍ଟ୍ କାଗଜକଳ ଦେଶର ବହୁ ଅଭାବ ମେଣ୍ଟାଇ ପାରୁଛି । ଏ ଦେଶରେ ଉତ୍କୃଷ୍ଟ ଧରଣର କାଗଜ ତିଆରି ଲାଗି କଳମାଲିକମାନେ ଉଦ୍ୟମ କରିବା ଉଚିତ ।

 

କାଗଜ କିପରି ତିଆରି ହୁଏ

 

କାଗଜ ବଡ଼ ଉପକାରୀ ଜିନିଷ, କିନ୍ତୁ ଏଥିଲାଗି ଅତି ନିକୃଷ୍ଟ ଧରଣର ଉପାଦାନ ପ୍ରୟୋଜନ ପଡ଼େ । କାଠି, କୁଟା, ଅଖା, ଛିଣ୍ଡାକନା, ଘାସ, ଆଖୁଛେଦା ଇତ୍ୟାଦିରୁ କାଗଜ ପ୍ରସ୍ତୁତ ହୁଏ । ବାଉଁଶ ଓ କାଠର ଗୁଣ୍ଡ ମଧ୍ୟ ଦରକାର ହୁଏ ।

 

ଆଲଫା ନାମକ ଏକପ୍ରକାର ଘାସ ଆଫ୍ରିକା ମହାଦେଶରେ ମିଳେ । ତହିଁରୁ କାଗଜ ପ୍ରସ୍ତୁତ ହୁଏ; କିନ୍ତୁ ସେହି କାଗଜ ଲୋକଙ୍କ ଚାହିଦା ଅନୁଯାୟୀ ଯଥେଷ୍ଟ ନୁହେଁ ।

 

ପ୍ରତ୍ୟେକ ଦେଶରେ କାଗଜ ତିଆରି ହେବାପାଇଁ ନାନା ଉପାଦାନ ରହିଛି । ସେଗୁଡ଼ିକ କାର୍ଯ୍ୟରେ ଲଗାଇବା ଲାଗି ବୈଜ୍ଞାନିକ ଉପାୟ ଲୋଡ଼ା । ଆଖୁଛେଦା, ନଡ଼ା, ତୁଳା ମଞ୍ଜି ଇତ୍ୟାଦି ହେୟ ହେଲେ ବି କାଗଜ ତିଆରି ପାଇଁ ଉପଯୁକ୍ତ ।

 

ଆମେରିକାର କାନାଡ଼ା ରାଜ୍ୟରେ ଯେଉଁସବୁ ଜଙ୍ଗଲ ରହିଛି, ସେଥିରୁ ହଜାର ହଜାର ଗଛ ହଣାଯାଇ କାଗଜକଳକୁ ପଠାଯାଉଛି । କାଳେ ଭବିଷ୍ୟତରେ ଜଙ୍ଗଲରୁ କାଠ ଲୋପ ପାଇଯିବ ସେହି ଆଶଙ୍କାରେ କାଠ ବଦଳରେ ନାନାପ୍ରକାର ଦଳ ଓ ବାଉଁଶ ଆଦି ବ୍ୟବହୃତ ହେଉଛି ।

 

କାଗଜକୁ ଚିକ୍‍କଣ ଓ ପରିଷ୍କାର କରିବା ଲାଗି ନାନାପ୍ରକାର ମସଲା ଦରକାର ପଡ଼େ । ମଣ୍ଡରେ ବିଭିନ୍ନ ରଙ୍ଗ ମିଶାଇଲେ କାଗଜ ରଙ୍ଗିନ୍‍ ଦିଶେ ।

 

ଆମ ଦେଶରେ ଚିକ୍‍କଣ ଓ ସୁନ୍ଦର କାଗଜ ଅଧିକ ମିଳୁ ନାହିଁ । ଭାରତ ପାଇଁ ଯେତେ କାଗଜ ପ୍ରୟୋଜନ, ସେ ସବୁ ଏ ଦେଶର କଳକାରଖାନାରୁ ପ୍ରସ୍ତୁତ ନ ହେଲେ ବିଦେଶୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ । ଫଳତଃ ବହୁ ଧନ ବିଦେଶକୁ ଚାଲିଯିବ । ସେଥି ପ୍ରତି ଦେଶର ଲୋକେ ସତର୍କ ହେବା ଉଚିତ ।

Image

 

ରେଶମ

 

ସିଲ୍‍କ ବା ରେଶମ କନାର କାମିଜ ଦେଖିବାକୁ ବଡ଼ ସୁନ୍ଦର । ତାହା ପିନ୍ଧିଲେ ଦେହକୁ ଯେପରି ଆରାମ ଲାଗେ, ସେହିପରି ବି ହାଲୁକା ଜଣାପଡ଼େ । ରେଶମ ଭଳି ଆହୁରି ଅନେକ ପ୍ରକାର ଜିନିଷ ଅଛି, କିନ୍ତୁ ତାହା ରେଶମ ନୁହେଁ । ଆଜିକାଲି ରେଶମ ଜିନିଷକୁ ସାଧାରଣ ଲୋକେ ଅଧିକ ଆଦର କରୁଥିବାରୁ ନକଲି ରେଶମର ଶାଢ଼ି, ବ୍ଲାଉଜ, ଚଦର, କନା ଇତ୍ୟାଦି ପ୍ରସ୍ତୁତ ହେଉଛି । ସେ ସବୁ ଦେଖିଲେ ହଠାତ୍‍ ଭଲ କି ଭେଲ ସହଜରେ ଚିହ୍ନିହେବ ନାହିଁ ।

 

ରେଶମର ଆଦର ଏବେ ଯେ ବଢ଼ିଛି, ତାହା ନୁହେଁ । ବହୁ ଯୁଗ ଆଗେ ମଧ୍ୟ ଲୋକେ ରେଶମ ଜିନିଷକୁ ଶ୍ରଦ୍ଧା କରୁଥିଲେ ।

 

ପୃଥିବୀର ବିଭିନ୍ନ ଦେଶ କିପରି ରେଶମ-ରହସ୍ୟ ଜାଣିଲେ ତାହା ବଡ଼ କୌତୂହଳଜନକ ।

 

ଚାରି ହଜାର ବର୍ଷ ତଳର ଗୋଟିଏ ଅଦ୍ଭୁତ ଘଟଣା

 

ବର୍ଷେ କି ଦୁଇ ବର୍ଷ ନୁହେଁ, ହଜାର ହଜାର ହୋଇ ଚାରି ହଜାର ବର୍ଷ ଆଗେ ଚୀନ୍‍ ଦେଶରେ ଗୋଟିଏ ନୂତନ ଘଟଣା ଘଟିଲା । ସେ କାଳରେ ଚୀନ୍‍ ଦେଶକୁ ରାଜାମାନେ ଶାସନ କରୁଥିଲେ । ରାଜା ହୁଆଙ୍ଗଲିଙ୍କର ଗୋଟିଏ ରାଣୀ ଥିଲେ । ତାଙ୍କ ନାମ ସିଲିଂସା । ଥରେ ରାଣୀ ସିଲିଂସା ତାଙ୍କ ଉଦ୍ୟାନ ମଧ୍ୟରେ ସଖୀମାନଙ୍କ ସହିତ ବୁଲି ନାନା ଗଛପତ୍ର ଦେଖୁଥାନ୍ତି । ଦୈବାତ୍‍ ଗୋଟିଏ ଗଛ ଡାଳକୁ ଧରି ପକାଇ ସେ ଚିତ୍କାର କଲେ । ରାଣୀଙ୍କ ଚିତ୍କାର ଶୁଣି କ’ଣ ହେଲା ବୋଲି ସଖୀମାନେ ଦଉଡ଼ି ଆସିଲେ । କିଏ କେତେ କଅଣ ଭାବିଲା । ଜଣେ ସଖୀ ଧାଇଁ ଆସି ରାଣୀଙ୍କୁ ଧରି ପକାଇଲା । ଆଉ ଜଣେ ଫୁଲ ପେନ୍ଥାରେ ତାଙ୍କୁ ବିଞ୍ଚି ଦେଲା । ଅନ୍ୟ ଜଣକ ପାଣି ମୁନ୍ଦେ ଆଣିବାକୁ ଦଉଡ଼ିଗଲା ।

ରାଣୀ ଟିକିଏ ସମୟ ପରେ ଆଖି ଖୋଲି ପୁଣି ଚିତ୍କାର କଲେ । ସଖୀମାନେ ତାହା ଦେଖି ବଡ଼ ଭାଳେଣିରେ ପଡ଼ିଲେ । ସେମାନେ ରାଣୀଙ୍କୁ ଭୟର କାରଣ ପଚାରିଲେ । ରାଣୀ କିଛି ନ କହି କେବଳ ଗୋଟିଏ ଗଛର ପତ୍ର ଆଡ଼କୁ ହାତ ଦେଖାଇ ଦେଲେ । ସଖୀମାନେ ସମସ୍ତେ ସେହି ଗଛ ନିକଟକୁ ଧାଇଁଗଲେ । ମଲା ଯା–ଏ ତ ଗୋଟାଏ ପୋକ !

ସେହି ପୋକଟିକୁ ଦେଖି ରାଣୀଙ୍କୁ ବିଶେଷ ଅସୁକ ଲାଗିଲା । ତାଙ୍କ ଦେହ ଶୀତେଇ ଉଠିବାରୁ ସେ ପୁଣି ଚିତ୍କାର କଲେ ।

ସଖୀମାନେ ପୋକଟିକୁ ମାରିଦେବାକୁ ଯାଉଥିଲେ; ମାତ୍ର ରାଣୀ ସେମାନଙ୍କୁ ବାରଣ କରି କହିଲେ, ‘‘ଛି ! ଛୋଟ ଜୀବଟିକୁ ମାରି ଆମକୁ କି ବାହାଦୁରି ମିଳିବ ?’’

 

ସଖୀମାନେ ବାଧ୍ୟ ହୋଇ ମାରିବା କାର୍ଯ୍ୟରୁ ବିରତ ହେଲେ ।

 

ରାଣୀ ନିଜେ ଖୁବ୍‍ ସାହସରେ ପୋକ ଦେହରେ ହାତ ମାରିଲେ । କି ଆଶ୍ଚର୍ଯ୍ୟ ! ପୋକ ତ ତାଙ୍କର କିଛି କ୍ଷତି କରୁନାହିଁ ! ରାଣୀଙ୍କ ମନରେ ସ୍ୱତଃ ଦୟା ଆସିଲା । ସେ ତାଙ୍କୁ ପୋଷିବା ଲାଗି ଇଚ୍ଛା କଲେ ।

 

ପୋକଟି ବଗିଚାର ଗୋଟିଏ ଗଛରେ ବସିଥାଏ । ରାଣୀ ନିତି ତାକୁ ଦେଖିବାକୁ ଆସନ୍ତି-

 

ଦିନକୁ ଦିନ ପୋକଟି ବଢ଼ିବାକୁ ଲାଗିଲା । ରାଣୀ ତାହା ଦେଖି ଖୁବ୍‍ ଆନନ୍ଦିତ ହେଲେ-

 

ଥରେ ରାଣୀ ଦେଖିଲେ ପୋକଟି ଆଉ ଗଛରୁ ପତ୍ର ଖାଉନାହିଁ; କେବଳ ଚୁପ୍‍ ହୋଇ ଗୋଟିଏ ଖୋଳ ଭିତରେ ବସି ରହିଛି । ସେହି ଖୋଳଟି ଅତି ସୁନ୍ଦର ଦିଶୁଥିବାରୁ ରାଣୀଙ୍କୁ ବଡ଼ ଖୁସି ଲାଗିଲା ।

 

ଆଉ ଦିନେ ସକାଳେ ରାଣୀ ବଗିଚାକୁ ବୁଲି ଆସି ଦେଖିଲେ ପୋକଟି ଖୋଳ ବା ଖୋସାରୁ ଧୀରେ ଧୀରେ ପଦାକୁ ବାହାରି ଆସିଛି । ସେ ଏକ ଲୟରେ ଚାହିଁ ରହି ପୋକଟିର କାର୍ଯ୍ୟକଳାପ ଲକ୍ଷ୍ୟ କଲେ ।

 

ସେ ପୁଣି ଦେଖିଲେ ପୋକଟି ପୂର୍ବ ଅବସ୍ଥାରେ ଆଉ ରହି ନାହିଁ । ତାହା ଦେହରେ କିପରି ଦୁଇଟି ଡେଣା ଲାଗି ଯାଇଛି । ତାହା ଦେଖିବାକୁ କି ଚମତ୍କାର ! କେଡ଼େ ନରମ !!

 

ରାଣୀ ଚାହିଁଥାନ୍ତି । ପ୍ରଜାପତି ଭଳି ପୋକଟି ଗଛରୁ ଉଡ଼ି ଚାଲିଗଲା । ପଡ଼ି ରହିଥିବା ଖୋସାଟିକୁ ରାଣୀ ଘେନି ଆସିଲେ । ପରେ ସେହି ଖୋସାରୁ ସେ ନିଜେ ସୂତା ବାହାର କଲେ । ତାହା ହେଲା–ରେଶମ ସୂତା ।

 

ତେଣୁ ସେହି ଦିନଠାରୁ ଚୀନବାସୀ ସାଲିଂସାଙ୍କୁ ‘ରେଶମ ପୋକର ରାଣୀ’ ବୋଲି ଡାକିଲେ ।

 

ଡିମ୍ୱର ବିଦେଶ ଯାତ୍ରା (?)

 

ରାଣୀ ସାଲିଂସା ପ୍ରଥମେ ରେଶମ ପୋକଡିମ୍ୱକୁ ଆବିଷ୍କାର କଲେ ସତ, କିନ୍ତୁ ସେ ତାହା ହଠାତ୍‍ ଚୀନବାସୀଙ୍କୁ ଜଣାଇଲେ ନାହିଁ । ସେ ନିଜେ ନଅର ଭିତରେ ବହୁ ରେଶମ-ପୋକ ପାଳିଲେ ଏବଂ ରେଶମ କନାରେ ସୁନ୍ଦର ସୁନ୍ଦର ପୋଷାକ ତିଆରି କରି ପିନ୍ଧିଲେ ।

 

ଇତି ମଧ୍ୟରେ ଗୋଟିଏ ନୂଆ ଘଟଣା ଘଟିଲା । ଭାରତର କୌଣସି ରାଜା ତାଙ୍କ ଯୁବରାଜଙ୍କୁ ଚୀନ୍‍ ଜେମାଙ୍କ ସହିତ ବିବାହ କରାଇଲେ । ସେହି ଜେମାଙ୍କଠାରୁ ଯୁବରାଜ ରେଶମ-ପୋକ ବିଷୟରେ ନାନା କଥା ଶୁଣିଲେ । ଯୁବରାଜଙ୍କ ଅନୁରୋଧରେ ଚୀନ୍‍ ଜେମା କେତେଗୁଡ଼ିଏ ରେଶମପୋକ ଡିମ୍ୱ ତାଙ୍କ ଖୋସାରେ ଲୁଚାଇ ଭାରତକୁ ଘେନି ଆସିଲେ । ମାତ୍ର ଏହି କଥାଟି ରାଣୀ ସାଲିଂସା ଆଦୌ ଜାଣି ପାରିଲେ ନାହିଁ ।

 

ଭାରତରେ ସେହି ଡିମ୍ୱକୁ ଚୀନ୍‍-ଜେମା ଖୁବ୍‍ ଯତ୍ନରେ ପାଳିଲେ । ଯୁବରାଜ ମଧ୍ୟ ଜେମାଙ୍କଠାରୁ ଡିମ୍ୱ ପାଳିବା କାଇଦା ଶିଖି ପ୍ରଜାମାନଙ୍କୁ ଶିଖାଇଲେ । ଏହିଭଳି ଭାରତରେ ରେଶମ ଶିଳ୍ପର ସୂତ୍ରପାତ ହେଲା ।

 

ରାଣୀ ସାଲିଂସାଙ୍କଠାରୁ କିଛି ଦିନ ପରେ ଚୀନ୍‍ବାସୀ ରେଶମ ପୋକ କଥା ଜାଣିଲେ । ବିଦେଶୀମାନେ ଯେପରି ଏହି ରହସ୍ୟ ଜାଣି ନ ପାରନ୍ତି, ସେଥିପାଇଁ ଚୀନ୍‍ ସମ୍ରାଟ କଠୋର ନିୟମ ଜାରି କଲେ । କିନ୍ତୁ ଫୁଟିଲା ଫୁଲର ସୁବାସ ଚହଟି ଗଲା ପରି ରେଶମ ଶିଳ୍ପର ମହତ୍ତ୍ୱ ଜାପାନୀମାନଙ୍କୁ ମଧ୍ୟ ଜଣା ପଡ଼ିଗଲା ।

 

ଦଳେ ଜାପାନୀ ଝିଅ ଚୀନ୍‍ ଭ୍ରମଣରେ ଆସି କେତେଗୁଡ଼ିଏ ପୋକ ଲୁଚାଇ ନେଇ ଗଲେ । ସେଗୁଡ଼ିକୁ ସେମାନେ ଖୁବ୍‍ ଯତ୍ନରେ ପାଳି ରେଶମ ଶିଳ୍ପରେ ଉନ୍ନତି କଲେ ।

 

ଆହୁରି ଗୋଟିଏ ଘଟଣା ଶୁଣ ।

 

ଥରେ ପାରସ୍ୟର ଦଳେ ଫକୀର ଚୀନ୍‍ ବାଟେ ଅନ୍ୟ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ । ସେମାନେ ରୋଗରେ ପଡ଼ିବାରୁ କିଛି ଦିନ ଚୀନ୍‍ ଦେଶରେ ବିଶ୍ରାମ ନେଲେ । ସେତିକି ବେଳେ ସେମାନେ ରେଶମ-ପୋକ ଓ ରେଶମ କନା ଦେଖିବାକୁ ପାଇ ଖୁବ୍‍ ବିସ୍ମିତ ହେଲେ । ଗୁଡ଼ିଏ ରେଶମ ପୋକ ଲୁଚାଇ ନେଇ ସେମାନେ ନିଜ ଦେଶର ରାଜାଙ୍କୁ ଉପହାର ଦେବାକୁ ଇଚ୍ଛା କଲେ । ତେଣୁ କୌଶଳରେ ସେମାନେ କେତେକ ପୋକ ସେମାନଙ୍କ ହାତ ବାଡ଼ି ଭିତରେ ଲୁଚାଇ ଘେନିଗଲେ । ତାହା ଚୀନ୍‍ ସମ୍ରାଟ୍‍ ଆଦୌ ଜାଣି ପାରିଲେ ନାହିଁ ।

 

ପାରସ୍ୟ ଦେଶର ରେଶମ ପୋକ ପାଳିତ ହେବା ପରେ ଇଉରୋପର ଲୋକେ ତାହା ଜାଣିଲେ । କ୍ରମେ ତାହା ସାରା ପୃଥିବୀକୁ ବ୍ୟାପିଗଲା ।

 

ଜାପାନୀମାନେ ରେଶମ ପୋକ କଥା ଜାଣିବା ଦିନଠାରୁ ସେମାନଙ୍କ ବିଷୟରେ ନାନା ଗବେଷଣା କରୁଥାନ୍ତି । ସେ ଦେଶ ଲୋକଙ୍କ ବ୍ୟତୀତ ଅନ୍ୟ କେହି ତାହା ନ ଜାଣିବା ପାଇଁ ସେମାନେ ବଡ଼ ସତର୍କ ଥାଆନ୍ତି । ଥରେ ଇଉରୋପ ଓ ଏସିଆ ଖଣ୍ଡରେ ଯେତେ ରେଶମ ପୋକ ଥିଲେ ସେମାନଙ୍କୁ ଏକପ୍ରକାର ରୋଗ ଧରିଲା । ସେହି ରୋଗରେ ଲକ୍ଷ ଲକ୍ଷ ପୋକ ମରିଗଲେ ଏବଂ ଗୋଟିଏ ଗୋଟିଏ ଦେଶରେ ସେମାନଙ୍କର ବଂଶ ଲୋପ ପାଇଯିବାର ଆଶଙ୍କା କରାଗଲା ।

 

ଫରାସୀ ଓ ଇଟାଲୀ ଦେଶରେ ଯେଉଁ ପୋକଗୁଡ଼ିକ ଥିଲେ ସେମାନଙ୍କଠାରୁ ଯଥେଷ୍ଟ ରେଶମ ଖୋସା ଆଦାୟ ହେଉ ନ ଥିଲା । ଜାପାନ ସରକାର ବହୁ ଅର୍ଥ ବ୍ୟୟ କରି ଯତ୍ନ ନେବା ଫଳରେ ରେଶମ ପୋକ ସବୁ ଦୁର୍ବଳ ନ ହୋଇ ଖୁବ୍‍ ସୁନ୍ଦର ଓ ହୃଷ୍ଟପୁଷ୍ଟ ଦେଖାଗଲେ । କହିବାକୁ ଗଲେ, ଜାପାନୀମାନେ ହିଁ ପ୍ରକୃତରେ ଏହି ଶିଳ୍ପ ଦିଗରେ ଯଥେଷ୍ଟ ଉନ୍ନତି କରିଥିଲେ ।

 

ସେହି ସମୟରେ ଭାରତର ରେଶମ ଚାଷୀମାନେ ବର୍ଷକେ ଚାରି ଥର ଖୋସା ସଂଗ୍ରହ କରୁଥିଲେ । ଇଉରୋପରେ ହଠାତ୍‍ ମାରାତ୍ମାକ ରୋଗ ଦେଖାଯିବାରୁ ଭାରତରେ ମଧ୍ୟ ତାହା ବ୍ୟାପିବାକୁ ଲାଗିଲା ।

 

ପାଶ୍ଚାତ୍ୟ ଦେଶରେ ଲୋକମାନଙ୍କୁ ରୋଗରୁ ରକ୍ଷା କରିବା ଲାଗି ବୈଜ୍ଞାନିକ ପନ୍ଥା ଗ୍ରହଣ କରାଗଲା । ମାତ୍ର ଆମ ଦେଶରେ ତାହା ନ ହେବାରୁ ବହୁ ପୋକ ମରିଗଲେ ।

 

ଭାରତରେ ରେଶମ ଶିଳ୍ପର ଇତିହାସ

 

ବହୁକାଳରୁ ଭାରତରେ ରେଶମ ଶିଳ୍ପ ରହିଛି । ବନାରସ, ମଦୁରା ପ୍ରଭୃତି ଅଞ୍ଚଳରେ ଅତି ଉତ୍କୃଷ୍ଟ ଧରଣର ରେଶମ ଦ୍ରବ୍ୟ ମିଳେ ।

 

ଯେତେବେଳେ ଭାରତକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ବେପାର ବଣିଜ କରିବାକୁ ଆସିଥିଲେ, ସେତେବେଳେ ଏ ଦେଶରେ ରେଶମ ଶିଳ୍ପ ଅତି ଉନ୍ନତ ଅବସ୍ଥାରେ ଥିଲା । ବଙ୍ଗଳାର ତନ୍ତୀମାନେ ସୁନ୍ଦର ସୁନ୍ଦର ଶାଢ଼ି ଚଦର ଇତ୍ୟାଦି ବୁଣୁଥିଲେ । ସେହି ବ୍ୟବସାୟରେ ଅଧିକ ଲାଭ ଜାଣି କମ୍ପାନୀ ପ୍ରଥମେ ତାହାକୁ ଏକଚାଟିଆ କାରବାର କଲେ । ଇଟାଲୀ ଦେଶରୁ ଅଭିଜ୍ଞ ଲୋକ ଅଣାଇ ରେଶମ ବିଷୟରେ ନାନା ତଥ୍ୟ ସଂଗ୍ରହ କଲେ । ସାହେବମାନେ ପ୍ରଥମେ ତୁତ ଗଛର ସଂଖ୍ୟା ବଢ଼ାଇବା ଲାଗି ପରାମର୍ଶ ଦେଲେ । ଅଳ୍ପ ଦିନ ମଧ୍ୟରେ ବହୁ ଗଛ ବୃଦ୍ଧି ପାଇଲା ଏବଂ ବଡ଼ ବଡ଼ ଖୋସା ମଧ୍ୟ ପୋକମାନଙ୍କଠାରୁ ମିଳିଲା । ଦେଶର ନାନା ସ୍ଥାନରେ ତନ୍ତ ଓ କଳ ପ୍ରତିଷ୍ଠା କରାଗଲା । ଏଣିକି କମ୍ପାନୀ ରେଶମ କାରବାରକୁ ଏକଚାଟିଆ କଲେ ନାହିଁ । ସେହି ବ୍ୟବସାୟରେ ଅନେକ ଲୋକ ପେଟ ପୋଷି ହେଲେ ।

 

ଇତିହାସରୁ ତୁମେ ଟିପୁ ସୁଲତାନଙ୍କ ନାମ ପଢ଼ିଥିବ । ସେ ପ୍ରଥମେ ମହୀଶୁରରେ ରେଶମ ଶିଳ୍ପର ପ୍ରସାର କରିଥିଲେ ।

 

ସୁଖର କଥା ଯେ, ଆଜିକାଲି ଭାରତ ସରକାର ରେଶମ ଶିଳ୍ପର ଉନ୍ନତି ଲାଗି ଲୋକମାନଙ୍କୁ ନାନା ଉତ୍ସାହ ଦେଉଛନ୍ତି । ସେଥିପାଇଁ ବହୁ ଅର୍ଥ ମଧ୍ୟ ଦେଶ ପକ୍ଷରୁ ଖର୍ଚ୍ଚ ହେଉଛି ।

 

ପୃଥିବୀର ଲୋକେ ଯେତେ ରେଶମ ଜିନିଷ ଦରକାର କରନ୍ତି, ସେଥିରୁ ମୋଟେ ଶତକଡ଼ା ଦୁଇ ଭାଗ ଭାରତ ଯୋଗାଇ ଦେଉଛି । ଏହା ଭାରତ ପକ୍ଷରେ ବିଶେଷ ଗୌରବର କାରଣ ନୁହେଁ । ଦେଶବାସୀ ଏଥି ପ୍ରତି ଅଧିକ ଧ୍ୟାନ ଦେବା ଉଚିତ ।

Image

 

ମୁକ୍ତା

 

ହୀରା, ନୀଳା ଇତ୍ୟାଦି ଅତି ମୂଲ୍ୟବାନ ପଦାର୍ଥ । ତାହା ଖଣିମାନଙ୍କରୁ ମିଳେ । କେବଳ ଧନୀ ଲୋକମାନେ ତାହା କିଣିବାକୁ ସମର୍ଥ ହୁଅନ୍ତି । ଅଳଙ୍କାରମାନଙ୍କରେ ସେହି ପଥରଗୁଡ଼ିକ ଖଞ୍ଜିଲେ ବଡ଼ ଚମତ୍କାର ଦିଶେ । କାରଣ ତହିଁରୁ ସର୍ବଦା ଉଜ୍ଜ୍ୱଳ ଆଲୋକ ଝଟକୁଥାଏ ।

 

ହୀରା, ନୀଳା ପରି ମୁକ୍ତା ମଧ୍ୟ ଗୋଟିଏ ମୂଲ୍ୟବାନ ବସ୍ତୁ । ଏଥିରେ ଆଲୋକ ପଡ଼ିଲେ ତହିଁରୁ ନାନା ରଙ୍ଗ ଝଟକି ଉଠେ । ଆଗେ ରାଜା ମହାରାଜାମାନେ ସେମାନଙ୍କ ମୁକୁଟ ଦେହରେ ଏହି ସବୁ ମୂଲ୍ୟବାନ ପଦାର୍ଥ ଖଞ୍ଜୁଥିଲେ । ତେଣୁ ତାହା ବିଶେଷ ସୁନ୍ଦର ଦିଶୁଥିଲା ।

 

ମୁକ୍ତା ବିଷୟରେ ଆଗେ ଲୋକମାନେ କ’ଣ କହୁଥିଲେ ?

 

ମୁକ୍ତା ବିଷୟରେ ନାନା କଥା ଶୁଣିବାକୁ ମିଳେ । କେହି କେହି କହନ୍ତି ଯେ, ଟୋପାଏ ଟୋପାଏ କାକର ବିନ୍ଦୁରୁ ହିଁ ମୁକ୍ତାଗୁଡ଼ିକର ଉତ୍ପତ୍ତି । ଆରବ ଦେଶର ଲୋକେ ମୁକ୍ତା ବିଷୟରେ କ’ଣ କହନ୍ତି ଜାଣ ?

 

ସେମାନଙ୍କ ମତରେ ଶାମୁକା ବୋଲି ଏକପ୍ରକାର ଜୀବ ସମୁଦ୍ରରେ ଅଛନ୍ତି । ସେମାନେ ଆକାରରେ ଖୁବ୍‍ ବଡ଼ ନୁହନ୍ତି । ସେମାନଙ୍କର ଦେହ ଖୁବ୍‍ ଟାଣ । ଶାମୁକା ଜୀବ ସେହି ଟାଣ ଖୋଳପା ମଧ୍ୟରେ ରହେ । ବେଳେ ବେଳେ ଜୀବଗୁଡ଼ିକ ଖେଳିବା ଉଦ୍ଦେଶ୍ୟରେ ପାଣି ଉପରକୁ ଉଠି ଆସନ୍ତି । ଯେଉଁ ଶାମୁକାଟି ସକାଳୁ ପାଣି ଉପରକୁ ମୁହଁ ଖୋଲି ଉଠି ଆସେ ଏବଂ ଟୋପାଏ କାକର ତାହା ପାଟିରେ ଆସି ପଡ଼େ, ସେହି ଶାମୁକାରୁ ହିଁ ମୁକ୍ତା ମିଳେ ।

 

କେବଳ କାକର ହିଁ ମୁକ୍ତା ସୃଷ୍ଟି କରେ ନାହିଁ । ସୂର୍ଯ୍ୟଙ୍କର ଆଲୋକ ମଧ୍ୟ ମୁହଁ ଉପରେ ପଡ଼ିବା ଦରକାର ପଡ଼େ ।

 

ଅଠର ଶହ ବର୍ଷ ଆଗେ ଜଣେ ଲେଖକ ମୁକ୍ତା ବିଷୟରେ ଏହିଭଳି ବର୍ଣ୍ଣନା କରିଛନ୍ତି–

 

‘‘ଶାମୁକାଗୁଡ଼ିକରୁ ଭଲ ହେଉ କିମ୍ୱା ମନ୍ଦ ହେଉ, ସାନ ହେଉ କିମ୍ୱା ବଡ଼ ହେଉ, ଯେଉଁସବୁ ମୁକ୍ତା ମିଳେ ସେଗୁଡ଼ିକର ଆକାର ଓ ସରସତା ଶାମୁକା ଗିଳୁଥିବା କାକର ଟୋପା ଉପରେ ହିଁ ନିର୍ଭର କରେ ।’’

 

ସେ କାଳ ଲୋକଙ୍କର ମୁକ୍ତା ବିଷୟରେ କି ଧାରଣା ଥିଲା, ଏଥିରୁ ତୁମେ ନିଶ୍ଚୟ ବୁଝି ପାରୁଥିବ ।

 

କିନ୍ତୁ ଏବେ ସେହି ବିଶ୍ୱାସ ଆଉ ନାହିଁ । ଲୋକେ ମୁକ୍ତାଚାଷ କରିବାକୁ ଶିକ୍ଷା କଲେଣି । ପ୍ରଥମେ କିଏ କିପରି ମୁକ୍ତା ଚାଷ ଆରମ୍ଭ କଲେ ତାହା ପରେ କୁହାଯିବ ।

 

ମୁକ୍ତା କ’ଣ ଓ ତାହା କିପରି ସଂଗୃହୀତ ହେଉଛି ?

 

ମୁକ୍ତା ଏକପ୍ରକାର ଶାମୁକା ପେଟରୁ ମିଳେ । ଯେଉଁଠି ସମୁଦ୍ର ଅଧିକ ଗଭୀର ନୁହେଁ, ସେହିପରି ସ୍ଥାନରେ ଶାମୁକାଗୁଡ଼ିକ ବାସ କରନ୍ତି । ସମୁଦ୍ର ପାଣି ଶୀତଦିନେ ଟିକିଏ ଉଷ୍ଣ ଥିଲେ ଶାମୁକା ସବୁ ରହିବାକୁ ସୁଖ ପାଆନ୍ତି । ସେମାନେ ବର୍ଷକେ ଦୁଇ ଥର ମାତ୍ର ଅଣ୍ଡା ଦିଅନ୍ତି । ସେହି ଅଣ୍ଡାଗୁଡ଼ିକ ବେଳେ ବେଳେ ଅକ୍ଟୋପସ୍‍ ନାମକ ଏକପ୍ରକାର ଜଳଜୀବ ଆକ୍ରମଣ କରି ମାରି ଦିଅନ୍ତି ।

 

ଅଳ୍ପଦିନ ପରେ ଅଣ୍ଡାରୁ ଛୁଆ ବାହାରି ପାଣିରେ ଭାସେ । ସେହି ଛୁଆଗୁଡ଼ିକ କ୍ରମେ ବଢ଼ନ୍ତି ଓ ସେମାନଙ୍କ ଦେହରେ ଏକପ୍ରକାର କଠିନ ଆବରଣ ସୃଷ୍ଟି ହୁଏ । ତାହାକୁ ଖୋଳପା କୁହାଯାଏ । ଖୋଳପା ବଢ଼ିବା ଦ୍ୱାରା ଶାମୁକାର ଦେହ ଓଜନ ହୁଏ । ସେ ଆଉ ପାଣିରେ ଭାସି ନ ପାରି ସମୁଦ୍ର ତଳ ପଥର କିମ୍ୱା ବାଲି ଉପରେ ଆଶ୍ରୟ ନିଏ ।

 

ଶାମୁକା ତାହାର ଖାଦ୍ୟ ପାଣି ତଳୁ ସଂଗ୍ରହ କରେ; କିନ୍ତୁ ବେଳେ ବେଳେ ସେ ମୁହଁ ଖୋଲିଥିବା ଅବସ୍ଥାରେ ଧୂଳିକଣା ତାହାର ପାଟି ଭିତରେ ପଶି ପେଟକୁ ଚାଲିଯାଏ । ସେହି ଧୂଳି ବା ବାଲି ପେଟରୁ ଆଉ ବାହାରି ପାରେ ନାହିଁ । ପେଟରେ ବାଲି ଜମିଗଲେ ଶାମୁକା ତାହା ପେଟ ଭିତରୁ ଏକପ୍ରକାର ଅଠାଳିଆ ରସ ଝରାଏ । ସେହି ରସ ବାଲିକୁ ଘୋଡ଼ାଇ ରଖେ । ଥରକୁ ଥର ଶାମୁକା ପେଟରୁ ରସ ଝରି ବାଲିକଣା ଉପରେ ସଞ୍ଚିତ ହୁଏ । ଶେଷକୁ ସେହି ବାଲିକଣା ହିଁ ମୁକ୍ତା ପାଲଟିଯାଏ । ଏହିପରି ଶାମୁକା ପେଟରେ ମୁକ୍ତା ତିଆରି ଚାଲିଛି ।

 

ଶାମୁକାଗୁଡ଼ିକ ବଢ଼ିବା ଅବସ୍ଥାରେ ମାରିବାକୁ ଦରକାର ପଡ଼େ ନାହିଁ । ତିନି ଚାରି ବର୍ଷ ପରେ ସେମାନଙ୍କ ପେଟରେ ବଡ଼ ବଡ଼ ମୁକ୍ତା ହୁଏ । ଆହୁରି ବର୍ଷେ କି ଦୁଇ ବର୍ଷ ଅପେକ୍ଷା କରି ବୁଡ଼ାଳୀମାନେ ବେଳକାଳ ଉଣ୍ଡି ସେମାନଙ୍କୁ ଧରି ଆଣନ୍ତି । ଶହେଟି ଶାମୁକାରୁ ପ୍ରାୟ ପାଞ୍ଚଟି କିମ୍ୱା ସାତଟି ମୁକ୍ତା ମିଳେ । ଶାମୁକାଗୁଡ଼ିକୁ ସମୁଦ୍ର କୂଳକୁ ଆଣି ସେମାନଙ୍କର ପେଟ ଚିରି ମୁକ୍ତା ସଂଗ୍ରହ କରାଯାଏ ।

 

ମୁକ୍ତା ସଂଗ୍ରହ କରିବା ସହଜ କାର୍ଯ୍ୟ ନୁହେଁ । କେତେକ ଦେଶର ସ୍ତ୍ରୀମାନେ ପୁରୁଷମାନଙ୍କ ଅପେକ୍ଷା ପାଣିରେ ଭଲ ବୁଡ଼ି ପାରନ୍ତି । ସାଧାରଣତଃ ଯେଉଁ ସ୍ତ୍ରୀମାନଙ୍କର ବୟସ ୨୫ ବର୍ଷରୁ ୩୫ ବର୍ଷ ସେମାନଙ୍କର ଦମ୍‍ ବେଶି ସମୟ ରହେ । ବଡ଼ ବଡ଼ ଝିଅମାନେ ପିଲା ଦିନରୁ ପାଣିରେ ବୁଡ଼ିବାକୁ ଅଭ୍ୟାସ କରିଥାନ୍ତି ।

 

ବୁଡ଼ାଳୀମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପୋଷାକ ରହିଛି । ତାହା ରବରରେ ତିଆରି । ସେହି ପୋଷାକକୁ ଦେଖିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ । କାରଣ ତାହା ଅତି ଅଦ୍ଭୁତ ଓ ବିଚିତ୍ର ।

 

ସ୍ତ୍ରୀମାନେ ପାଣିରେ ବୁଡ଼ିବା ଆଗରୁ ମୁଣ୍ଡ ବାଳକୁ ଭଲରୂପେ ଗଣ୍ଠି ପକାଇଥାନ୍ତି । ସେହି ଗଣ୍ଠି ବା ଖୋସା ଉପରେ ଖଣ୍ଡିଏ ସଫା କନା ବାନ୍ଧି ରବର ପୋଷାକ ପିନ୍ଧନ୍ତି । ଆଖିରେ ସେମାନଙ୍କର ମୋଟା କାଚର ଚଷମା ଥାଏ । ତେଣୁ ଲୁଣିଆ ପାଣିରେ ଆଖି ଆଉ ପୋଡ଼େ ନାହିଁ ।

Image

ମୁକ୍ତା ସଂଗ୍ରହକାରୀ

 

ପାଣିରେ ନିଃଶ୍ୱାସ ପ୍ରଶ୍ୱାସ ନେବାଲାଗି ସମୁଦ୍ର ଉପରୁ ପବନ ଯୋଗାଇ ଦିଆଯାଏ । ନାକର ଦୁଇ ପୁଡ଼ାରେ ଦୁଇଟି ରବର ନଳୀ ଯୋଡ଼ା ହୋଇଥାଏ ଓ ସେହି ନଳୀଗୁଡ଼ିକର ଅପର ମୁଣ୍ଡ ସମୁଦ୍ର ଉପରକୁ ଅଣା ଯାଇଥାଏ । ସମୁଦ୍ର ଉପରେ ଥିବା ଡଙ୍ଗାରେ ଲୋକମାନେ ଥାଆନ୍ତି । ସେମାନେ ପମ୍ପଦ୍ୱାରା ପବନ ରବର ନଳୀ ଭିତରକୁ ଠେଲନ୍ତି । ତେଣୁ ବୁଡ଼ାଳୀମାନେ ନିଃଶ୍ୱାସ ପ୍ରଶ୍ୱାସରେ କୌଣସି ବାଧା ପାଆନ୍ତି ନାହିଁ । ସିଂହଳ ଉପକୂଳରୁ ମୁକ୍ତା ସଂଗ୍ରହ କରୁଥିବା ବୁଡ଼ାଳୀମାନେ ନିଃଶ୍ୱାସ ବନ୍ଦ କରି ପାଣି ଭିତରେ ୬୦ ସେକେଣ୍ଡରୁ ୮୦ ସେକେଣ୍ଡ ପର୍ଯ୍ୟନ୍ତ ରହି ପାରନ୍ତି ।

 

ପାଣି ତଳକୁ ଚଞ୍ଚଳ ଖସିବା ଲାଗି ବୁଡ଼ାଳୀମାନଙ୍କ ପାଦରେ ସୀସାର ଜୋତା ଥାଏ । ସେମାନେ ପୋଷାକ ପିନ୍ଧି ପ୍ରସ୍ତୁତ ହେବା ପରେ ଦୁଇଟି ଦଉଡ଼ି ପାଣିକୁ ଖସାଇ ଦିଆଯାଏ । ଗୋଟିଏ ଦଉଡ଼ିର ଏକ ମୁଣ୍ଡରେ ୨୦ ସେର ଓଜନର ଖଣ୍ଡେ ପଥର ଥାଏ । ଅନ୍ୟ ଦଉଡ଼ିରେ ସେହିପରି ଥଳି ବା ଟୋକେଇଟିଏ ବନ୍ଧା ହୁଏ । ଏଥର ବୁଡ଼ାଳୀ ପାଣି ତଳକୁ ଖସେ ଏବଂ ସମୁଦ୍ର ଶଯ୍ୟାରୁ ଶାମୁକା ଗୋଟାଇ ଟୋକେଇରେ ରଖେ । ତାହା ପରେ ଉଠିବା ଲାଗି ସଂକେତ ଦିଏ । ପାଣିତଳୁ ସଂକେତ କିପରି ଦିଆଯାଏ ଜାଣ କି ?

 

ବୁଡ଼ାଳୀର ହାତ ପାଖରେ ସର୍ବଦା ଯେଉଁ ଦଉଡ଼ିଟି ଥାଏ, ସେହି ଦଉଡ଼ିକୁ ସେ ଦରକାର ବେଳେ ଖୁବ୍‍ ଜୋରରେ ହଲାଇ ଦିଏ । ଫଳରେ ତାହା ହଲି ଉଠେ । ଡଙ୍ଗାରେ ଥିବା ଲୋକେ ସେହି ଠାର ବୁଝି ପାରନ୍ତି । ସେମାନେ ବୁଡ଼ାଳୀକୁ ଖୁବ୍‍ ଚଞ୍ଚଳ ଉପରକୁ ଉଠାଇବା ନିମନ୍ତେ ଦଉଡ଼ିକୁ ଝିଙ୍କି ଆଣନ୍ତି ।

 

ବେଳେ ବେଳେ ଦେଖାଯାଏ ଯେ, କେତେକ ବୁଡ଼ାଳୀ ପାଣି ଭିତରେ ନିଃଶ୍ୱାସ ରଖି ନ ପାରି ଛଟପଟ ହୋଇ ମରିଯାଆନ୍ତି ।

 

ସ୍ୱତନ୍ତ୍ର ପୋଷାକ ନ ପିନ୍ଧି ସମୁଦ୍ରରେ ବୁଡ଼ିଲେ ବିପଦର ବହୁ ଆଶଙ୍କା ଥାଏ । ବୁଡ଼ାଳୀମାନେ ନିଃଶ୍ୱାସ ବନ୍ଦ କରି କେବଳ ଷାଠିଏ ଫୁଟ ପର୍ଯ୍ୟନ୍ତ ସମୁଦ୍ର କୂଳକୁ ଯାଇ ପାରନ୍ତି । କେହି ଦୁଇ ମିନିଟରୁ ଅଧିକ କାଳ ରହି ପାରନ୍ତି ନାହିଁ ।

 

ଆଜିକାଲି ଲୋକେ ନାନା ବୈଜ୍ଞାନିକ ଉପାୟର ଆଶ୍ରା ନେଇ ସମୁଦ୍ର ତଳକୁ ଯାଉଥିବାରୁ ବିପଦର ଆଶଙ୍କା ରହୁ ନାହିଁ ।

 

ଥରେ ଥରେ ବୁଡ଼ାଳୀମାନେ ସମୁଦ୍ର ତଳକୁ ଯିବାବେଳେ ନାନା ଜଳଜନ୍ତୁଙ୍କ ହାବୁଡ଼ରେ ପଡ଼ନ୍ତି । ମଗର, ଶାଙ୍କୁଚ ଇତ୍ୟାଦି ଜୀବ ସେମାନଙ୍କୁ ଆକ୍ରମଣ କରି ମାରି ଦେବାର ଦୃଷ୍ଟାନ୍ତ ବିରଳ ନୁହେଁ । ସେମାନଙ୍କ ଦାଉରୁ ରକ୍ଷା ପାଇବା ନିମନ୍ତେ ବୁଡ଼ାଳୀମାନେ ପାଖରେ ଦାଢ଼ୁଆ ଛୁରିଟିଏ ରଖିଥାନ୍ତି । କୌଣସି ବିପଦ ପଡ଼ିଲେ ସେମାନେ ସେହି ଛୁରିକୁ ବ୍ୟବହାର କରନ୍ତି ।

 

ପ୍ରତ୍ୟେକ ବୁଡ଼ାଳୀ ତାହାର ଶାମୁକା ଥଳିକୁ ଉପରକୁ ଆଣିବା ପରେ ତହିଁରେ ଜଉମୁଦ ଦିଏ ଏବଂ ପୁଣି ଥରେ ବୁଡ଼ିବାକୁ ଯାଏ । ସାଧାରଣତଃ ସକାଳୁ ବୁଡ଼ିବା କାର୍ଯ୍ୟ ଆରମ୍ଭ କରାଯାଏ । ସାତ ଘଣ୍ଟା କିମ୍ୱା ଆଠ ଘଣ୍ଟାରୁ କେହି ଅଧିକ ପରିଶ୍ରମ କରି ପାରନ୍ତି ନାହିଁ । ମାର୍ଚ୍ଚ ମାସଠାରୁ ଡିସେମ୍ୱର ମାସ ମଧ୍ୟରେ ମୁକ୍ତା ସଂଗ୍ରହ କରିବା ସବୁଠାରୁ ବେଶି ସୁବିଧା । ସମୁଦ୍ର ପାଣି ଅତି ଥଣ୍ଡା ହୋଇଗଲେ ବୁଡ଼ିବାକୁ କଷ୍ଟ ବୋଧ ହୁଏ ।

 

ବୁଡ଼ାଳୀ ସଂଗ୍ରହ କରୁଥିବା ଶାମୁକାଗୁଡ଼ିକୁ ସମାନ ତିନି ଭାଗ କରନ୍ତି । ସେଥିରୁ ସରକାର ଦୁଇ ଭାଗ ନିଅନ୍ତି ଏବଂ ବୁଡ଼ାଳୀ ନିଜେ ତାହାର ପରିଶ୍ରମ ଲାଗି ଏକ ଭାଗ ନିଏ । ସେହି ଭାଗଟିକୁ ସେ ମହାଜନକୁ ବିକି ଦେଇ ପେଟ ପୋଷେ । ମୁକ୍ତା ସଂଗୃହୀତ ହେଉଥିବା ସ୍ଥାନରେ ବହୁ ମହାଜନ ଆସି ରୁଣ୍ଡ ହୁଅନ୍ତି । ସରକାର ତାଙ୍କ ଭାଗ ମୁକ୍ତାଗୁଡ଼ିକୁ ନିଲାମ ଦେବାବେଳେ ସେମାନେ ମଧ୍ୟ ତାହା ନିଅନ୍ତି ।

 

ମିକିମୋଟୋ କିପରି ଜାପାନ ଲୋକଙ୍କୁ ମୁକ୍ତା ଚାଷ ଶିଖାଇଲେ ?

 

ଜାପାନରେ ମୁକ୍ତାର ମୂଲ୍ୟ ହୁ ହୁ ବଢ଼ିବାରୁ ତାହା ସହଜରେ ମିଳିଲା ନାହିଁ । ମୁକ୍ତା ମହାଜନମାନଙ୍କ ମହଲରେ ଏଥିପାଇଁ ବଡ଼ ଭାଳେଣି ପଡ଼ିଗଲା । ସେମାନଙ୍କର ବ୍ୟବସାୟ ପୂରାପୂରି କମି ଆସିଲା । ସେମାନେ ମୁଣ୍ଡରେ ହାତ ଦେଇ ବସିଲେ । ଏହି ବିପତ୍ତିରୁ କିପରି ରକ୍ଷା ମିଳିବ ତାହା ସେମାନେ ଦିନରାତି ଚିନ୍ତା କଲେ ।

 

ହଜାର ହଜାର ଶାମୁକା ସମୁଦ୍ରରୁ ଧରା ହୁଅନ୍ତି; କିନ୍ତୁ ପ୍ରତ୍ୟେକ ଶାମୁକାରୁ ମୁକ୍ତା ମିଳୁ ନ ଥିବାରୁ ଅଯଥା ବହୁ ଶାମୁକାକୁ ମାରି ନଷ୍ଟ କରି ଦିଆଯାଏ । ଫଳରେ ଶାମୁକାମାନଙ୍କର ବଂଶ ବୃଦ୍ଧି ପାଇଲା ନାହିଁ । ମିକିମୋଟୋଙ୍କୁ ମହାଜନମାନେ ଏହି ସବୁ ଘଟଣା ଜଣାଇଲେ । ତାଙ୍କର ଆଗରୁ ମୁକ୍ତା ଓ ଶାମୁକାମାନଙ୍କ ବିଷୟରେ କିଛି କିଛି ଧାରଣା ଥିଲା । ତେଣୁ ସେ ମହାଜନମାନଙ୍କୁ ତହିଁର ପ୍ରତିକାର କରିବା ଲାଗି ପ୍ରତିଶ୍ରୁତି ଦେଲେ ।

 

ସେ ନାନା ବାଧାବିଘ୍ନ ଏଡ଼ି ସମୁଦ୍ରର ଗୋଟିଏ ସ୍ଥାନକୁ ବାଛିଲେ ଏବଂ ସେହିଠାରେ ତାଙ୍କର ଗବେଷଣା ଚଳାଇଲେ । ଦୀର୍ଘ ଆଠ ବର୍ଷ କାଳ ସେ ବିଭିନ୍ନ ଅବସ୍ଥାରେ ଶାମୁକାମାନଙ୍କୁ ରଖି ପାଣି ତଳେ ପୋଷିଲେ । କ୍ରମେ ସେମାନଙ୍କର ବଂଶ ବଢ଼ିଲା । ତାହା ପରେ ସେମାନଙ୍କ ପେଟରେ ଯେପରି ଭଲ ମୁକ୍ତା ସୃଷ୍ଟି ହେବ ସେଥିପାଇଁ ସେ କେତେକ ନିୟମ ପାଳି ସେମାନଙ୍କର ଯତ୍ନ ନେଲେ ।

 

ମିକିମୋଟୋ ମୁକ୍ତା ପରୀକ୍ଷା କରିବା ନିମନ୍ତେ ଯେଉଁ ଅଞ୍ଚଳକୁ ବାଛିଥିଲେ, ତାହାର ଦୈର୍ଘ୍ୟ ୧୨ ମାଇଲ, ପ୍ରସ୍ଥ ୬ ମାଇଲ ଏବଂ ଗଭୀରତା ୬୦ ଫୁଟ ଥିଲା । ବହୁ ଦକ୍ଷ ବୁଡ଼ାଳୀଙ୍କ ଦ୍ୱାରା ସେ ଶାମୁକାମାନଙ୍କୁ ଥରକୁ ଥର ପରୀକ୍ଷା କରୁଥିଲେ । ଶେଷକୁ କେତେକ ଶାମୁକାର ପେଟରେ ମୁକ୍ତା ଉତ୍ପତ୍ତି ହେଉଥିବାର ଜଣାଗଲା । ସେ ଆହୁରି କେତୋଟି ବର୍ଷ ଅପେକ୍ଷା କଲେ । ମାତ୍ର ପରେ ଦେଖାଗଲା ଯେ ଶାମୁକାମାନଙ୍କର ଆକାର ଯଥେଷ୍ଟ କମି ଯାଇଛି । ଏଥିରେ ଯେ କେହି ସାଧାରଣ ଲୋକ ଟିକିଏ ବ୍ୟସ୍ତ ହୋଇ ପଡ଼ିଥାନ୍ତା; ମାତ୍ର ସେ ଆଦୌ ଦୁଃଖିତ ହେଲେ ନାହିଁ-। ପୂର୍ବଠାରୁ ଅଧିକ ପରିଶ୍ରମ କରି ଶାମୁକାଗୁଡ଼ିକୁ ପରୀକ୍ଷା କଲେ । ଶେଷକୁ ସେ ତାଙ୍କ କାର୍ଯ୍ୟରେ ସିଦ୍ଧିଲାଭ କଲେ ।

 

ଟୋକିଓ ସହରର ଏକ ପ୍ରଦର୍ଶନୀରେ ତାଙ୍କୁ ବହୁ ପୁରସ୍କାର ଦିଆଗଲା ଏବଂ ତାଙ୍କର ମହତ୍‍ କାର୍ଯ୍ୟ ଲାଗି ଦେଶ ପକ୍ଷରୁ ନାନା ପ୍ରଶଂସାପତ୍ର ମିଳିଲା ।

 

ଏବେ ମିକିମୋଟୋଙ୍କ ଲାଗି କେତେକ ଜାପାନୀ ଲୋକ ମୁକ୍ତା ଚାଷ କରି ପେଟ ପୋଷୁଛନ୍ତି । ବାସ୍ତବିକ୍‍ ଏହା ଦେଶ ଓ ଜାତି ପକ୍ଷରେ ବଡ଼ ଗୌରବର କଥା ।

 

ଆଜିକାଲି କୃତ୍ରିମ ଉପାୟରେ ଶାମୁକାମାନଙ୍କର ପେଟଭିତରକୁ ଯନ୍ତ୍ରଦ୍ୱାରା ବାଲିକଣା ଛଡ଼ାଯାଉଛି ଏବଂ କିଛି କାଳ ଶାମୁକାମାନଙ୍କୁ ପାଳିବା ପରେ ସେମାନଙ୍କ ପେଟ ଭିତରୁ ମୁକ୍ତା ମିଳୁଛି ।

Image

 

ଚକୋଲେଟ୍‍

 

ବଜାରରେ ନାନାପ୍ରକାର ମିଠେଇ ମିଳେ । କିନ୍ତୁ କେତେକ ମିଠେଇ ସୁନ୍ଦର ଜରି କାଗଜରେ ବନ୍ଧା ଯାଇଥାଏ । ଚକୋଲେଟ୍‍ ମିଠେଇ ମଧ୍ୟ କାଗଜ ଭିତରେ ଥାଏ । ପିଲାମାନେ ତାହା ଖାଇବାକୁ ଭାରି ଜିଗର କରନ୍ତି । କାରଣ ତାହା ଯେପରି ସୁସ୍ୱାଦୁ, ସେହିପରି ଲୋଭନୀୟ ମଧ୍ୟ । ଥରେ ଖାଇଲେ ପୁଣି ଖାଇବାକୁ ମନ ବଳେ । ଏହି ମିଠେଇ ବିଷୟରେ ତୁମ୍ଭେ କିଛି କଥା ଜାଣ କି ?

 

‘ଦେବଖାଦ୍ୟ’ କଅଣ ?

 

ଇଉରୋପରେ ଅନେକଗୁଡ଼ିଏ ଦେଶ ଅଛି । ସେଥି ମଧ୍ୟରୁ ସ୍ପେନ ଅନ୍ୟତମ । ଥରେ ହରନାଣ୍ଡୋ କର୍ଟେଜ ନାମକ ଜଣେ ନାବିକ ନୂଆ ଦେଶ ଆବିଷ୍କାର କରିବା ଲାଗି ଜଳପଥରେ ବାହାରିଲେ । ସେ ନିଜ ଦେଶରୁ ବିଦାୟ ଘେନି ବିରାଟ ସମୁଦ୍ର ମଧ୍ୟରେ ଯାଉଁ ଯାଉଁ ମେକ୍‍ସିକୋ ଦେଶରେ ଯାଇ ପହଞ୍ଚିଲେ । ସେହି ଦେଶରେ ଏକ ଜାତିର ଲୋକ ବାସ କରନ୍ତି । ସେମାନେ ଅତି ପୁରୁଣା ଜାତି । ସେମାନଙ୍କର ନାମ ଆଜଟେକ । ଏଇ ଜାତିର ଲୋକେ ଚାହା ପରି ଏକପ୍ରକାର ତରଳ ପଦାର୍ଥ ପିଇବାକୁ ଭାରି ସୁଖ ପାଆନ୍ତି । ସେମାନଙ୍କର ସମ୍ରାଟ ମଣ୍ଟେଜୁମା ଖୁବ୍‍ ବିଳାସୀ ଥିଲେ । ତାଙ୍କ ପିଇବା ଲାଗି ପ୍ରତିଦିନ ଯେଉଁ ତରଳ ପଦାର୍ଥ ଦିଆ ଯାଉଥିଲା, ତାହା ହେଉଛି ଚକୋଲେଟ୍‍ ।

 

ସମ୍ରାଟ ଚକୋଲେଟ୍‍ ବ୍ୟତୀତ ଅନ୍ୟ କିଛି ଜିନିଷ ପିଅନ୍ତି ନାହିଁ । ଗୋଟିଏ ସୁନାର କପରେ ପରିଚାରିକାମାନେ ଥରକୁ ଥର ଚକୋଲେଟ୍‍ ଆଣି ଢାଳି ଦିଅନ୍ତି । ସମ୍ରାଟ ପେଟ ପୂରାଇ ନ ପିଇଲେ ତୃପ୍ତ ହୁଅନ୍ତି ନାହିଁ ।

 

ଏହି ଘଟଣାଟି କର୍ଟେଜ୍‍ ମେକ୍‍ସିକୋରେ ଭ୍ରମଣ କରୁଥିବାବେଳେ ଶୁଣିବାକୁ ପାଇଥିଲେ । ସେ ଇଉରୋପରେ ଚକୋଲେଟ୍‍ ତିଆରି କରିବା ନିମନ୍ତେ କଳ୍ପନା କରି କେତେଗୁଡ଼ିଏ କୋକୋ ସାଙ୍ଗରେ ଘେନି ସ୍ୱଦେଶକୁ ଫେରିଥିଲେ ।

 

କାକାଓ ନାମକ ଗଛର ଫଳରୁ ଯେଉଁ ମଞ୍ଜି ବାହାରେ ତାକୁ କୋକୋ କହନ୍ତି । କୋକୋରୁ ହିଁ ଚକୋଲେଟ୍‍ ତିଆରି କରାଯାଏ ।

 

କର୍ଟେଜ ଯେଉଁ କୋକୋ ମଞ୍ଜି ବିଦେଶରୁ ଆଣିଥିଲେ ସେହି ମଞ୍ଜିରୁ ଚକୋଲେଟ୍‍ ଇଉରୋପର ଲୋକେ ତିଆରି କରିବାକୁ ଚେଷ୍ଟା କଲେ । ସ୍ପେନ ଦେଶର ଲୋକେ ପ୍ରଥମେ ଚକୋଲେଟ୍‍ ସହିତ ଚିନି ମିଶାଇଲେ । ତାହା ବେଶ୍‍ ମଧୁର ଲାଗିଲା ଏବଂ ରୁଚିକର ବୋଧ ହେଲା-

 

ସ୍ପେନ ଲୋକମାନଙ୍କଠାରୁ ଚକୋଲେଟ୍‍ ପିଆ ଦେଖି ଇଟାଲି, ଫ୍ରାନ୍‍ସ ଓ ଜର୍ମାନୀ ଦେଶର ଲୋକେ ମଧ୍ୟ ତାହା ବ୍ୟବହାର କଲେ । ଏଣିକି ଏହି କଥାଟି ଆଉ କାହାରିକୁ ଅଜଣା ରହିଲା ନାହିଁ । ଇଂଲଣ୍ଡର ଲୋକେ ମଧ୍ୟ ତାହା ବ୍ୟବହାର କରି ପରମ ସନ୍ତୋଷ ଲାଭ କଲେ । ଚାହା ଦୋକାନ ପରି ସହର ଓ ବଜାରମାନଙ୍କରେ ଚକୋଲେଟ୍‍ ଦୋକାନ ସବୁ ଖୋଲିଲା । ଲୋକେ ମନ ଇଚ୍ଛାରେ ତାହା କିଣି ପିଇଲେ । ବେଳକୁ ବେଳ ଚକୋଲେଟ୍‍ର ଆଦର ବଢ଼ିବାରୁ ବ୍ୟବସାୟୀମାନେ ବିଶେଷ ଲାଭବାନ୍‍ ହେଲେ ।

 

ଥରେ ଜଣେ ବୈଜ୍ଞାନିକ ପଣ୍ଡିତ କାକାଓ ଗଛକୁ ଦେଖି ଆନନ୍ଦରେ କହି ପକାଇଥିଲେ, ‘‘ଥିଓବ୍ରୋମା, ତୋର ଗୁଣ କି ମହତ୍‍ !’’

 

ସେହି ଥିଓବ୍ରୋମା ଶବ୍ଦର ଅର୍ଥ ହେଉଛି–‘ଦେବଖାଦ୍ୟ’ ।

 

ମିଠେଇ ଗଛ !

 

ଚକୋଲେଟ୍‍ ମିଠେଇ କାକାଓ ଗଛରୁ ପ୍ରସ୍ତୁତ ହୁଏ । ମଧ୍ୟ ଆମେରିକାରେ ଯେଉଁସବୁ ଜଙ୍ଗଲ ଅଛି ତହିଁରେ କାକାଓ ଗଛ ଶାଳ ଗଛ ପରି ଆପେ ଆପେ ଜନ୍ମେ ଓ ବଢ଼େ । ଉଷ୍ଣ ଓ ଆର୍ଦ୍ର ଜଳବାୟୁରେ ଏହି ଗଛର ସଂଖ୍ୟା ଅଧିକ । ଆଜିକାଲି କାକାଓ ଗଛକୁ ଚାଷ କରାଯାଉଅଛି । ଏହା ଲାଭଜନକ ବ୍ୟବସାୟ ବୋଲି ସମସ୍ତେ ଜାଣିଲେଣି । ପଶ୍ଚିମ ଆଫ୍ରିକା, ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ ପ୍ରଭୃତିରେ କାକାଓ ଗଛର ଚାଷ କରାଯାଉଛି । ଏହି ଗଛର ଉଚ୍ଚତା ପ୍ରାୟ ୨୦ ଫୁଟ । ପଚାଶ ବର୍ଷରୁ କୌଣସି ଗଛ ଅଧିକ ବଞ୍ଚିବାର ଦେଖାଯାଏ ନାହିଁ । ଗଛର ଅଧିକ ଯତ୍ନ ନେଲେ ତହିଁରେ ପ୍ରଚୁର ଫଳ ଫଳେ ଓ ତାହା ଦୀର୍ଘ କାଳ ବଞ୍ଚେ । ଗଛର ଗଣ୍ଡି ଓ ଡାଳରେ ଛୋଟ ଗୋଲାପି ଓ ହଳଦିଆ ରଙ୍ଗର ଫୁଲ ଫୁଟେ । ସେହି ଫୁଲରୁ ବଡ଼ ବଡ଼ ଫଳ ହୋଇ ଗଛଯାକ ଝୁଲେ । ସାଧାରଣ ଫଳ ପରି କାକାଓ କଞ୍ଚା ଅବସ୍ଥାରେ ଶାଗୁଆ ବର୍ଣ୍ଣ ଦିଶେ; କିନ୍ତୁ ପାଚିଗଲେ ଖୁବ୍‍ ଲାଲ ଦେଖାଯାଏ ।

Image

କାକାଓ ଗଛରେ ପ୍ରତି ବର୍ଷ ଫଳ ଧରେ ନାହିଁ । ପ୍ରତ୍ୟେକ ତିନି କିମ୍ୱା ଚାରି ବର୍ଷ ପରେ ଫଳ ଧରି ଗଛର ସୌନ୍ଦର୍ଯ୍ୟ ବଢ଼ାଏ । ମଜୁରିଆମାନେ ଗୋଟିଏ ଗୋଟିଏ ବଡ଼ ଛୁରି ଦ୍ୱାରା ଫଳଗୁଡ଼ିକୁ କାଟି ପକାନ୍ତି । ତାହା ପରେ ଫଳଗୁଡ଼ିକୁ ଏକତ୍ର କରି ତହିଁରୁ ମଞ୍ଜି ବାହାର କରନ୍ତି । ପ୍ରତ୍ୟେକ ଫଳରେ ଊଣା ଅଧିକେ ତିରିଶ କିମ୍ୱା ଚାଳିଶଟି ମଞ୍ଜି ଥାଏ ।

 

ଚକୋଲେଟ୍‍ କାରଖାନାରେ ମଞ୍ଜିରୁ ମିଠେଇ ହେଉଛି କିପରି ?

 

ପ୍ରଥମେ କୋକୋ ମଞ୍ଜିକୁ ଏକାଠି କରି କଳ ଚାଲୁଣିରେ ଚଳେଇ ଦିଅନ୍ତି । ସେତିକି ବେଳେ ଚାଲୁଣି ଉପରକୁ ବାହାରୁ ପବନ ଦିଆଯାଏ । ତଦ୍ଦ୍ୱାରା ମଞ୍ଜିରୁ ଅଳିଆ ଅଲଗା ହୋଇଗଲେ ଭାଜିବାକୁ ଉପଯୁକ୍ତ ହୁଏ ।

 

କୋକୋ ମଞ୍ଜି ଭାଜିବାରେ ଯଥେଷ୍ଟ ବାହାଦୁରି ଅଛି । ଯେଉଁ କାରିଗରମାନଙ୍କର ସେ ବିଷୟରେ ଅଭିଜ୍ଞତା ନାହିଁ ସେମାନେ ମଞ୍ଜିଗୁଡ଼ିକୁ ହଠାତ୍‍ ପୋଡ଼ି ଦିଅନ୍ତି । ତେଣୁ ସମୁଦାୟ ଜିନିଷ ନଷ୍ଟ ହୁଏ କିମ୍ୱା ସେହି ପୋଡ଼ା ଜିନିଷରେ ମିଠେଇ ପ୍ରସ୍ତୁତ ହେଲେ ତାହା ରୁଚିକର ହୁଏ ନାହିଁ । କାରିଗରମାନେ ଟିକିଏ ଅସାବଧାନ ହେଲେ କାରଖାନା ମାଲିକର ଢେର କ୍ଷତି ଘଟେ । ମଞ୍ଜି ଭାଜିବା କାରିଗରମାନେ ଅଧିକ ଦରମା ମଧ୍ୟ ପାଆନ୍ତି ।

 

ଗ୍ୟାସ କିମ୍ବା କୋଇଲା ନିଆଁରେ ମଞ୍ଜି ସବୁ ଭଜାଯାଏ । କେତେଗୁଡ଼ିଏ ପିମ୍ପାରେ ମଞ୍ଜି ପୂରାଇ ତାହାର ମୁହଁକୁ ମୁଦି ଦିଅନ୍ତି । ସେହି ପିମ୍ପାଗୁଡ଼ିକ ନିଆଁ ଉପରେ କଳ ସାହାଯ୍ୟରେ ଘୂରେ । ତେଣୁ ମଞ୍ଜି ଆଉ ହଠାତ୍‍ ପୋଡ଼ିଯାଏ ନାହିଁ ।

 

ଭଲ ଭଜା ମଞ୍ଜିରୁ ଚୋପା ସହଜରେ ଛାଡ଼ି ଯାଏ । ପରେ ମଞ୍ଜି ସବୁ ସାନ ସାନ ଖଣ୍ଡରେ ବିଭକ୍ତ ହୋଇ କଳରେ ପେଷା ଯାଏ । କୋକୋ ମଞ୍ଜିକୁ ମଇଦା କିମ୍ୱା ଅଟା ଚୂନା ପରି ଠିକ୍‍ ପେଷା ଯାଏ ନାହିଁ । ପେଷା ମଞ୍ଜିରୁ ତେଲ ବାହାରି ଚୂନା ସହିତ ମିଶେ ଓ ଚୂନାକୁ ବହଳିଆ କରେ ।

 

ଏହା ପରେ ଚୂନା ସହିତ ଚିନି ମିଶାଇ ଦିଅନ୍ତି । ଏହି କାର୍ଯ୍ୟ କଳ ଦ୍ୱାରା କରାଯାଏ ବୋଲି କୋକୋ ଚୂନା ଓ ଚିନି ମଧ୍ୟରେ କୌଣସି ପ୍ରଭେଦ ରହେ ନାହିଁ । ଏଥର ସେହି ଜିନିଷକୁ ଅନ୍ୟ ଏକ କଳକୁ ନିଅନ୍ତି ଓ ସେଠାରେ ଅଟା ଭଳି ଦଳି ହୋଇଗଲେ ଛାଞ୍ଚ ଅନୁସାରେ ଖଣ୍ଡ ଖଣ୍ଡ ଚକୋଲେଟ୍‍ ବାହାରେ । କଳ ଛାଞ୍ଚ ସବୁବେଳେ ହଲୁଥିବା ଯୋଗୁଁ ଚକୋଲେଟ୍‍ ଖଣ୍ଡ ଭିତରେ ବାୟୁର ଫୋଟକା ସୃଷ୍ଟି ହୁଏ ନାହିଁ ।

 

ଦୁଧ ଓ ଚିନି ଚକୋଲେଟ୍‍ର ସ୍ୱାଦୁ ଓ ସୁଗନ୍ଧକୁ ବଢ଼ାଏ । ଚକୋଲେଟ୍‍ ପ୍ରସ୍ତୁତ ହୋଇଗଲେ ସେଗୁଡ଼ିକୁ ସୁନ୍ଦର ଜରି ଦିଆ କାଗଜରେ ଗୁଡ଼ାଇ ବାକ୍ସମାନଙ୍କରେ ରଖନ୍ତି । ଏଥର ତାହା ବିକ୍ରି ହେବା ପାଇଁ ବଜାରକୁ ପଠାଯାଏ ।

Image

 

ପେଟ୍ରୋଲ

 

ରେଲଗାଡ଼ି କୋଇଲା ଓ ପାଣି ଦରକାର କରେ; କିନ୍ତୁ ମଟର କିମ୍ୱା ଉଡ଼ାଜାହାଜ ପେଟ୍ରୋଲ ସାହାଯ୍ୟରେ ଚାଲେ । ଆଜିକାଲି ବହୁ ସଂଖ୍ୟାରେ ମଟରଗାଡ଼ି ଯାତାୟାତ କରୁଛି । ଯଦି ବହୁ ଦୂରରେ ଚଞ୍ଚଳ ପହଞ୍ଚିବାକୁ ଇଚ୍ଛା କରୁଛ, ତେବେ ଉଡ଼ାଜାହାଜରେ ଯାଅ । ତାହାର ଗତି ମଟର ଗାଡ଼ି କିମ୍ୱା ରେଲଗାଡ଼ିଠାରୁ ବହୁ ଗୁଣରେ ଅଧିକ–ଏଥିରେ ସନ୍ଦେହର କୌଣସି କାରଣ ନାହିଁ ।

 

ଏବେ ଲୋକଙ୍କୁ ଦୂରତ୍ୱ ବାଧୁନାହିଁ । ଇଂଲଣ୍ଡ, ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ ପ୍ରଭୃତି ଦେଶକୁ ଯିବାକୁ ହେଲେ ଉଡ଼ାଜାହାଜ ଯଥେଷ୍ଟ ସାହାଯ୍ୟ କରିବ । ଯେଉଁମାନେ ମଟର ଚଳାନ୍ତି, ସେମାନେ ଆଗେ ପେଟ୍ରୋଲ କଥା ଭାବନ୍ତି । ତାହା ଗାଡ଼ିରେ ଅଛି କି ନାହିଁ, ପରୀକ୍ଷା ନ କରି କେହି ଗାଡ଼ି ଚଳାଇବାକୁ ସାହସ କରନ୍ତି ନାହିଁ ।

 

‘ତରଳ ସୁନା’ କ’ଣ ?

 

ପେଟ୍ରୋଲକୁ ଲୋକେ ‘ତରଳ ସୁନା’ କହନ୍ତି । ସୁନା ମୂଲ୍ୟବାନ; କିନ୍ତୁ ପେଟ୍ରୋଲ ଅତି ମୂଲ୍ୟବାନ ନ ହେଲେ ସୁଦ୍ଧା ବିଶେଷ ଦରକାରୀ । ଆଧୁନିକ ଯୁଗରେ ପେଟ୍ରୋଲ କାରବାର ଯଥେଷ୍ଟ ବଢ଼ିଯାଇଅଛି । କୃଷି, ଶିଳ୍ପ, ବାଣିଜ୍ୟ ଇତ୍ୟାଦିର ଉନ୍ନତି ପେଟ୍ରୋଲ ଉପରେ ପ୍ରାୟ ନିର୍ଭର କରେ । ବଡ଼ ବଡ଼ ଯନ୍ତ୍ରପାତି କିରାସିନି ବା ପେଟ୍ରୋଲ ବିନା ଚଳେ ନାହିଁ । ପ୍ରକୃତରେ କହିବାକୁ ଗଲେ, ବ୍ୟବସାୟ ଦୃଷ୍ଟିରୁ ପେଟ୍ରୋଲର ମୂଲ୍ୟ ଖୁବ୍‍ ବେଶୀ ।

 

ଯେଉଁ ଦେଶରେ ଖଣିଜ ସମ୍ପଦ ଅଧିକ, ସେହି ଦେଶ ବିଶେଷ ଧନୀ । ପୃଥିବୀର ବିଭିନ୍ନ ଦେଶରୁ ପେଟ୍ରୋଲ ମିଳୁଅଛି; କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାରୁ ଯେତେ ପରିମାଣରେ ତେଲ ସଂଗୃହୀତ ହେଉଛି, ତାହାର ହିସାବ ଦେଖିଲେ ବାସ୍ତବିକ୍‍ ବଡ଼ ଆଶ୍ଚର୍ଯ୍ୟ ଲାଗେ । ଦୀର୍ଘ ନବେ ବର୍ଷ ହେଲା, ଏହି ରାଜ୍ୟ ଅନ୍ୟ କୌଣସି ରାଜ୍ୟ ଉପରେ ପେଟ୍ରୋଲ ପାଇଁ ନିର୍ଭର କରିନାହିଁ । ଦେଶର ସମସ୍ତ ଚାହିଦା ସେହି ଦେଶ ଏକାକୀ ମେଣ୍ଟାଇ ଦେଇଛି ।

 

ପୃଥିବୀର ଅନ୍ୟ ଦେଶଗୁଡ଼ିକ ଯେଉଁ ପରିମାଣରେ ପେଟ୍ରୋଲ ପାଆନ୍ତି, ତାହା ତୁଳନାରେ ସେମାନଙ୍କର ଖର୍ଚ୍ଚ ଅଳ୍ପ କିମ୍ୱା ବହୁତ ହୁଏ । କେଉଁ ଦେଶ ଗୁଣେ ଆଦାୟ କଲେ, ଦୁଇ ଗୁଣ ଖର୍ଚ୍ଚ କରେ । ଆଉ କେଉଁ ଦେଶ ଆଦାୟ କରିଥିବା ତେଲରୁ ଏକ ଚତୁର୍ଥାଂଶ ସୁଦ୍ଧା ବ୍ୟୟ କରି ପାରେ ନାହିଁ ।

 

ସମୁଦାୟ ଏସିଆ ଖଣ୍ଡରୁ ଯେତେ ତେଲ ମିଳେ, ତହିଁରୁ ଅଧେ ସେହି ଅଞ୍ଚଳରେ ଖର୍ଚ୍ଚ ହୁଏ । ବ୍ରହ୍ମଦେଶ, ପାରସ୍ୟ, ରୋମାନିଆ ଏବଂ ଆମେରିକା ଯୁକ୍ତରାଜ୍ୟରେ ବହୁ ପେଟ୍ରୋଲ ଖଣି ରହିଛି । ତାହା ସେ ଦେଶର ଜାତୀୟ ଆୟକୁ ବୃଦ୍ଧି କରୁଛି ।

 

ଏଡ଼୍‍ଉଇନ୍‍ ଡ୍ରେକ୍‍ ଧନ୍ୟ ହେଲେ କାହିଁକି ?

 

ଆଗେ ମାର୍କୋପୋଲ ନାମରେ ଜଣେ ଲୋକ ଥିଲେ । ତାଙ୍କ ଘର ଭେନିସ୍‍ ସହରରେ-। ଥରେ ସେ କୁବ୍‍ଲା ଖାଁଙ୍କ ରାଜ୍ୟକୁ ଯିବାବେଳେ ବାଟରେ ଏକ ତେଲ ଖଣି ଦେଖିଲେ-। ସେ ଯେଉଁଠାରେ ଖଣିଟିକୁ ଦେଖିଥିଲେ ସେହି ସ୍ଥାନର ନାମ ‘ବାକୁ’ । ମାର୍କୋପୋଲ ତାଙ୍କ ଯାତ୍ରାକାଳରେ ଯାହା ଯେଉଁଠି ଦେଖୁଥିଲେ ଓ ଶୁଣୁଥିଲେ ସେ ସବୁ ସେ ଗୋଟିଏ ଟିପା ଖାତା ବା ଡାଏରୀରେ ଲେଖି ଆଣୁଥିଲେ । ପ୍ରାୟ ସାତ ଶହ ବର୍ଷ ଆଗେ ସେ ବାକୁଠାରେ ଯାହା ଦେଖିଥିଲେ, ତାହା ତାଙ୍କ ଟିପା ଖାତାରୁ ନିମ୍ନରେ ଉଦ୍ଧାର କରାଗଲା । ସେ ଲେଖିଥିଲେ, ‘‘ଗୋଟିଏ ଝରଣାରୁ ଏତେ ତେଲ ପ୍ରଚୁର ପରିମାଣରେ ଝରୁଛି ଯେ, ତାହା ଆଣି ଏକକାଳୀନ ଶହେଟି ଜାହାଜରେ ରଖାଯାଇ ପାରିବ !’’

 

‘‘ଏହି ତେଲ ଖାଦ୍ୟରେ ବ୍ୟବହାର କରିବା ଭଲ ନୁହେଁ; କିନ୍ତୁ ଜାଳିବାକୁ ବେଶ୍‍ ସୁବିଧା-।’’

 

ପଣ୍ଡିତମାନେ ଆଲୋଚନା କରି ଆହୁରି କହିଅଛନ୍ତି ଯେ, ଛଅ ହଜାର ବର୍ଷ ତଳେ ପାରସ୍ୟର ଲୋକେ ପେଟ୍ରୋଲ ତେଲ କଥା ଜାଣିଥିଲେ ଓ ତାହାକୁ ମଧ୍ୟ ନିଜ ନିଜ କାର୍ଯ୍ୟରେ ବ୍ୟବହାର କରୁଥିଲେ ।

 

ଆଗେ ଏହି କିରାସିନି ତେଲକୁ ଲୋକେ ‘କଳା ଓ ଗନ୍ଧିଆ’ ତେଲ କହି ଘୃଣା କରୁଥିଲେ; ମାତ୍ର ଭାରତୀୟମାନେ ପେଟ୍ରୋଲ ତେଲକୁ ଯଖମ ଜାଗାରେ ମାଲିସ୍‍ କରୁଥିଲେ । ତଦ୍ଦ୍ୱାରା ଦେହରୁ ଦରଜ କମି ଯାଉଥିଲା । ବୁଲାବିକାଳୀମାନେ ପେଟ୍ରୋଲକୁ ‘ଭାରତୀୟ ତେଲ’ ବୋଲି ଡାକି ଡାକି ସହର ବଜାରମାନଙ୍କରେ ବିକ୍ରି କରୁଥିଲେ ।

 

ପ୍ରକୃତରେ ସେହି ‘କଳା ଓ ଗନ୍ଧିଆ ତେଲ’ର ଗୁଣ ଭାରତୀୟମାନେ ସେମାନଙ୍କର ଦୈନନ୍ଦିନ ଅନୁଭୂତିରୁ ଶିକ୍ଷା କରିଥିଲେ ।

 

ସେ କାଳରେ ଡ୍ରେକ୍‍ ଏହି ସବୁ ଘଟଣା ଅବଶ୍ୟ କାହାରିଠାରୁ ଶୁଣିବାକୁ ପାଇଥିବେ । ତାଙ୍କ ଦ୍ୱାରା ଲୋକମାନଙ୍କର କିଭଳି ଉପକାର ଘଟିଲା, ତାହା ଶୁଣ ।

 

ପ୍ରାୟ ଦେଢ଼ ଶହ ବର୍ଷ ହେଲା କିରାସିନି କୂଅ କଥା ଜଣା ଯାଇଛି । କୂଅ ସବୁ ଖୋଳା ହେବା ପରେ ବିଭିନ୍ନ ତେଲ କମ୍ପାନୀ ନାନା ସ୍ଥାନରେ ପ୍ରତିଷ୍ଠା କରାଗଲା । କିରାସିନିରୁ କିପରି ନୂଆ ନୂଆ ଜିନିଷ ପ୍ରସ୍ତୁତ ହୋଇ ପାରିବ, ସେହି କଥା ବହୁ ଲୋକ ଚିନ୍ତା କଲେ । ଶେଷକୁ ଜଣେ ଅଧ୍ୟାପକ ପେଟ୍ରୋଲର ଗୁଣ ଜଗତକୁ ଜଣାଇଥିଲେ । ତାଙ୍କ ନାମ ହେଉଛି–ଡ୍ରେକ୍‍ । ସେ ଓ ଆହୁରି ଜଣେ ଲୋକ ମିଳି ଗୋଟିଏ ସ୍ଥାନ ବାଛିଲେ । ସେହି ସ୍ଥାନଟି ପାହାଡ଼ ଥିଲା । ପ୍ରଥମେ ସେମାନେ ପାହାଡ଼କୁ ଭାଙ୍ଗି ୩୬ ଫୁଟ ପର୍ଯ୍ୟନ୍ତ ଗାତ ଖୋଳିଲେ । ଏଥର ଗୋଟିଏ ଯନ୍ତ୍ର ସାହାଯ୍ୟରେ ଭୂଇଁକୁ ଫୁଟାଇଲେ । ସେହି ଯନ୍ତ୍ରଟିର ଇଂରେଜୀ ନାମ ଡ୍ରିଲର । ମାଟି ତଳେ ଡ୍ରିଲର ପଶି ପଶି ଯାଏ ଓ ଭୂଇଁ ତଳୁ କାଦୁଅ, ମାଟି, ପାଣି ଇତ୍ୟାଦି ବାହାରିଆସେ ।

 

ଡ୍ରେକ୍‍ ଅତି ସୁବିଧାରେ ଭୂଇଁ ତଳୁ ତେଲ ଦେଖିବାକୁ ପାଇଲେ । ତାହା ଦେଖି ସେ ଓ ତାଙ୍କର ସହକର୍ମୀ ବନ୍ଧୁ ବିଶେଷ ଆନନ୍ଦିତ ହେଲେ । ସେମାନେ ଧନ୍ୟ ହୋଇଅଛନ୍ତି ବୋଲି ମନରେ ଗର୍ବ ଅନୁଭବ କଲେ ।

 

ମାଟିତଳେ ପେଟ୍ରୋଲ ସମୁଦ୍ର

 

କିରାସିନିକୁ ବେଶି ପରିଷ୍କାର ଓ ପତଳା କଲେ ତହିଁରୁ ସ୍ପିରିଟ୍‍, ପେଟ୍ରୋଲ, ତାରପିନ୍‍ ଆଦି ତେଲ ମିଳେ । ମାଟି ତଳେ ଏତେ କିରାସିନି କିପରି ରହିଛି ତାହା ଭାବିଲେ ବଡ଼ ବିସ୍ମୟ ଲାଗେ । ମାଟି ତଳେ ସମୁଦ୍ର ପରି କିରାସିନି ଥାଏ, କିନ୍ତୁ ତାହା ଏକ ସ୍ତରରେ ଥାଏ । କୂଅଟିଏ ଖୋଳାଗଲେ ପାଣି ଦଶ ହାତ କିମ୍ୱା ବାର ହାତରେ ପଡ଼ୁଛି । ଆଉ କେଉଁଠାରେ ପନ୍ଦର ହାତରୁ ଅଧିକ ବି ବଳି ଯାଉଛି । ଏହାର କାରଣ କ’ଣ ଜାଣ ? ମାଟି ଭିତରେ ପାଣିର ସ୍ତର ସବୁ ସ୍ଥାନରେ ସମାନ ନାହିଁ । ଭୂଇଁ ତଳକୁ ତଳ ଖୋଳିଗଲେ ଅନେକ ପ୍ରକାର ଦେଖିବାକୁ ମିଳେ । କିରାସିନି ତେଲ ଯେଉଁ ସ୍ତରରେ ଥାଏ, ତାହା ଉପରୁ ଚୂନପଥର ମିଳେ । ସେହି ଚୂନପଥରକୁ ପରୀକ୍ଷା କରି ପଣ୍ଡିତମାନେ ଗୋଟିଏ ଅଦ୍ଭୁତ କଥା କହନ୍ତି । ସେମାନଙ୍କ ମତରେ ଏଇ ପୃଥିବୀରେ କୋଟି କୋଟି ବର୍ଷ ହେଲା ଯେତେ ଜୀବଜନ୍ତୁ ମରୁଛନ୍ତି ସେମାନଙ୍କର ହାଡ଼ ଜମି ରହି ସେଥିରୁ ଚୂନ ସୃଷ୍ଟି ହେଉଛି-। ଏହା ଶୁଣିଲେ ତୁମକୁ ଆଚମ୍ୱିତ ଲାଗୁ ନାହିଁ କି ?

 

କିରାସିନି ସ୍ତର ଉପରେ ମଧ୍ୟ ଏକପ୍ରକାର ଗ୍ୟାସ୍‍ ସ୍ତର ରହିଛି । ଡ୍ରିଲର ଦ୍ୱାରା ତାହାକୁ ପ୍ରଥମେ ପଦାକୁ କାଢ଼ି ଆଣିବାକୁ ପଡ଼େ । ଏଣିକି ଭୂଇଁ ତଳକୁ ଲୁହାର ବଡ଼ ବଡ଼ ପାଇପ୍‍ ଖଞ୍ଜି ଦିଅନ୍ତି । କିରାସିନି ଭୂଇଁ ଉପରକୁ ଆସିବାବେଳେ ତେଲ ସହିତ କାଦୁଅ, ପାଣି ମଧ୍ୟ ମିଶି ଥାଏ ।

 

ଲୋକେ କାଦୁଅ ମିଶା ତେଲକୁ ଯନ୍ତ୍ର ଦ୍ୱାରା ପରିଷ୍କାର କରନ୍ତି । ଆଗେ ଭୂଇଁକୁ କୂଅ ପରି ଖୋଳି ତହିଁରୁ ତେଲ ବାହାର କରୁଥିଲେ । ତାହା ପାଣି କୂଅ ଅପେକ୍ଷା ଅଧିକ ଚଉଡ଼ା ଓ ଗଭୀର ଥିଲା । ବର୍ତ୍ତମାନ ଭୂଇଁରେ ସୁଡ଼ଙ୍ଗ କରି ତାହା ନିକଟରେ ଗୋଟିଏ ବଡ଼ ଘର ତୋଳୁଛନ୍ତି ଓ ସେହି ଘରେ ମାଟି ଭିତରକୁ ଗାତ କରି କଳ ବସାଉଅଛନ୍ତି ।

 

ଏବେ ପନ୍ଦର ହଜାର ଫୁଟ ତଳୁ ତେଲ ଭୂଇଁ ଉପରକୁ ଆସୁଅଛି । ଏତେ ଗଭୀରକୁ ଗାତ କରିବା ଓ ତେଲ ବାହାର କରିବା କମ୍‍ କଷ୍ଟ ନୁହେଁ । ସେଥିଲାଗି କମ୍ପାନୀକୁ ବହୁ ଅର୍ଥ ବ୍ୟୟ କରିବାକୁ ପଡ଼େ ।

 

ପୃଥିବୀ ତଳୁ ନିତି ଲକ୍ଷ ଲକ୍ଷ ଗ୍ୟାଲନର କିରାସିନି କଢ଼ା ଯାଉଛି । ତାହା ଭାବିଲେ ମନେହୁଏ ମାଟି ତଳେ କେତେ ବଡ଼ ତେଲ ସମୁଦ୍ର ରହି ନାହିଁ ସତେ ! ସେହି ସମୁଦ୍ର କେବେ ଶୁଖିବ କେଜାଣି ? ଭଗବାନଙ୍କର ସୃଷ୍ଟି କି ବିଚିତ୍ର !

Image

 

ରବର

 

ଦଳେ ଛୋଟ ପିଲା ଖେଳ ପଡ଼ିଆରେ ହୋ ହୋ ହୋଇ ଦଉଡ଼ୁଛନ୍ତି । ଗୋଲା ଜିନିଷଟାଏ ତଳୁ ବହୁ ଉଚ୍ଚକୁ ଉଠୁଥିବା ବେଳେ ସେମାନେ ତାଳି ମାରି ଖୁସି ହେଉଛନ୍ତି । ତାହା ତଳକୁ ଆସିବା କ୍ଷଣି ଜଣେ ଖେଳାଳୀ ଗୋଡ଼ରେ ମାରି ପୁଣି ଫିଙ୍ଗୁଛି । ଚଢ଼େଇ ପରି ତାହା ଏଣେତେଣେ ଧାଇଁଛି । ସେହି ଖେଳନାଟି ପେଣ୍ଡୁ ବୋଲି ତୁମେ ଅନୁମାନ କରୁଥିବ । ନୁହେଁ କି ?

 

ବଡ଼ ବଡ଼ ସ୍କୁଲ ପିଲାମାନେ ଗୋଡ଼ରେ ଗୋଇଠା ମାରି ଯେଉଁ ପେଣ୍ଡୁକୁ ଖେଳନ୍ତି, ତାହାକୁ ଇଂରେଜୀରେ ଫୁଟ୍‍ବଲ କହନ୍ତି । ଫୁଟ୍‍ବଲ ଭିତରେ ବ୍ଳାଡ଼ର ଥାଏ । ପବନ ସେହି ବ୍ଳାଡ଼ରକୁ ଫୁଲାଇ ରଖେ । ଫୁଟ୍‍ବଲକୁ ଗୋଡ଼ କିମ୍ୱା ହାତରେ ଫିଙ୍ଗିଲେ ତାହା ତଳେ ପଡ଼ି ଉପରକୁ ଉଠେ ।

 

ମନେକର ତୁମେ ଶ୍ରେଣୀରେ ବସି ଡ୍ରଇଁ କରୁଛ । ଡ୍ରଇଁ ଖାତାରେ ପେନ୍‍ସିଲ୍‍ ଗାର ବଙ୍କା ପଡ଼ିଗଲା । ସେହି ଗାରକୁ ଲିଭାଇବା ତା ନିହାତି ଦରକାର । ତେବେ ଲିଭାଇବ କିପରି ? ଖଣ୍ଡେ ରବର ଏଥିପାଇଁ ଲୋଡ଼ା । ରବର ଖଣ୍ଡିକ ନ ଥିଲେ ଡ୍ରଇଁ ଖାତାରୁ ପେନ୍‍ସିଲ୍‍ ଦାଗ ଲିଭାନ୍ତା ଆଉ କିଏ ?

 

ସାଇକଲ, ମଟର ଇତ୍ୟାଦିରେ ରବର ତିଆରି ଚକ ରହିଛି । ତଦ୍ଦ୍ୱାରା ଯାନଗୁଡ଼ିକ ରାସ୍ତା ଉପରେ ସୁବିଧାରେ ଗଡ଼ି ଯାଉଛି । ଧଡ଼୍‍ ଧଡ଼୍‍ ହେଉନାହିଁ । ରବର ଏ ଯୁଗରେ ମଣିଷର ସୁଖ ଓ ସ୍ୱାଚ୍ଛନ୍ଦ୍ୟରେ ନାନାପ୍ରକାରେ ସାହାଯ୍ୟ କରୁଛି ।

 

କେବଳ ଏତିକି ନୁହେଁ, ଆହୁରି ଅନେକ କାର୍ଯ୍ୟ ରବର ଦ୍ୱାରା ହେଉଛି । ବର୍ଷାବେଳେ ଯେଉଁ ବର୍ଷାତି ବ୍ୟବହାର କରାଯାଏ, ତାହା କେଉଁ ଜିନିଷରେ ତିଆରି ? ରବରରେ ନୁହେଁ କି ?

 

ମା’ ଛୋଟ ଛୁଆକୁ ରବର-କନାରେ ଶୁଆଇ ଦିଏ । ତହିଁରେ ପିଲାଟି ମଳ ମୂତ୍ର ତ୍ୟାଗ କରେ; କିନ୍ତୁ ତାହା ପରିଷ୍କାର କରିବା ଲାଗି ବିଶେଷ ଅସୁବିଧା ପଡ଼େ ନାହିଁ । କିଏ କିପରି ରବରକୁ ଆବିଷ୍କାର କଲେ ତାହା ଶୁଣ ।

 

ଅଠାଗଛରୁ ରବର ପେଣ୍ଡୁ

 

ରବର ଅତି ପୁରୁଣା । କେତେକ ପଣ୍ଡିତ ପ୍ରମାଣ ପାଇ କହନ୍ତି ଯେ, ହଜାର ହଜାର ବର୍ଷ ଆଗେ ରବର ଭଳି ଏକ ଜାତୀୟ ଗଛ ଥିଲା । ପ୍ରାୟ ପାଞ୍ଚ ଶହ ବର୍ଷ ପୂର୍ବେ କଲମ୍ୱସ୍‍ ନାମକ ଜଣେ ଲୋକ ଥିଲେ । ତାଙ୍କ ଘର ଇଟାଲୀ ରାଜ୍ୟର ଜେନୋଆ ସହରରେ । ପିଲାଟି ଦିନରୁ ସେ ନାବିକମାନଙ୍କଠାରୁ ଦୂରଦେଶର କାହାଣୀ ଶୁଣୁଥିଲେ । ସେ ଭାରତବର୍ଷ ଆବିଷ୍କାର କରିବା ଲାଗି ଜଳଯାତ୍ରା କରିଥିଲେ । ସେ ଦ୍ୱିତୀୟ ଜଳଯାତ୍ରା କାଳରେ ହେଇଟି ନାମକ ଏକ ଦ୍ୱୀପରେ ଦୈବାତ୍‍ ପହଞ୍ଚି ଦେଖିଲେ ଯେ, କେତେକ ହେଇଟିବାସୀ ପଡ଼ିଆରେ ଖେଳୁଛନ୍ତି । ଗୋଟାଏ ଜିନିଷ ଭୂଇଁରୁ ଉପରକୁ ଉଠି ପୁଣି ସେହି ଭୂଇଁରେ ଆସି ପଡ଼ୁଅଛି । ତାହା ଦେଖି କଲମ୍ୱସ୍‍ ଖୁବ୍‍ ବିସ୍ମିତ ହେଲେ । ତାଙ୍କୁ ଏ ଦୃଶ୍ୟଟି ନୂଆ ପରି ବୋଧ ହେଲା । ସେ ନିଜେ ଖେଳପଡ଼ିଆକୁ ଯାଇ ସବୁ ଲକ୍ଷ୍ୟ କଲେ ।

 

ସେ ଦେଖିଲେ ଜଣେ ଖେଳାଳୀ ପ୍ରଥମେ ଗୋଟିଏ ଗୋଲିଆ ଜିନିଷକୁ ଗୋଡ଼ରେ ଫିଙ୍ଗୁଅଛି । ତାହା ଉପରକୁ ଉଠି ପୁଣି ତଳେ ପଡ଼ୁଛି । ଟେକାଟିଏ ଫିଙ୍ଗିଲେ ତାହା ଉଚ୍ଚକୁ ଉଠେ, କିନ୍ତୁ ତଳେ ପଡ଼ିଲେ ପୁଣି ଆଉ ଥରେ ଉଠେ ନାହିଁ । କିନ୍ତୁ ଏହି ଖେଳନାଟି ଭୂଇଁରେ ପଡ଼ି ଦୁଇ ଚାରି ଥର ଡେଉଁଥିଲା । ସେହି ଘଟଣାଟି କଲମ୍ୱସ୍‍ କଦାପି ମନରୁ ଭୁଲିଯାଇ ନ ଥିଲେ । ସେ ତାଙ୍କ ଭ୍ରମଣ କାହାଣୀ ଲେଖିବାବେଳେ ଠିକ୍‍ ଏହି କଥାଟି ଉଲ୍ଲେଖ କରିଛନ୍ତି ।

 

କଲମ୍ବସ୍‍ ହେଇଟି ଦ୍ୱୀପରେ ଯେଉଁ ଖେଳନାଟି ଦେଖିଲେ ତାହା ହେଉଛି ରବର ପେଣ୍ଡୁ-

 

୧୫୨୦ ଖ୍ରୀଷ୍ଟାବ୍ଦରେ ମଣ୍ଟେଜୁମା ନାମକ ଜଣେ ସମ୍ରାଟ୍‍ ଆମେରିକାର କେତେକ ସୈନ୍ୟଙ୍କୁ ଖେଳିବା ନିମନ୍ତେ ଗୋଟିଏ ସୁନ୍ଦର ଖେଳନା ଯୋଗାଇ ଦେଇଥିଲେ । ସେହି ଖେଳନାକୁ ତଳେ ପିଟିଲେ ତାହା ଉଠୁଥିଲା ଏବଂ ପୁଣି ତଳେ ପଡ଼ୁଥିଲା । ସ୍ପେନ୍‍ ଦେଶର ଜଣେ ଐତିହାସିକ ପଣ୍ଡିତ ପେଣ୍ଡୁ ବିଷୟରେ ଲେଖିଛନ୍ତି–

 

‘‘ପେଣ୍ଡୁ ଗୋଟିଏ ଗଛର ଅଠାରୁ ପ୍ରସ୍ତୁତ ହୁଏ । ତାହା ଗ୍ରୀଷ୍ମପ୍ରଧାନ ଦେଶରେ ଦେଖିବାକୁ ମିଳେ । ଗଛର ଏକ ଅଂଶରେ କେତେକ ଥର ହାଣିଲେ ତହିଁରୁ ଏକପ୍ରକାର ଧଳା ରସ ଝରେ । ପରେ ସେହି ରସ ପିଚୁ ପରି କଳା ଦିଶେ । ଗଛର ଅଠାରୁ ଯେଉଁ ପେଣ୍ଡୁ ପ୍ରସ୍ତୁତ ହୁଏ, ତାହା ଭାରି ଓଜନ । ଆମ ଦେଶର ଫୁଟ୍‍ବଲ ପରି ତାହା ଉଠୁଥିଲା ଓ ପଡ଼ୁଥିଲା ।’’

 

୧୭୩୬ ଖ୍ରୀଷ୍ଟାବ୍ଦରେ ଜଣେ ଫରାସୀ ବୈଜ୍ଞାନିକ ପଣ୍ଡିତ ଦକ୍ଷିଣ ଆମେରିକା ଯାତ୍ରା କରିଥିଲେ । ସେଠାରେ ସେ ନାନାପ୍ରକାର ସୁନ୍ଦର ପୋଷାକ ଦେଖି ବୁଝିଲେ ଯେ, ସେଗୁଡ଼ିକ ରବରରେ ତିଆରି ହୋଇଛି । ଲୋକେ ବର୍ଷା ସମୟରେ ଖଣ୍ଡେ ଲେଖାଏଁ ରବର ମୁଣ୍ଡରେ ଦେଉଛନ୍ତି । ତଦ୍ଦ୍ୱାରା ମୁଣ୍ଡ ଆଦୌ ଓଦା ହେଉ ନାହିଁ । ପାଣି କାଦୁଅରୁ ରକ୍ଷା ପାଇବା ନିମନ୍ତେ ଲୋକେ ଗୋଡ଼ରେ ଯୋତା ପିନ୍ଧୁଛନ୍ତି । ତାହା ମଧ୍ୟ ସେହି ରବରରୁ ତିଆରି ।

 

ଏହା ପରେ ଇଂଲଣ୍ଡର ଜଣେ ପଣ୍ଡିତ ଏକ ନୂଆ କଥା ଲୋକଙ୍କୁ ଜଣାଇଲେ । ସେ କହିଲେ, ‘‘ଏଇ ରବର ଦ୍ୱାରା କାଗଜ ଉପରୁ ପେନ୍‍ସିଲ୍‍ ଦାଗ ନିଶ୍ଚୟ ଲିଭିଯିବ । ଯେଉଁମାନେ ଚିତ୍ର ଅଙ୍କନ କରନ୍ତି, ସେମାନଙ୍କୁ ପ୍ରକୃତରେ ଏହା ବିଶେଷ ସାହାଯ୍ୟ କରିବ ।’’

 

ସେହିଦିନଠାରୁ ରବର ଦ୍ୱାରା ପେନ୍‍ସିଲ୍‍ ଦାଗ, ଏପରିକି କାଳି ଦାଗ ମଧ୍ୟ ଲିଭି ଯାଉଛି-

 

ଏହା ପରେ ରବରକୁ ଲୋକେ ଖୁବ୍‍ ଆଦର କଲେ । ଆଗେ ଅଧ ଇଞ୍ଚେ ରବରର ମୂଲ୍ୟ ତିନି ଶିଲିଙ୍ଗ୍ ଥିଲା । ରବରର ଅନ୍ୟ ନାମ ଏବେ ମଧ୍ୟ ‘ଇଣ୍ଡିଆ ରବର’ ରହିଛି ।

 

ପୂର୍ବରୁ କୁହାଯାଇଛି ଯେ, କଲମ୍ୱସ୍‍ ଭାରତ ଆବିଷ୍କାର କରିବାକୁ ଉଦ୍ୟମ କରିଥିଲେ; ମାତ୍ର ଦୁର୍ଭାଗ୍ୟକୁ ସେ ଭାରତରେ ନ ପହଞ୍ଚି ଆମେରିକାରେ ପହଞ୍ଚିଲେ । ସେ ଯେଉଁ ଦ୍ୱୀପପୁଞ୍ଜରେ ଓହ୍ଲାଇଲେ ତାହାକୁ ଭାରତ ବୋଲି ଭାବିଥିଲେ । ସେଠା ବାସିନ୍ଦାଙ୍କୁ ‘ଲୋହିତ ଭାରତୀୟ’ କୁହାଯାଉଛି ।

 

ଟମାସ୍‍ ହାନ କକ୍‍ କିଏ ଓ ସେ କ’ଣ କଲେ ?

 

ରବର ଆବିଷ୍କୃତ ହେବାର ପଚାଶ ବର୍ଷ ପରେ ଇଂଲଣ୍ଡକୁ ତାହା ଆସିଲା । ଏ ଦେଶର ଜଣେ ଧନୀ ବ୍ୟବସାୟୀ ପ୍ରଥମେ ରବରକୁ କାର୍ଯ୍ୟରେ ବ୍ୟବହାର କରିବା ଲାଗି ଚିନ୍ତା କଲେ । ତାଙ୍କ ନାମ–ଟମାସ୍‍ ହାନ୍‍ କକ୍‍ ।

 

ସେ କାଳରେ ଇଂଲଣ୍ଡରେ ଲୋକେ ଘୋଡ଼ାଟଣା ଗାଡ଼ିରେ ଯାତାୟାତ କରୁଥିଲେ । ଇଂଲଣ୍ଡର ରାଣୀ ଭିକ୍ଟୋରିଆ ମଧ୍ୟ ଘୋଡ଼ାଗାଡ଼ିରେ ବୁଲୁଥିଲେ । କିନ୍ତୁ ଟମାସ୍‍ ରବର ଚକ କରି ପ୍ରଥମେ ତାଙ୍କରି ଗାଡ଼ିରେ ବ୍ୟବହାର କରିବାକୁ ଦେଲେ । କିଛି ଦିନ ପରେ ଅନ୍ୟ ଲୋକେ ତାହା କାରବାର କଲେ । ଏଣିକି ରବର ପୋଷାକ ମଧ୍ୟ ଇଂଲଣ୍ଡରେ ମିଳିଲା । ସେହି ପୋଷାକର ଗୋଟିଏ ଭଲ ଗୁଣ ଥିଲା । ତାହାକୁ ପିନ୍ଧିଲେ ଦେହ ଓଦା ହେଉ ନ ଥିଲା, କିନ୍ତୁ ଥଣ୍ଡା ପାଇଲେ ରବର ଏତେ ଟାଣ ହେଉଥିଲା ଯେ, ତାହା ନୁଆଁଇବାକୁ କଷ୍ଟ ଲାଗୁଥିଲା । ପୁଣି ଟାଣ ଖରାରେ ତାହା ଆପେ ଆପେ ନରମି ଯାଉଥିଲା । ବେଳେ ବେଳେ ସମୁଦାୟ ପୋଷାକଟି କାଦୁଅ ପିଣ୍ଡୁଳା ପରି ମେଞ୍ଚାଟାଏ ହୋଇ ଯାଉଥିଲା; ତେଣୁ ରବର ପୋଷାକର ଦୁର୍ଗୁଣ ଦେଖି ଲୋକେ ରବର ପ୍ରତି ବିଶେଷ ଆଗ୍ରହ କରୁ ନ ଥିଲେ ।

 

ରବରକୁ କିପରି ନୂଆ ରୂପ ଦିଆଗଲା ?

 

ମଣିଷ ତ ବଡ଼ ବୁଦ୍ଧିମାନ୍‍ । ସେ କଅଣ ଗ୍ରାହକକୁ ଖୁସି ନ କରାଇ ଛାଡ଼ିଦେବ ?

 

ଆଜିକାଲି ବଜାରରେ ଡନ୍‍ଲପ୍‍ ଟାୟାର, ଟିଉବ୍‍ ଇତ୍ୟାଦି ବିକ୍ରୟ ହେଉଛି । ଜେ.ବି. ଡନ୍‍ଲପ୍‍ଙ୍କ ନାମ ଅନୁସାରେ ବିଭିନ୍ନ ରବର ଜିନିଷ ପ୍ରସ୍ତୁତ । ଡନ୍‍ଲପ୍‍ ଜଣେ ଇଂରେଜ ସାହେବ । ସେ ସର୍ଜନ ଥିଲେ ମଧ୍ୟ ତାଙ୍କର ବିଜ୍ଞାନ ପ୍ରତି ଯଥେଷ୍ଟ ମନ ଥିଲା । ସେ ଅନେକ ଥର ପରୀକ୍ଷା କରିବା ପରେ ମଟର, ସାଇକେଲ ଇତ୍ୟାଦି ପାଇଁ ରବର ଜିନିଷ ତିଆରି କଲେ । ତାହା ମଜଭୁତ୍‍ ହେବାରୁ ଲୋକେ ସେହି ଜିନିଷକୁ ଭାରି ପସନ୍ଦ କଲେ ।

 

ଏଥର ଉଇକ୍‍ହ୍ୟାମ୍‍ ନାମରେ ଜଣେ ଲୋକ ରବର ଚାଷ କରି ଧନୀ ହେବାକୁ ଇଚ୍ଛା କଲେ । ମାତ୍ର ମଞ୍ଜି ତାଙ୍କୁ ମିଳିବ କିପରି ?

 

ଚାରିଆଡ଼େ ବୁଲି ଉଇକ୍‍ହ୍ୟାମ୍‍ ବ୍ରାଜିଲରେ ପହଞ୍ଚିଲେ । ସେଠାରେ ଅନେକ ରବର ଗଛ ଥିବାରୁ ସେ ସହଜରେ କିଛି ମଞ୍ଜି ଧରି ଇଂଲଣ୍ଡକୁ ଫେରିଲେ । ତାଙ୍କ ଫେରିବା ଦିନଟି ରବର ଇତିହାସରେ ଯେପରି ଗୌରବମୟ, ଇଂଲଣ୍ଡ ପକ୍ଷରେ ମଧ୍ୟ ସେହିପରି ।

 

ଇଉକ୍‍ହ୍ୟାମ୍‍ଙ୍କୁ ପାଛୋଟି ନେବା ଲାଗି ଗୋଟିଏ ସ୍ୱତନ୍ତ୍ର ରେଲଗାଡ଼ି ଆସିଥାଏ । ବହୁ ଦର୍ଶକ ମଧ୍ୟ ତାହା ଦେଖିବା ଲାଗି ମନକୁ ଯାଇ ରୁଣ୍ଡ ହୋଇଥାନ୍ତି ।

 

ରବର ଗଛ ତ ଇଂଲଣ୍ଡ ଜଳବାୟୁରେ ବଢ଼ିବ ନାହିଁ । ତେଣୁ ଦୁଇ ହଜାର ଚାରା ଗଛ ଜାହାଜରେ ବୋଝାଇ ହୋଇ ବିଭିନ୍ନ ସ୍ଥାନକୁ ପଠାଗଲା ।

 

ସିଂହଳ, ମାଳୟ, ଯାଭା, ବୋର୍ଣ୍ଣିଓ, ସିଙ୍ଗାପୁର ପ୍ରଭୃତି ଦ୍ୱୀପରେ ସେହି ଗଛ ସବୁ ରୋପଣ କରାଗଲା । ଭାରତବର୍ଷକୁ ରବର ଗଛ ଆସିବା ଶହେ ବର୍ଷ ବି ହୋଇ ନାହିଁ । ଏବେ ଏହି ଚାଷ ବହୁ ପରିମାଣରେ କରାଯାଉଛି । ଦେଶର ନାନା ସ୍ଥାନରେ ରବର କାରଖାନା ରହିଛି । ସେଥି ମଧ୍ୟରୁ ଅଧିକାଂଶ ଦକ୍ଷିଣ ଭାରତରେ ଅବସ୍ଥିତ ।

 

ରବର ଗଛ ଓ ତାହାର ରସ

 

ରବର ଗଛର ଉଚ୍ଚତା ପ୍ରାୟ ଖୁବ୍‍ ବେଶିରେ ତିରିଶଠାରୁ ଷାଠିଏ ଫୁଟ । ବଡ଼ ବଡ଼ ଦେବଦାରୁ ଗଛ ପରି ତାହା ମୁଣ୍ଡ ଟେକି ଆକାଶକୁ ରହିଥାଏ । ଏହି ଗଛର ବକଳାକୁ ହାଣିଲେ ତହିଁରୁ ରସ ଝରେ । ତାହା ଦୁଧ ପରି ଧଳା ଦିଶେ; ମାତ୍ର ସେହି ଧଳା ରସ ପରେ ପିଚୁ ପରି କଳାବର୍ଣ୍ଣ ହୁଏ ।

Image

ରବର ଗଛରୁ ରସ ସଂଗ୍ରହ

 

ମୂଳଠାରୁ ପ୍ରାୟ ତିନି ଫୁଟ ଉଚ୍ଚରେ ରବର ଗଛକୁ ଦାଗି ଦିଅନ୍ତି । ବକଳାରୁ ରସ ଝରେ ଓ ଗଛକୁ ସେଥିପାଇଁ ବିଶେଷ ବାଧେ ନାହିଁ । ଖଜୁରି ଗଛ ପରି ରବର ଗଛରୁ ରସ ଝରେ । ରସରେ ଶତକଡ଼ା ପ୍ରାୟ ୩୦ ଭାଗରୁ ୪୫ ଭାଗ ରବର ଥାଏ । ଅନ୍ୟାନ୍ୟ ଉପାଦାନ ମଧ୍ୟ ଥାଏ ।

 

କଟାଳିମାନେ ଖୁବ୍‍ ସାବଧାନରେ ଗଛର ବକଳାକୁ କାଟନ୍ତି । ଟିକିଏ ଅସାବଧାନ ହେଲେ ଗଛର ମଞ୍ଜ ବାଧା ପାଏ ।

 

ସକାଳୁ ଗଛ କଟାଳିମାନେ କାମକୁ ଆସନ୍ତି । ଥଣ୍ଡା ସମୟରେ ଗଛ କାଟିଲେ ତହିଁରୁ ଅଧିକ ରସ ମିଳେ । ଟିକିଏ ଟାଣ ଖରା ହେଲେ ବେଶି ରସ ଝରେ ନାହିଁ ।

 

ଗଛରେ ଚୋଟ ଦେବାକ୍ଷଣି ରସ ଥପ୍‍ ଥପ୍‍ ଝରିବାକୁ ଆରମ୍ଭ କରେ । ହାଣିବା ପୂର୍ବରୁ କୌଣସି ପାତ୍ର ସଜାଡ଼ି ରଖି ନ ଥିଲେ, ରସ ତଳେ ନଷ୍ଟ ହୋଇଯାଏ । ଅଳ୍ପ ସମୟ ମଧ୍ୟରେ ବହୁତ ରସ ଗଛରୁ ଝରେ । ପ୍ରତି ସେକେଣ୍ଡରେ ପ୍ରାୟ ୧/୨ ଟୋପା ନିଗିଡ଼ି ପଡ଼େ ।

 

ବର୍ଷର ପ୍ରତ୍ୟେକ ଋତୁରେ ସମାନ ରସ ଝରେ ନାହିଁ । ଗ୍ରୀଷ୍ମଋତୁ ଅପେକ୍ଷା ଶୀତ କିମ୍ୱା ବର୍ଷାଋତୁରେ ଅଧିକ ରସ ମିଳେ । ଗଛର ଅବସ୍ଥା ଉପରେ ରସର ପରିମାଣ ସବୁବେଳେ ନିର୍ଭର କରେ ।

 

ପ୍ରଥମେ ଗୋଟିଏ ବଡ଼ ପାତ୍ରରେ ରବର ରସକୁ ରଖାଯାଏ । ତା’ପରେ ଏଥିରେ ରାସାୟନିକ ଦ୍ରବ୍ୟ ମିଶାଇ ଏହାକୁ ତରଳ ଅବସ୍ଥାରେ ରବର କାରଖାନାକୁ ପଠାଯାଏ । ଅନ୍ୟ ଏକ ରାସାୟନିକ ଉପାୟଦ୍ୱାରା ଏହାକୁ ମଧ୍ୟ ଶୁଖିବା ଅବସ୍ଥାରେ କାରଖାନାକୁ ପଠାଯାଏ ।

 

ବର୍ତ୍ତମାନ ସୁଦ୍ଧା ଏ ରବର ଆମ୍ଭର କିଛି କାମରେ ଲାଗନ୍ତା ନାହିଁ । ବିଭିନ୍ନ ଋତୁରେ ଏହାର ଅବସ୍ଥା ବଦଳନ୍ତା । କିନ୍ତୁ ଗନ୍ଧକ, ଆବଶ୍ୟକ ଅନୁସାରେ ଉତ୍ତାପ ଏବଂ ଅନ୍ୟାନ୍ୟ ରାସାୟନିକ ଉପାୟ ସାହାଯ୍ୟରେ କାରଖାନାରେ ରବରକୁ ସ୍ଥାୟୀ କାର୍ଯ୍ୟକାରୀ ଅବସ୍ଥାକୁ ଅଣାଯାଏ ।

Image

 

ପଥର କୋଇଲା

 

‘ରେଲଗାଡ଼ି ଚାଲିବା ଲାଗି କି କି ଜିନିଷ ଦରକାର ?’–ଏହି ପ୍ରଶ୍ନର ଉତ୍ତରରେ ତୁମେ ନିଶ୍ଚୟ କୋଇଲା ନାମ କହିବ । କୋଇଲା ରେଲଗାଡ଼ି ଚାଲିବାରେ କିଭଳି ସାହାଯ୍ୟ କରୁଛି, ତାହା ସମସ୍ତେ ଦେଖୁଛନ୍ତି ଓ ଜାଣୁଛନ୍ତି । କୋଇଲା ଜଳିଲେ ସେହି ଉତ୍ତାପଦ୍ୱାରା ପାଣି ବାଷ୍ପରେ ପରିଣତ ହୁଏ ଏବଂ ସେହି ବାଷ୍ପ ରେଲଗାଡ଼ିକୁ ଚଲାଏ । ଯେଉଁ ଲୋକ ପ୍ରଥମେ କୋଇଲାକୁ ଜାଳେଣି କାର୍ଯ୍ୟରେ ଲଗାଇଲେ ସେ ବାସ୍ତବିକ୍‍ ବଡ଼ ବୁଦ୍ଧିଆ । ଏ ଯୁଗରେ ନାନା କଳକାରଖାନା ବାଷ୍ପଦ୍ୱାରା ଚାଲୁଛି । ସେଥିଲାଗି କୋଇଲା ନିତାନ୍ତ ପ୍ରୟୋଜନ । ପ୍ରତିଦିନ କୋଟି କୋଟି ମହଣର କୋଇଲା ପୃଥିବୀରେ ଖର୍ଚ୍ଚ ହେଉଛି । କିନ୍ତୁ ତାହା କିପରି ମିଳୁଛି କହି ପାରିବ କି ?

 

ଏତେ କୋଇଲା ପୃଥିବୀକୁ ଆସିଲା କେଉଁଠୁ ?

 

ଏହାର ଉତ୍ତର ସହଜ ହେଲେ ବି ବୁଝିବାକୁ ଟିକିଏ କଠିନ । ପଣ୍ଡିତମାନେ କହନ୍ତି ଯେ, ଲକ୍ଷ ଲକ୍ଷ ବର୍ଷ ଆଗେ ଏହି ପୃଥିବୀରେ ଗଛ ଲତା, ଜୀବଜନ୍ତୁ ସବୁ ଥିଲେ । ବିଧାତାଙ୍କର କୋପରୁ ହେଉ କିମ୍ୱା ପ୍ରକୃତିର ନିୟମରୁ ହେଉ, ପୃଥିବୀର ପରିବର୍ତ୍ତନ ଘଟିଲା । ଥରେ କି ଦୁଇ ଥର ନୁହେଁ, ହଜାର ହଜାର–ଲକ୍ଷ ଲକ୍ଷ ଥର ଭୂମିକମ୍ପ ହେବାରୁ ପୃଥିବୀଟା ଅଦଳ ବଦଳ ହୋଇଗଲା । ଆଜି ଯେଉଁ ସ୍ଥାନ ଉପରେ ଠିଆ ହୋଇଛ, ତାହା କେବେ ପୃଥିବୀର କେଉଁ ଗର୍ଭରେ ଥିଲା, ସେ ହିସାବ ମଣିଷ ରଖିପାରି ନାହିଁ । ଭୂମିକମ୍ପ ଯୋଗୁଁ ଖାଲ ଢିପ ହୋଇଛି ଓ ଢିପ ଖାଲ ହୋଇଛି । ବଡ଼ ବଡ଼ ଜଙ୍ଗଲଗୁଡ଼ିକ ବହୁ ବର୍ଷ ଧରି ମାଟି ତଳେ ପୋତି ରହିବା ହେତୁ କାଳକ୍ରମେ ତାହା ପଥର କୋଇଲାରେ ପରିଣତ ହୋଇଛି । ସ୍ଥାନ, ସମୟ, ଚାପ ଓ ଉତ୍ତାପ ଉପରେ ନିର୍ଭର କରି କୋଇଲା ଭଲ କିମ୍ୱା ମନ୍ଦ ହୁଏ ।

 

ଆମ ଓଡ଼ିଶାର ତାଳଚେରରୁ ଯେଉଁ କୋଇଲା ମିଳେ, ତାହା ସର୍ବୋତ୍କୃଷ୍ଟ ନୁହେଁ ।

 

ଭାରତର ବିଭିନ୍ନ ସ୍ଥାନରେ ଅନେକ ଖଣି ଅଛି । ପଶ୍ଚିମବଙ୍ଗର ରାଣୀଗଞ୍ଜ, ବିହାରର ଝରିଆ, ଗିରିଡ଼ି, ବୋକାରୋ, କର୍ଣ୍ଣପୂର ହାଇଦ୍ରାବାଦର ସିଙ୍ଗାରେଣୀରୁ ଯଥେଷ୍ଟ କୋଇଲା ଉତ୍ପନ୍ନ ହୁଏ ।

 

ପୃଥିବୀର ଅଧିକାଂଶ ଦେଶରେ କୋଇଲା ମିଳେ । କେଉଁ ଦେଶର କୋଇଲା କେତେ ପରିମାଣରେ ଭଲ ତାହାର ପରୀକ୍ଷା ଖଣିଜତତ୍ତ୍ୱବିଦ୍‍ମାନେ ହିଁ କରନ୍ତି ।

 

କୋଇଲା ମାଟି ତଳେ ସ୍ତର ସ୍ତର ହୋଇ ଥାଏ । ପ୍ରତ୍ୟେକ ଦେଶର କୋଇଲାଖଣିରୁ ସମାନ ପରିମାଣରେ କୋଇଲା ମିଳେ ନାହିଁ । ଇଂଲଣ୍ଡର ସାଉଥ୍‍ ଓୟେଲ୍‍ସ ଖଣିରେ ପ୍ରାୟ ଆଠ ହଜାର ଫୁଟ ବହଳର କୋଇଲା ଜମି ରହିଛି । ଏଇଭଳି ପୃଥିବୀରେ କେତେ ଯେ କୋଇଲା ରହିଛି, ତାହା କଳନା କରି ହେବ କିପରି ?

 

ଏ କି ବିପଦ !

 

ଆଜିକାଲି ବିଜ୍ଞାନର ଉନ୍ନତି ହେବାରୁ ସିନା କୋଇଲା ସୁରୁଖୁରୁରେ ମାଟି ତଳୁ ସଂଗୃହୀତ ହେଉଛି; କିନ୍ତୁ ଯେତେବେଳେ କୋଇଲାଖଣି ନୂଆ ନୂଆ ଆବିଷ୍କୃତ ହେଉଥିଲା, ସେତେବେଳେ ଲୋକମାନଙ୍କୁ କି କଷ୍ଟ ସହିବାକୁ ପଡ଼ି ନ ଥିବ ?

 

ଖଣି ଭିତରେ କିଭଳି ଦୁର୍ଘଟଣା ଘଟିବ, ତାହା ଆଗରୁ କାହାରିକୁ ଜଣାପଡ଼ୁ ନ ଥିଲା । ଲୋକେ ପ୍ରତି ପଦେ ମୃତ୍ୟୁ ଆଶଙ୍କା କରୁଥିଲେ । ତଥାପି ମଣିଷ ନାନା ଦୁଃଖ ବିପଦରେ ମଧ୍ୟ ବିଜୟ ଲାଭ କରିବା ଲାଗି ଆଦୌ ହଟିଯାଇ ନାହିଁ ।

Image

କୋଇଲା ଖଣି

 

କୋଇଲା ଖଣି ଆବିଷ୍କୃତ ହେବା ପରେ ଲୋକେ ତହିଁରୁ କୋଇଲା କାଟିଲେ । କାଟିବା କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଲା । ମହଣ ମହଣ କୋଇଲା ଖଣିରୁ ପଦାକୁ ଆସିଲା । ଗୁମ୍ଫା ପରି ମାଟିରୁ କୋଇଲା ଖୋଳା ଯାଇଥାଏ । କ୍ରମେ ଖଣିର ମୁହଁଠାରୁ ଦୂରକୁ ଦୂର ଯିବାକୁ ପଡ଼ିଲା । ଦୈବାତ୍‍ ଖଣି ଭିତରେ ପାଣିଝର ଦେଖି ଖଣି ମାଲିକମାନେ ବିସ୍ମିତ ହେଲେ । ସେମାନେ ଭାବିଲେ ଖଣିରୁ ପାଣି ନ କାଢ଼ିଲେ ତ କାମ ଚାଲିବ ନାହିଁ । ତେଣୁ ସେଥିପାଇଁ ବୁଦ୍ଧିଆ ଲୋକେ ନାନା ଉପାୟ ଚିନ୍ତାକଲେ ।

 

ଗୋଟିଏ ବଡ଼ ଚକରେ ଶିକୁଳି ଲଗାଇ ସେହି ଶିକୁଳି ଦେହରେ କେତେଗୁଡ଼ିଏ ବାଲ୍‍ଟି ଖଞ୍ଜିଲେ । ଚକଟି ଘୂରିବାଦ୍ୱାରା ବାଲ୍‍ଟିଗୁଡ଼ିକରେ ପାଣି ପୂରିଗଲା ଏବଂ ତାହା ଉପରକୁ ଆସି ଗୋଟିଏ ବଡ଼ ପାତ୍ରରେ ଜମି ରହିଲା । ଏଥର ସେହି ପାଣିକୁ ପଦାକୁ ଛାଡ଼ି ଦିଆଗଲା । ଏହି କଳଦ୍ୱାରା ଅନେକ ବର୍ଷ ପର୍ଯ୍ୟନ୍ତ ଖଣିରୁ ପାଣି କଢ଼ାଗଲା । କିନ୍ତୁ ବହୁତ ପାଣି ଚଞ୍ଚଳ ଖଲାସ ହୋଇ ନ ପାରିବାରୁ କାମ ବାକି ପଡ଼ିଲା ।

 

ଠିକ୍‍ ଏହି ସମୟରେ ଟମାସ୍‍ ନିଉକୋମେନ ନାମକ ଜଣେ ଲୋକ ଗୋଟିଏ କଳ ଉଦ୍ଭାବନ କରିଥିଲେ । ତାହା ବାୟୁର ଚାପକୁ କାମରେ ଲଗାଉଥିଲା । ତାଙ୍କରି ଚେଷ୍ଟାରେ ଯେଉଁ କଳଟି ନିର୍ମିତ ହୋଇଥିଲା, ତାହା ଖଣି ଭିତରୁ ଅତି ସହଜରେ ପାଣି ଟାଣୁଥିଲା । ଖଣି ମାଲିକମାନେ ଏହା ଦେଖି ଟିକିଏ ଆଶ୍ୱସ୍ତ ହୋଇଥିଲେ । ସେମାନେ ବିଚାରିଲେ, ଯାହାହେଉ, ଏଥର କୋଇଲା କାଟିବାରେ କୌଣସି ଅସୁବିଧା ଉପୁଜିବ ନାହିଁ ।

 

ଖଣି ଗଭୀର ହେବାରୁ ତାହା ମଧ୍ୟକୁ ଯିବାଲାଗି ଦୋଳିର ବ୍ୟବସ୍ଥା ହେଲା । ତଦ୍ଦ୍ୱାରା ଶ୍ରମିକମାନେ ଖୁବ୍‍ ସୁବିଧାରେ ଚଞ୍ଚଳ ଯିବାଆସିବା କଲେ ।

 

ସେତିକିରେ ବିପଦ ଘୁଞ୍ଚି ନ ଥିଲା । କେତେଥର ଦୈବାତ୍‍ ଖଣି ଭିତରେ ନିଆଁ ଲାଗିଲା-। ସେହି ଦୁର୍ଘଟଣାରେ ବହୁ ଲୋକ ନାନା କଷ୍ଟ ପାଇ ମଲେ । ତାହା ଦେଖି ଖଣି ମାଲିକମାନେ ପୁଣି ମହା ବିପଦର ସମ୍ମୁଖୀନ ହେଲେ ।

 

ଖଣିରେ ଶ୍ରମିକମାନେ ଆଠ ଦଶ ଫୁଟ ଗଭୀରରେ ଯେପରି ଆରାମରେ ଖୋଳି ପାରୁଥିଲେ, ପଚାଶ ଫୁଟ କିମ୍ୱା ତାହାଠାରୁ ଆହୁରି ଅଧିକ ଗଭୀର ମଧ୍ୟରେ ସେପରି ଆଉ ଖୋଳି ପାରିଲେ ନାହିଁ । କେତେକ ଲୋକ ନିଃଶ୍ୱାସରେ ବହୁ କଷ୍ଟ ପାଇ ଖଣି ତଳକୁ ଯାଇ କାମ କରିବାକୁ ରାଜି ହେଲେ ନାହିଁ । ତଦ୍ଦ୍ୱାରା କାର୍ଯ୍ୟ ସୁରୁଖୁରୁରେ ଚଳିଲା ନାହିଁ । ଲୋକେ ମଧ୍ୟ ଖଣିତଳ ଉତ୍ତାପରେ ଶିନ୍ତୁଳି ହେଲେ ।

 

ଖଣିର ଉତ୍ତାପ ଓ ଦୁର୍ଗନ୍ଧ ଦୂରୀଭୂତ ହେବା ଲାଗି ଜେମ୍‍ସ ନାମକ ଜଣେ ଲୋକ ଖଣି ମାଲିକମାନଙ୍କୁ ନୂଆ କଥା ପରାମର୍ଶ ଦେଲେ । ତାଙ୍କରି କଥା ଅନୁସାରେ କାର୍ଯ୍ୟ ହେବାରୁ ଖଣିର ଯାବତୀୟ ଦୁର୍ଗନ୍ଧ ଏବଂ ଖରାପ ବାଷ୍ପ ପଦାକୁ ଚାଲି ଆସି ପାରିଲା ।

 

ଖଣି ଭିତରେ ରେଲରାସ୍ତା ତିଆରି ହେଲା କାହିଁକି ?

 

ଲୋକେ ଦିନକୁ ଦିନ କୋଇଲାକୁ ଅଧିକ ଆଦର କଲେ ଓ କଳକାରଖାନା ମାନଙ୍କରେ ତାହା ବହୁଳ ପରିମାଣରେ ବ୍ୟବହୃତ ହେଲା । ଖଣି ମାଲିକମାନେ ପୂର୍ବଠାରୁ ଅଧିକ ସଂଖ୍ୟାରେ ଶ୍ରମିକ ନିଯୁକ୍ତ କଲେ । ମାତ୍ର ଏତେ ତଳୁ ମୁଣ୍ଡା ମୁଣ୍ଡା କୋଇଲା ସହଜରେ ପୃଥିବୀ ଉପରକୁ ଆସି ପାରିଲା ନାହିଁ । ମୁଣ୍ଡରେ ବୋହି ଓ କାଠ ତିଆରି ଗାଡ଼ି କରି ଲୋକେ ବହୁତ କୋଇଲା ପଦାକୁ ଆଣିଲେ; ତଥାପି କଟାଯାଇଥିବା କୋଇଲା ଖଣିରୁ ଶୀଘ୍ର ଖଲାସ ହୋଇ ପାରିଲା ନାହିଁ । ଶେଷକୁ ରେଲରାସ୍ତା ତିଆରି କରିବା ପାଇଁ ପ୍ରୟୋଜନ ପଡ଼ିଲା ।

 

ଏଥି ପୂର୍ବରୁ ଖଣି ବାହାରେ ରେଲରାସ୍ତା ଥିଲା । ସେହି ରେଲରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ଜେମ୍‍ସ ଓ୍ୟାଟ୍‍ଙ୍କ ଦ୍ୱାରା ନିର୍ମିତ ବାଷ୍ପ ଇଞ୍ଜିନ୍‍ର ପରିବର୍ତ୍ତନ ମାତ୍ର । ତାହା ଡବାମାନଙ୍କରେ ବୋଝାଇ ହୋଇଥିବା ଶହ ଶହ ମହଣ କୋଇଲାକୁ ସହଜରେ ଟାଣି ନେଇ ପାରୁଥିଲା ।

 

‘ମଣିଷର ସେବା ହିଁ ମୋର ଏକମାତ୍ର ଲକ୍ଷ୍ୟ’

 

ଆଗେ ଖଣି ଭିତରେ ଗୋଟିକ ପରେ ଗୋଟିଏ ବିପଦ ଘଟୁଥିଲା । ଶ୍ରମିକମାନେ ଯଦି କୌଣସି ଆଲୁଅ ସଙ୍ଗରେ ନେଇ ଯାଉଥିଲେ ତେବେ ତହିଁରୁ ନିଆଁ ବାହାରି ସାରା ଖଣିକୁ ଜାଳି ଦେଉଥିଲା । କାରଣ ଖଣି ଭିତରୁ ସବୁବେଳେ ଯେଉଁ ବାଷ୍ପ ବାହାରୁଥିଲା, ତାହା ବଡ଼ ବିପଦପୂର୍ଣ୍ଣ । କୌଣସି ନିଆଁର ସମ୍ପର୍କରେ ଆସୁଥିଲେ, ସେ ବାଷ୍ପ ଜଳି ଖଣିକୁ ପୋଡ଼ି ଦେଉଥିଲା ।

 

କେତେଥର ଦୈବାତ୍‍ ଖଣି ମଧ୍ୟରେ ଏଇଭଳି ଅଗ୍ନିକାଣ୍ଡ ଘଟିଲା । ତାହାକୁ ଲିଭାଇବା ସହଜ ହେଲା ନାହିଁ ।

 

ଖଣି ଭିତରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଆଶଙ୍କା କରୁଥିଲେ । ତେଣୁ ତହିଁରୁ ଉଦ୍ଧାର ପାଇବା ଲାଗି ଖଣି ମାଲିମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ସେମାନେ ଡେଭି ନାମକ ଏକ ବୈଜ୍ଞାନିକଙ୍କ ନିକଟରେ ଏଇ କଥାଟି ଜଣାଇଲେ । ଡେଭି ସବୁ ଶୁଣି ଶେଷରେ ଉତ୍ତର ଦେଲେ, ‘‘ମୁଁ ଭାବୁଛି, ତୁମ୍ଭମାନଙ୍କ ପାଇଁ ମୁଁ କିଛି କରି ପାରିବି ବୋଧହୁଏ ।’’

 

ମୋଟେ ସାତଟି ସପ୍ତାହ ପରେ ଡେଭି ଏକ ନୂଆ କଥା ଜଗତବାସୀଙ୍କୁ ଜଣାଇଲେ । ତାହା ହେଉଛି ଗୋଟିଏ ଲ୍ୟାମ୍ପ୍ । ଏହାକୁ ତାଙ୍କ ନାମାନୁଯାୟୀ ‘ଡେଭିଙ୍କ ନିରାପଦ ଲ୍ୟାମ୍ପ୍’ କହନ୍ତି । ଏହାର ଗୁଣ ହେଉଛି ଖଣି ଭିତରେ ଆଲୋକ ଦେବା । କୌଣସି ବାଷ୍ପ ଏହାର ସଂସ୍ପର୍ଶରେ ଆସିଲେ ସୁଦ୍ଧା ଭୟର କାରଣ ରହିବ ନାହିଁ । ହମ୍ଫ୍ରି ଡେଭିଙ୍କର ଏହି ଅଦ୍ଭୁତ ଉଦ୍ଭାବନକୁ ଲୋକେ ଧନ୍ୟ ଧନ୍ୟ କହିଲେ ଏବଂ ଏବେ ସୁଦ୍ଧ ଶ୍ରମିକମାନେ ତାହା ଅନେକ ପରିମାଣରେ ନିରାପଦରେ ବ୍ୟବହାର କରୁଛନ୍ତି ।

 

ଡେଭି, ତୁମେ ମାନବଜାତିର କଲ୍ୟାଣ ଲାଗି ଯାହା କହିଥିଲ, ତାହା ଅକ୍ଷରେ ଅକ୍ଷରେ ସତ୍ୟ ହୋଇଛି । ଜଗତବାସୀ ତୁମ ନିକଟରେ ଋଣୀ–ଏଥିରେ କୌଣସି ସନ୍ଦେହ ନାହିଁ ।

 

ଆଜିକାଲି ଖଣି ଭିତରେ ବିଜୁଳି ଆଲୋକର ବ୍ୟବସ୍ଥା ହୋଇଛି । ବିଜୁଳି ପଙ୍ଖାଦ୍ୱାରା ବିଶୁଦ୍ଧ ପବନ ବାହାରୁ ଖଣି ଭିତରକୁ ଯୋଗାଇ ଦିଆଯାଉଛି । ପୁଣି ଦମକଳ ସାହାଯ୍ୟରେ ତଳ ପାଣି ଉପରକୁ ଉଠି ଆସୁଛି । ତେବେ ସୁଦ୍ଧା ଦୁର୍ଘଟଣାର ଭୟ ଯାଇନାହିଁ । ଖଣି ଭିତରେ ଛାତ ପଡ଼ିଯିବା ଏବଂ ବିସ୍ଫୋରଣ ସମୟ ସମୟେ ଘଟୁଛି । ତଥାପି ବୈଜ୍ଞାନିକମାନେ ଖଣିର ଶ୍ରମିକମାନଙ୍କ ଲାଗି ସବୁ ସୁବିଧା କରିବାପାଇଁ ଆଜୀବନ ଗବେଷଣା ଚଳାଇଛନ୍ତି ।

 

ଏବେ ପଥର କୋଇଲାରୁ ଆଲକାତରା ପ୍ରସ୍ତୁତ ହେଉଛି । ଆଲକାତରାରୁ ବିଲାତି ଚିନି, ସୁଗନ୍ଧ ଦ୍ରବ୍ୟ, ପ୍ଲାଷ୍ଟିକ ଇତ୍ୟାଦି ବୈଜ୍ଞାନିକ ପ୍ରଣାଳୀରେ ବାହାରୁଅଛି ।

 

ଏ ଯୁଗରେ କୋଇଲାରୁ ଆହୁରି ଯେ କେତେ କ’ଣ ପ୍ରସ୍ତୁତ ହେବ, ତାହା କିଏ କହି ପାରିବ ?

Image

 

କଣ୍ଢେଇ

 

ପିଲାଦିନେ ସମସ୍ତେ କଣ୍ଢେଇ ଧରି ଖେଳନ୍ତି । ତାହା ପିଲାଙ୍କର ବଡ଼ ଆଦରଣୀୟ ବସ୍ତୁ-। ଛୋଟ ପିଲା କାନ୍ଦୁଥିଲେ ତା’ ହାତକୁ କଣ୍ଢେଇଟିଏ ଦିଅ, ତାହାର କାନ୍ଦ ସେହି ମୁହୂର୍ତ୍ତରେ ବନ୍ଦ ହୋଇଯିବ । ମାଆ ବେଳେ ବେଳେ ବିରକ୍ତ ହୋଇ ପିଲାକୁ ମାରନ୍ତି । ପିଲା କଇଁ କଇଁ ହେଉଥିବା ବେଳେ ରଙ୍ଗୀନ୍‍ କଣ୍ଢେଇଟିଏ ଧରାଇ ଦେଇ ଅପେକ୍ଷା କର, ଦେଖିବ, କେଳା କୁହୁକ କଲା ପରି ସେ ପାଟି ବନ୍ଦ କରି ଦେବ ଏବଂ କାନ୍ଦ କଥା ପୂରାପୂରି ଭୁଲିଯିବ । କାହିଁକି ?

 

କଣ୍ଢେଇର ଶକ୍ତି ଅତି ଅଦ୍ଭୁତ ! ତାହା ଛୋଟ ପିଲାର ମନକୁ ସବୁବେଳେ ଆକର୍ଷଣ କରେ । କଣ୍ଢେଇ ଲାଗି ପିଲାମାନେ ଭାରି ଜିଗର କରନ୍ତି । ଅଝଟ ହୋଇ ତଳେ ଲୋଟି ଯାଆନ୍ତି । ତାହା ନ ପାଇବା ପର୍ଯ୍ୟନ୍ତ ପିଲାର ମନ ଖୁସି ହୁଏ ନାହିଁ, କି ସେ ତୁନି ହୋଇ ରହେ ନାହିଁ ।

 

ରଙ୍ଗୀନ୍‍ କଣ୍ଢେଇ, ରଙ୍ଗୀନ୍‍ ଲୁଗାପଟା ପିଲାଙ୍କ ମନକୁ ବେଶି ଆକର୍ଷଣ କରେ । ତେଣୁ କଣ୍ଢେଇ କାରିଗର ବିଭିନ୍ନ ରଙ୍ଗର କଣ୍ଢେଇ ଗଢ଼େ । ଯେଉଁ କଣ୍ଢେଇର ରଙ୍ଗ ବେଶି ଚକ୍‍ ଚକ୍‍ ଦିଶେ ପିଲାଏ ତାକୁ ଆଗେ ପସନ୍ଦ କରନ୍ତି ।

 

କଣ୍ଢେଇ ପାଖରେ ଥିଲେ ପିଲା ଖଜା ଭୁଜାକୁ ମଧ୍ୟ ଭୁଲିଯାଏ । ଏଭଳି କୌଣସି ଘର ନାହିଁ, ଯେଉଁ ଘରେ କି କଣ୍ଢେଇକୁ ଧରି ପିଲାଏ ଖେଳି ନ ଥିବେ !

 

କଣ୍ଢେଇପ୍ରତି ପିଲାଙ୍କର ସବୁଦିନେ ଶ୍ରଦ୍ଧା ରହେ ନାହିଁ । ସେମାନେ ବଡ଼ ହେଲେ ତହିଁରୁ ମନ ଫେରାଇ ଆଣି ଅନ୍ୟ ଜିନିଷ ପ୍ରତି ନଜର ଦିଅନ୍ତି ।

 

ସବୁ କାଳରେ ଓ ସବୁ ଦେଶରେ କଣ୍ଢେଇର ଆଦର ରହିଛି । ମଣିଷ ପିଲା ହୋଇଥିବା ଯାଏ, କଣ୍ଢେଇର ମୂଲ୍ୟ କଦାପି କମି ଯିବ ନାହିଁ ।

 

କଣ୍ଢେଇ ଗୋଟିଏ କୁଟୀରଶିଳ୍ପ । ଆମ ଦେଶରେ ବହୁତ କଳକାରଖାନା ନ ଥିଲା । କାରଖାନାରେ ପ୍ରସ୍ତୁତ ହେଉଥିବା ପଦାର୍ଥମାନ ଏ ଦେଶକୁ ବିକ୍ରି ନିମନ୍ତେ ଆସିୁଥିଲା । ଇଂରେଜମାନେ ଭାରତରେ ରାଜୁତି କରିବା ଦିନଠାରୁ ବିଦେଶୀ ଦ୍ରବ୍ୟର କାରବାର ଯଥେଷ୍ଟ ବଢ଼ି ଯାଇଛି । ହଜାର ହଜାର ଲୋକ ମଧ୍ୟ ବିଦେଶୀ ଶିଳ୍ପଦ୍ରବ୍ୟକୁ ଏପର୍ଯ୍ୟନ୍ତ ଆଦର କରୁଛନ୍ତି । ଫଳତଃ ସ୍ୱଦେଶର କୁଟୀରଶିଳ୍ପ ଉପେକ୍ଷିତ ହେଉଛି । ଏଭଳି ମନୋବୃତ୍ତି ରହିଲେ ସ୍ୱଦେଶର ଶିଳ୍ପ ଉନ୍ନତ ହେବ କିପରି ?

 

ମାଟି କଣ୍ଢେଇକୁ କିପରି ତିଆରି କରନ୍ତି ?

 

କଳ ତିଆରି କଣ୍ଢେଇ କଥା ବର୍ତ୍ତମାନ କୁହା ଯାଉନାହିଁ । ଯେଉଁ କଣ୍ଢେଇ ସବୁ ଘରେ ବସି ଗଢ଼ିବାକୁ ହୁଏ, ତାହା ବିଷୟରେ ବହୁ କଥା ଜାଣିବାକୁ ଅଛି ।

 

ଆମ ଦେଶର ପୁରୁଷମାନେ ଯେ କେବଳ କଣ୍ଢେଇ ବା ମୂର୍ତ୍ତି ଗଢ଼ନ୍ତି, ଏପରି ନୁହେଁ; ସ୍ତ୍ରୀମାନେ ମଧ୍ୟ ସେମାନଙ୍କର ଫୁର୍‍ସତ୍‍ ବେଳେ ଗଢ଼ିବା କାର୍ଯ୍ୟରେ ସାହାଯ୍ୟ କରନ୍ତି ।

 

କଣ୍ଢେଇ କି କି ଜିନିଷରେ ଗଢ଼ାଯାଏ ଜାଣ ? ଏହା ଗଢ଼ିବାକୁ ଅଧିକ ଖର୍ଚ୍ଚ ପଡ଼େ ନାହିଁ-। ନିହାତି ହେୟ ପଦାର୍ଥରେ ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି ହୋଇ ପାରିବ । ମଜବୁତ୍‍ ଜିନିଷରେ କେହି କଣ୍ଢେଇ ଗଢ଼େ ନାହିଁ । କାରଣ ବ୍ୟବସାୟ ଦୃଷ୍ଟିରୁ ଦେଖିବାକୁ ଗଲେ କଣ୍ଢେଇଟି ଯଦି ଶସ୍ତା ନ ହେବ ଏବଂ ଚଞ୍ଚଳ ଭାଙ୍ଗି ନ ଯିବ ତେବେ ଆହୁରି ଗୋଟିଏ କଣ୍ଢେଇ ବାପା ମା ପିଲାପାଇଁ କିଣି ଦେବେ କାହିଁକି ?

 

ଆଉ ମଧ୍ୟ ପିଲାଏ ଯେତେ ନୂଆ ଧରଣର ଖେଳନା ଦେଖିବେ ସେ ସବୁ କିଣିବାକୁ ସେତିକି ଅଳି କରିବେ । ନୂଆ ନୂଆ କଣ୍ଢେଇ ଗଢ଼ା ହେଉ ନ ଥିଲେ କାରିଗରମାନେ ପେଟ ପୋଷି ପାରନ୍ତେ କିପରି ?

 

ମାଟି କଣ୍ଢେଇ ସବୁ ଅତି ସାଧାରଣ ପଦାର୍ଥରେ ପ୍ରସ୍ତୁତ ହୁଏ ବୋଲି ପୂର୍ବରୁ କୁହାଯାଇଛି । ମାଟି, ଗୋବର, ଛିଣ୍ଡା କନା, ଛିଣ୍ଡା କାଗଜ, ନଡ଼ା, ଘାସ, କରତଗୁଣ୍ଡ ଇତ୍ୟାଦି କଣ୍ଢେଇ ଗଢ଼ିବାରେ ପ୍ରୟୋଜନ ପଡ଼େ । ଏହା ଛଡ଼ା ମହମବତୀ, ଚିନାମାଟି, ସିମେଣ୍ଟ, ଖଡ଼ି, କାଠ, ପଥର, ରବର, ରସ, ପିତ୍ତଳ, ସୀସା ଇତ୍ୟାଦିରେ ନାନାପ୍ରକାର କଣ୍ଢେଇ ହେଉଛି । ଯେଉଁମାନେ ମାଟି କଣ୍ଢେଇ ଗଢ଼ନ୍ତି, ସେମାନେ ପ୍ରଥମେ ଚକଟା କୁମ୍ଭାର ମାଟିରେ କିଛି ଭେସ୍‍ଲିନ୍‍ ମିଶାଇ ଦିଅନ୍ତି । ତଦ୍ଦ୍ୱାରା ମାଟି ଖୁବ୍‍ ନରମ ହୋଇଯାଏ । ଦଳିବାବେଳେ ଯଦି ମାଟି ଭିତରେ ଗୋଡ଼ି ବା ଖପରା ରହିଥାଏ ଏବଂ ତାହା ହାତକୁ ଜଣାପଡ଼େ, ତେବେ ସେମାନେ ସେହି ଗୋଡ଼ି ବା ଖପରାକୁ ବାହାର କରି ଦିଅନ୍ତି ।

 

ନରମ ମାଟି ଉପରେ ଖଣ୍ଡିଏ ଓଦା କନା ଘୋଡ଼ାଇ ତାହାକୁ ଦିନେ କି ଦୁଇ ଦିନ ସାଇତିବାକୁ ପଡ଼େ । ଏଥର କଣ୍ଢେଇ ଛାଞ୍ଚକୁ ଆଣି ତା’ ଉପରେ କିଛି ପାଉଁଶ ଛିଞ୍ଚି ଦିଅନ୍ତି । ପରେ ଛାଞ୍ଚ ଉପରେ ମାଟି ମେଞ୍ଚାଏ ରଖି ବୁଢ଼ା ଆଙ୍ଗୁଠି ଟିପରେ ତାହାକୁ ଆସ୍ତେ ଆସ୍ତେ ଚିପି ଦେଲେ, ତାହା ଛାଞ୍ଚ ଉପରେ ଲାଖି ରହେ । ଛାଞ୍ଚ ଧାରରୁ ପଦାକୁ ଆସିଥିବା ବଳକା ମାଟିକୁ ସେମାନେ ଛୁରିରେ କାଟି ଦିଅନ୍ତି ।

 

ଅଳ୍ପ ସମୟ ପରେ ସେମାନେ କଣ୍ଢେଇଟିକୁ ଛାଞ୍ଚରୁ ବାହାର କରି ଆଣନ୍ତି । ତାହା ସହଜରେ ଚାଲିଆସେ । ମାଟିରେ ଚିକ୍‍କଣିଆ ଭେସ୍‍ଲିନ୍‍ ମିଶିଥିବାରୁ ଛାଞ୍ଚ ଉପରେ ମାଟି ଆଦୌ ଲାଖି ରହେ ନାହିଁ । ଅଳ୍ପ ସମୟ ମଧ୍ୟରେ ଜଣେ କାରିଗର ଅନେକଗୁଡ଼ିଏ କଣ୍ଢେଇ ଛାଞ୍ଚରୁ କାଢ଼ି ଆଣି ପାରିବ ।

 

କଞ୍ଚା କଣ୍ଢେଇ ସବୁ ଟିକିଏ ଶୁଖିଗଲେ କାରିଗର ସେଗୁଡ଼ିକୁ ଗୋଟି ଗୋଟି ପରୀକ୍ଷା କରେ ଏବଂ ଯାହାର ଯେଉଁଠାରେ ଦୋଷ ତ୍ରୁଟି ରହିଥାଏ, ତାହା ଦୂର କରିଦିଏ । ଶେଷରେ କଣ୍ଢେଇଗୁଡ଼ିକୁ ନେଇ ସେ କୁମ୍ଭାର ଭାଟିରେ ପୋଡ଼ିଦିଏ ।

 

ପୋଡ଼ି ସାରିଲାପରେ ସେଥିରୁ ପାଉଁଶ ପୋଛି ପରିଷ୍କାର କରିଦିଅନ୍ତି ଏବଂ ତୁଳି ସାହାଯ୍ୟରେ ନାନାପ୍ରକାର ରଙ୍ଗ ବୋଳି ଦିଅନ୍ତି । ଏଥର କଣ୍ଢେଇ ସୁନ୍ଦର ଦିଶେ ।

 

ଆମ ଦେଶର କେତେକ ଲୋକ ହାତରେ କଣ୍ଢେଇ, ମୂର୍ତ୍ତି ଇତ୍ୟାଦି ଗଢ଼ି ପେଟ ପୋଷୁଛନ୍ତି । କଟକରେ ଯେଉଁ କୁଟୀରଶିଳ୍ପ ଅନୁଷ୍ଠାନ ରହିଛି, ତହିଁରେ କଣ୍ଢେଇ ଓ ଅନ୍ୟାନ୍ୟ ମାଟି ଜିନିଷ ପ୍ରସ୍ତୁତ ହୋଇ ଓଡ଼ିଶାର ଚାରିଆଡ଼କୁ ଯାଉଛି । ଏବେ ଏହି କାରଖାନାରେ ନାନାପ୍ରକାର ଅଭଙ୍ଗା କଣ୍ଢେଇ ତିଆରି ହେଲାଣି ।

 

ନାନା ଦେଶର କଣ୍ଢେଇ–

 

ଆମ ଦେଶର ଲୋକେ କଣ୍ଢେଇ ଗଢ଼ି ଯାହା ଆୟ କରନ୍ତି, ବିଦେଶୀ ଲୋକେ ତାହାଠାରୁ ଅଧିକ ଆୟ କରନ୍ତି । ଏବେ କଳ ସାହାଯ୍ୟରେ ନାନାପ୍ରକାର କଣ୍ଢେଇ ତିଆରି ହେଉଛି-। ମାଟି କଣ୍ଢେଇ ପରିବର୍ତ୍ତେ ନରମ ପ୍ଲାଷ୍ଟିକ୍‍ କଣ୍ଢେଇ ମିଳୁଛି ।

 

ପୃଥିବୀରେ ଜାପାନୀମାନେ କଣ୍ଢେଇ ତିଆରି କରିବାରେ ବିଶେଷ ଖ୍ୟାତି ଅର୍ଜନ କରିଅଛନ୍ତି । ତୁମେ ବଜାରକୁ ଗଲେ ଦେଖିବ, ଜାପାନୀ କଣ୍ଢେଇର ସଂଖ୍ୟା ପ୍ରାୟ ବେଶି । ତାହାର କାରଣ କ’ଣ ତୁମେ ଭାବି ସ୍ଥିର କର ।

 

ଜାପାନୀମାନେ ଭାରି ବୁଦ୍ଧିମାନ୍‍ । ସେମାନେ ବହୁ କାଳରୁ କଣ୍ଢେଇ ଶିଳ୍ପରେ ଦକ୍ଷତା ଲାଭ କରିଅଛନ୍ତି । ନୂଆ ପ୍ରକାରର କଣ୍ଢେଇ କିପରି ଗଢ଼ିବାକୁ ହେବ, ତାହାର କୌଶଳ ସେମାନଙ୍କୁ ଭଲ ଜଣା । ପିଲାଙ୍କ ମନଲାଖି ସୁନ୍ଦର ଓ ଶସ୍ତା କଣ୍ଢେଇ ଗଢ଼ିବାରେ ବିଶେଷ ବାହାଦୁରି ରହିଛି ।

 

ପୃଥିବୀର ଅନ୍ୟାନ୍ୟ ଦେଶରେ ଅବଶ୍ୟ କଣ୍ଢେଇ ତିଆରି ହୁଏ; କିନ୍ତୁ କେହି ଜାପାନ ପରି ସୁଖ୍ୟାତି ଲାଭ କରି ନାହାନ୍ତି ।

 

ପିଲାଏ ଯେଭଳି କଣ୍ଢେଇକୁ ଦେଖିଲେ ଭାରି ଖୁସି ହେବେ ଏବଂ କିଣିବା ଲାଗି ଅଳି କରିବେ, ସେହି ଭଳି ଖେଳନା ଗଢ଼ିବାରେ ସେ ଦେଶ ଲୋକଙ୍କର ବିଶେଷତ୍ୱ ରହିଛି ।

 

ଏହା ବୋଲି ତୁମେ ଭାବନାହିଁ ଯେ, କଣ୍ଢେଇ ଗଢ଼ିବାରେ ସେହି ଜାତି ଏକମାତ୍ର ଦକ୍ଷ । ସୁନ୍ଦର କଣ୍ଢେଇ ଗଡ଼ିବା ଲାଗି ସେମାନେ ସରକାରଙ୍କ ପକ୍ଷରୁ ସାହାଯ୍ୟ ଓ ସହଯୋଗ ପାଆନ୍ତି । ଜଣେ ଜଣେ କାରିଗର କେବଳ କଣ୍ଢେଇ ଗଢ଼ି ବେଶ୍‍ ଧନୀ ହୋଇଥିବାର ଦେଖାଯାଇଛି ।

 

ଆମ ଦେଶରେ କଣ୍ଢେଇ ଶିଳ୍ପର ଉନ୍ନତି ଲାଗି ଯଥେଷ୍ଟ ଦୃଷ୍ଟି ଦେବା ଦରକାର । ଏହା ଗୋଟିଏ ଉତ୍ତମ ଲାଭଜନକ ବ୍ୟବସାୟ । ସାମାନ୍ୟ ମୂଳଧନରେ ଯଥେଷ୍ଟ ଲାଭ ହେବାର ସୁଯୋଗ ରହିଛି । ମୌଳିକ ଚିନ୍ତା ପ୍ରୟୋଗ କରି କଣ୍ଢେଇ ଗଢ଼ିଲେ, ତାହାର କାଟ୍‍ତି ଖୁବ୍‍ ଭଲ ହୁଏ । ଭାରତୀୟ ପିଲାମାନେ ଯେଉଁଭଳି କଣ୍ଢେଇ ପସନ୍ଦ କରନ୍ତି, ତାହାକୁ ଲକ୍ଷ୍ୟ ରଖି ଖେଳନା ଗଢ଼ିବା ଉଚିତ । ମନ ଓ ରୁଚି ଅନୁଯାୟୀ ଜିନିଷ ପ୍ରସ୍ତୁତ ହୋଇଥିଲେ ତାହାକୁ କିଏ କାହିଁକି ଆଦର ନ କରିବ ?

 

ଆଜିକାଲି କଣ୍ଢେଇ ଶିଳ୍ପର ବହୁ ଉନ୍ନତି ହୋଇଛି । ପୁରୁଣାକାଳିଆ କଣ୍ଢେଇକୁ ସମସ୍ତେ ହତାଦର କରୁଛନ୍ତି । ନୂଆ ନୂଆ ଖେଳନା ପାଇଁ ସୂଷ୍ମ ବୁଦ୍ଧି ଆବଶ୍ୟକ । ଯେଉଁ କାରିଗର ତାହା କରି ପାରିଲା, ତାହାର ଜିନିଷ ସହଜରେ ବିକ୍ରି ହୋଇ ନ ଯିବ କାହିଁକି ?

 

କଣ୍ଢେଇଗୁଡ଼ିକ କେବଳ ସୁନ୍ଦର ହେଲେ ତାହାର କାଟ୍‍ତି ଭଲ ହୁଏ ନାହିଁ । ଜିନିଷର ମୂଲ୍ୟ କମ୍‍ ନ ହେଲେ ସୁନ୍ଦର ଜିନିଷକୁ ବି ବହୁ ଲୋକ କିଣନ୍ତି ନାହିଁ । ସାଧାରଣ ଲୋକଙ୍କ କିଣିବା ଶକ୍ତି ଅନୁଯାୟୀ ଜିନିଷ ଶସ୍ତା ହେବା ଉଚିତ ।

 

ପିଲାଟିଏ କଣ୍ଢେଇଗୁଡ଼ିକ ମଧ୍ୟରେ ବସିଥିଲେ, ତାକୁ କି ଆନନ୍ଦ ନ ଲାଗେ ସତେ ! ସେ ଖଆ ପିଆ ଭୁଲି ସେମାନଙ୍କ ସହିତ ହସେ, ଖେଳେ, ନାଚେ, ବୁଲେ, କଥାଭାଷା ବି ହୁଏ । କଣ୍ଢେଇକୁ ପୁଅକରି ଝିଅମାନେ ଖେଳନ୍ତି । ତାହା ଅଣ୍ଟାରେ ପାଟ କନାଟିଏ ଗୁଡ଼ାଇ ଦେଇ କେତେ ଗେଲ କରନ୍ତି । ବେଳେ ବେଳେ ପୁଅ ଓ ଝିଅମାନେ ଖେଳୁ ଖେଳୁ କଣ୍ଢେଇ ପୁଅ ଝିଅଙ୍କର ବାହାଘର କରିଦିଅନ୍ତି । ସେତେବେଳର ଦୃଶ୍ୟ ଦେଖିଲେ ବଡ଼ କୌତୁକ ଲାଗେ ।

Image

 

କାଠ

 

ତୁମ ଘରେ କାଠ ତିଆରି ଜିନିଷ ଅନେକ ଥିବ । ବିଭିନ୍ନ ଦରକାରୀ ଜିନିଷମାନଙ୍କ ମଧ୍ୟରୁ କାଠ ଅନ୍ୟତମ । ତାହା ମଣିଷର ବହୁ ଉପକାରରେ ଆସେ । ଆଜିକାଲି ଯୁଗରେ କାଠ ବଡ଼ ଲାଭଜନକ ବ୍ୟବସାୟ ହୋଇଛି ।

 

କାଠରେ ଚଉକି, ବେଞ୍ଚ, ଟେବୁଲ, ଆଲମାରି, ଖଟ, କବାଟ, କଡ଼ି, ବରଗା, ଶଗଡ଼ ଇତ୍ୟାଦି ଅନେକ ଜିନିଷ ପ୍ରସ୍ତୁତ ହେଉଛି । ଆଦିମ ଯୁଗରୁ ଅଦ୍ୟାବଧି କାଠକୁ ଲୋକେ ଜାଳେଣି କାର୍ଯ୍ୟରେ ବ୍ୟବହାର କରୁଛନ୍ତି । କିନ୍ତୁ ଜଙ୍ଗଲ ସବୁ କେତେ ଯୁଗ ହେଲା ସୃଷ୍ଟି ହେଲାଣି, ତାହାର ଠିକ୍‍ ପ୍ରମାଣ ଅବଧି ମିଳିନାହିଁ । ତଥାପି ବୈଜ୍ଞାନିକ ପଣ୍ଡିତମାନେ ପୃଥିବୀର ବୟସ କେତେ ହୋଇଥିବ ତାହା ଅନୁମାନ କରି ସ୍ଥିର କରିଛନ୍ତି । ସେମାନଙ୍କ ମତରେ ମାଛ ଓ ବିଭିନ୍ନ ଜଳଚର ପ୍ରାଣୀ ଜନ୍ମ ହେବା ପରେ ବଣ ଜଙ୍ଗଲର ସୃଷ୍ଟି ହୋଇଛି । ତୁମେ ଏହା ଶୁଣି ଆଶ୍ଚର୍ଯ୍ୟ ହେଉ ନାହଁ କି ?

 

ପୃଥିବୀର ଚାରିଆଡ଼େ ଅସଂଖ୍ୟ ଜଙ୍ଗଲ ରହିଛି । ଆମ ଓଡ଼ିଶାର ଗଡ଼ଜାତମାନଙ୍କରେ ଯେଉଁସବୁ ଜଙ୍ଗଲ ଦେଖିବାକୁ ମିଳେ, ତାହାଠାରୁ ବହୁ ଗୁଣରେ ବଡ଼ ଜଙ୍ଗଲ ଆଫ୍ରିକା, ଆମେରିକା ପ୍ରଭୃତି ମହାଦେଶରେ ରହିଛି । ତହିଁରେ ନାନାଜାତିର ଗଛ ଅଛି । ତାହା ଦେଖିଲେ ଯେ କେହି ଦର୍ଶକ ନିଶ୍ଚୟ ବିସ୍ମିତ ହେବ ।

 

ବା ! କି ବିରାଟ ବୃକ୍ଷ !!

 

ଆଫ୍ରିକା ଓ ଆମେରିକାର ବିରାଟ ବୃକ୍ଷ ଭଳି ବୃକ୍ଷ ପୃଥିବୀର ଅନ୍ୟ କୌଣସି ଦେଶରେ ପ୍ରାୟ ନାହିଁ ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଜାତୀୟ ଗଛ ରହିଛି, ତାହାର ନାମ ସିକ୍ୟୁଆ । ସିକ୍ୟୁଆ ଗଛ ପଚାଶ କିମ୍ୱା ଶହେ ଫୁଟ ଉଚ୍ଚ ହୁଏ ନାହିଁ । ଛଅ ଫୁଟ ଉଚ୍ଚତାର ଜଣେ ଲୋକ ଯଦି ତାହା ଭଳି ପଚାଶ ଜଣ ଲୋକଙ୍କୁ ଗୋଟିକ ପରେ ଗୋଟିଏ କାନ୍ଧରେ ଠିଆ କରି ପାରନ୍ତା ଓ ସେମାନଙ୍କର ଉଚ୍ଚତା ଏକାଠି କଲେ ଯେତେ ହୁଅନ୍ତା, ସିକ୍ୟୁଆ ଗଛର ଉଚ୍ଚତା ସେତିକି । ଦଶ ଫୁଟ ଲମ୍ୱର ଏଗାରଟା କୂଅ ଦଉଡ଼ିକୁ ଏକାଠି ଗଇଁଠାଇ ଗଛ ଗଣ୍ଡିର ଚାରିପାଖରେ ଗୁଡ଼ାଇଲେ ସୁଦ୍ଧା ତାହା ନିଅଣ୍ଟ ହେବ । ଗଛ ମୂଳରେ ଠିଆ ହୋଇ ଉପରକୁ ଚାହିଁଲେ ଆଖି ପାଏ ନାହିଁ । ବରଂ ମନେହୁଏ, ଏଇ ଗଛଟା ରାକ୍ଷସ ଭଳି କି ବିରାଟ ହୋଇଛି ! ଦୁଇଟି ଲିଙ୍ଗରାଜ ମନ୍ଦିରର ଉଚ୍ଚତାକୁ ଟପିଯିବା ଭଳି ଗଛ କ’ଣ ଏଇ ପୃଥିବୀରେ ଅଛି ! ଦେଖିଲା ଲୋକେ ଅବାକ୍‍ ହୋଇ କହନ୍ତି, ‘‘ବାଃ-! ବାଃ !! ଗଛଙ୍କ ଭିତରେ ଏ ରାକ୍ଷସ !’’

 

ସିକ୍ୟୁଆ ଗଛର ଡାଳରେ କେତେ ଯେ ଚଢ଼େଇ ବସା ବାନ୍ଧି ରହନ୍ତି, ତାହାର ହିସାବ କେହି କରି ନାହିଁ । ଯେତେ ଝଡ଼ ଝଞ୍ଜା ଆସୁ ପଛକେ ଗଛର କୌଣସି କ୍ଷତି ଘଟେ ନାହିଁ ।

 

ସିକ୍ୟୁଆ ଗଛ କେତେ ବର୍ଷ ବଞ୍ଚୁଥିବ ତାହା ତୁମ୍ଭେମାନେ ଅନୁମାନ କର । ମାତ୍ର ଏ କଥା ନିଶ୍ଚିତ ଯେ, କାହାରି ଅନୁମାନ ସତ୍ୟ ହେବ ନାହିଁ ।

 

ମନେକର, ଜଣେ ଲୋକ ଜନ୍ମ ହେବା ବେଳକୁ ସିକ୍ୟୁଆ ଗଛ ଭୂଇଁରୁ ଉଠିଲା । ପଚାଶ ବର୍ଷ ଅତୀତ ହେବା ପରେ ସେହି ଲୋକଟି ମରିଗଲା । ସେତେବେଳକୁ ସିକ୍ୟୁଆ ଗଛ ଅତି ଛୋଟ ହୋଇଥିବ । ପଚାଶ ବର୍ଷ ବଞ୍ଚୁଥିବା ଜଣେ ଲୋକ ଯଦି ବାରମ୍ୱାର ଶହେ ଥର ଜନ୍ମ ହୁଅନ୍ତା, ତେବେ ସେ ତାହାର ଶେଷ ଜୀବନରେ ଦେଖନ୍ତା ଯେ, ସିକ୍ୟୁଆ ଗଛ ତାହାରି ପରି ବୁଢ଼ା ହୋଇ ଯାଇଛି । ଏହି ଜାତୀୟ ଗଛ ଊଣା ଅଧିକେ ପାଞ୍ଚ ଶହ ବର୍ଷ ବଞ୍ଚେ ।

 

ଏତେ ଗୁଡ଼ାଏ ବର୍ଷ ବଞ୍ଚିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ କି ? ଗୋଟିଏ ସିକ୍ୟୁଆ ଗଛ ଜନ୍ମ ହୋଇ ମରିବା ବେଳକୁ ପୃଥିବୀର ଯେ କିଭଳି ପରିବର୍ତ୍ତନ ଘଟିଥିବ, ତାହା କଳ୍ପନା କରି ହୁଏ ନାହିଁ ।

 

କାନାଡ଼ାରେ କାଠ କାଟି ବୋହି ନେଉଛନ୍ତି କିପରି ?

 

ଉତ୍ତର ଆମେରିକାର ଉତ୍ତରାଞ୍ଚଳରେ କାନାଡ଼ା ବୋଲି ଗୋଟିଏ ଦେଶ ରହିଛି । ସେହି ଦେଶର ଉତ୍ତରକୁ ଯେଉଁସବୁ ଜଙ୍ଗଲ ଅଛି, ତହିଁରେ ପାଇନ୍‍, ଫାର୍‍, ସ୍ପ୍ରୁସ୍‍ ଇତ୍ୟାଦି ଡେଙ୍ଗା ଓ ନରମ କାଠର ଗଛ ଜନ୍ମେ । ଶୀତଋତୁରେ ଜଙ୍ଗଲମାନଙ୍କରୁ ହଜାର ହଜାର ଗଛ କଟାଯାଇ ଦୂର ସ୍ଥାନକୁ ପଠାଯାଏ ।

ଶୀତଋତୁ ପହଞ୍ଚିବା ପୂର୍ବରୁ କମ୍ପାନୀର ଦଳେ କର୍ମଚାରୀ ଜଙ୍ଗଲ ବୁଲି ବାହାରନ୍ତି । ସେମାନେ ଚାରିଆଡ଼ ବୁଲି କେଉଁଠାରେ କେତେ ସଂଖ୍ୟାରେ କାଠ ରହିଛି, ତାହା ଚିହ୍ନୋଟ କରନ୍ତି । ଖାଲି ଚହ୍ନୋଟ କରିଦେଲେ କାମ ଶେଷ ହୁଏ ନାହିଁ । ଦୁର୍ଗମ ଜଙ୍ଗଲ ମଧ୍ୟରୁ ବଡ଼ ବଡ଼ କାଠ କେଉଁ ବାଟେ ସୁବିଧାରେ ଆସି ପାରିବ, ତାହା ମଧ୍ୟ ସେହି କର୍ମଚାରୀମାନେ ସ୍ଥିର କରନ୍ତି । କାଠ ଆସିବା ବାଟରେ ସେମାନେ ଆଗରୁ ପତାକା ପୋତି ଚିହ୍ନ ରଖିଥାନ୍ତି । କଟାଳିମାନେ କେଉଁଠି ଅସ୍ଥାୟୀ ଘର କରି ଚଳିବେ, ତହିଁର ନକ୍‍ସା ସେମାନଙ୍କୁ କରିବାକୁ ପଡ଼େ । କହିବାକୁ ଗଲେ, ଚିହ୍ନୋଟକାରୀମାନେ ଗୁରୁ ଦାୟିତ୍ୱ ବହନ କରନ୍ତି । ସେମାନେ ଯେପରି ସ୍ଥିର କରିଥାନ୍ତି, ସେହି ଅନୁଯାୟୀ କାର୍ଯ୍ୟ ହୁଏ । କମ୍ପାନୀ ପକ୍ଷରୁ କଟାଳିମାନଙ୍କ ଲାଗି ରହିବା ଘର, ଘୋଡ଼ା ଶାଳ, କମାର ଶାଳ, ଯନ୍ତ୍ରପାତି ଘର, ଅଫିସ୍‍ ଘର ଇତ୍ୟାଦି ନିର୍ମିତ ହୁଏ । ବଡ଼ ବଡ଼ କାଠ ପୋତି ଘରର କାନ୍ଥ କରାଯାଏ । ପଟା ଦ୍ୱାରା ଘରର ଛାତ ଓ ଚଟାଣ ହୁଏ । ସେ ଦେଶରେ ଶୀତଦିନେ ପ୍ରଚୁର ବରଫ ପଡ଼େ । ତେଣୁ ବରଫ ଦାଉରୁ ରକ୍ଷା ପାଇବା ନିମନ୍ତେ ଛାତ ଉପରେ ଆଲକାତରା ମିଶା କମ୍ୱଳ ଛପର ହୋଇଥାଏ ।

 

ଜଙ୍ଗଲରେ କମାରଶାଳ ରହିବା କି ଦରକାର ଜାଣ ? ଗଛ କାଟିବା ଲାଗି ଯେଉଁ କରତ, କୁରାଢ଼ି ଇତ୍ୟାଦି ପ୍ରୟୋଜନ ପଡ଼େ, ସେଗୁଡ଼ିକୁ ପଜାଇବା ନିହାତି ଆବଶ୍ୟକ । ତାହା ଛଡ଼ା ସ୍ଳେଜଗାଡ଼ି, କାଠଟଣା ଜଞ୍ଜିର, ଟ୍ରାକ୍ଟର ପ୍ରଭୃତିର କୌଣସି ଅଂଶ ଖରାପ ହେଲେ ସେଠାରେ ମରାମତି ହୁଏ ।

 

ଶୀତଋତୁ ଆସି ପହଞ୍ଚିଲେ କାଠ କାଟିବା କାର୍ଯ୍ୟ ଆରମ୍ଭ ହୁଏ । କାରଣ ଏହି ଋତୁରେ କାଠ ବୋହିବା ବଡ଼ ସହଜ । ମାଟି ଉପରେ ବରଫ ଜମି ରହିଥିବା ହେତୁ କାଠଗୁଡ଼ିକୁ ସହଜରେ ଘୋଷାରି ହୁଏ । ଦୁଇ ଜଣ କରତିଆ ଓ ଜଣେ ସର୍ଦ୍ଦାର ଗୋଟିଏ ଗଛ କାଟିବା ଲାଗି ନିଯୁକ୍ତ ହୁଅନ୍ତି-। ବଡ଼ ଗଛକୁ କାଟିବା ପାଇଁ ବହୁ ସମୟ ଦରକାର । ସର୍ଦ୍ଦାର ପ୍ରଥମେ କୁରାଢ଼ିରେ ଗଛର କିଛି ଅଂଶ ହାଣି ଦିଅନ୍ତି । ସେହି ହଣାପଟକୁ ଗଛ ପଡ଼େ । କରତିଆ ଦୁହେଁ କରତର ଦୁଇ ମୁଣ୍ଡରେ ଲାଗିଥିବା ବେଣ୍ଟକୁ ଧରି କରତି ଦିଅନ୍ତି । ଏହି କାର୍ଯ୍ୟ ସିଧା ନ ହୋଇ ତେର୍ଚ୍ଛା ଭାବରେ କରାଯାଏ-

 

ଗଛ କେତେବେଳେ ପଡ଼ିବ, ତାହା ସର୍ଦ୍ଦାର ସର୍ବଦା ଲକ୍ଷ୍ୟ କରୁଥାଏ । ଗଛ ମଡ଼ ମଡ଼ ହେଲେ ସେ ପାଟିକରି କହେ, ‘‘ଗଛ ପଡ଼ିଲା ! ଗଛ ପଡ଼ିଲା ! ଉଠ–ଉଠ ।’’

 

ତାହା ଶୁଣି କଟାଳିମାନେ ସାବଧାନ ହୋଇ ଯାଆନ୍ତି ଏବଂ ଗଛ ଯେଉଁ ଦିଗରେ ପଡ଼ିବ ତାହାର ବିପରୀତ ଦିଗରେ ସେମାନେ ଲୁଚି ରହନ୍ତି । ଏଥିପାଇଁ କରତିଆମାନଙ୍କୁ ଖୁବ୍‍ ସାବଧାନ ହେବାକୁ ପଡ଼େ । ଟିକିଏ ଅସାବଧାନ ହେଲେ ଗଛ ଚାପରେ ସେମାନଙ୍କର ଅକାଳ ମୃତ୍ୟୁ ଘଟେ ।

 

ବଡ଼ ଆଶ୍ଚର୍ଯ୍ୟର କଥା ଯେ, ସେ ଦେଶର କରତିଆମାନେ ଦିନକ ମଧ୍ୟରେ ପ୍ରାୟ ଦୁଇ ଶହ ପର୍ଯ୍ୟନ୍ତ କାଠଗଛ କାଟି ଦିଅନ୍ତି ।

 

କିନ୍ତୁ ଆଜିକାଲି କାଟିବା ଲାଗି କରତିଆ ଦରକାର ପଡ଼ୁନାହାନ୍ତି । ସେମାନଙ୍କର କାର୍ଯ୍ୟ ଏକ ଅଦ୍ଭୁତ କରତ କରି ପାରୁଛି । ଲୋକେ କରତ କଳକୁ ଗଛ ମୂଳକୁ ଘେନି ଆସନ୍ତି । କଳ ଚଳେଇବା କ୍ଷଣି ତାହା ଚର୍‍ ଚର୍‍ ଗଛକୁ କରତି ଦିଏ । କରତ ଚାଲୁଥିବା ବେଳେ ଗଛ ଆଗକୁ ଓ ପଛକୁ ଅଳ୍ପ ଦୋହଲେ । ଶେଷକୁ ଲୋକମାନେ କଳ ବନ୍ଦ କରିଦିଅନ୍ତି ଏବଂ ଠିକଣା ଦିଗରେ ଗଛକୁ ପକାଇ ଦିଅନ୍ତି ।

 

ତାହା ପରେ ଗଛର ଡାଳକୁ କାଟି କେବଳ ଗଣ୍ଡିଟିକୁ ବୋହି ନେବାପାଇଁ ବ୍ୟବସ୍ଥା କରାଯାଏ । କେତେକ ସ୍ଥାନରେ ବୁହାଳିମାନେ ଗଡ଼ଗୁଡ଼ିକୁ ବରଫ ଉପରେ ଘୋଷାରି ଆଣି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇ ଦିଅନ୍ତି; ମାତ୍ର ଆହୁରି କେତେକ ସ୍ଥାନରେ ଟ୍ରାକ୍ଟର ଦ୍ୱାରା କାଠଗଡ଼ଗୁଡ଼ିକ ନଈ କୂଳକୁ ଅଣାଯାଏ । ବରଫ ଉପରେ ଘୋଡ଼ାମାନଙ୍କ ଦ୍ୱାରା କାଠ ଗଣ୍ଡି ସବୁ ବୁହାଯାଏ ।

 

ଏବେ ଯନ୍ତ୍ର ବଳରେ ବହୁ କଠିନ କାର୍ଯ୍ୟ ସମ୍ପାଦିତ ହେଉଅଛି । ଅଳ୍ପ ସମୟ ମଧ୍ୟରେ ହଜାର ହଜାର ମହଣ ଓଜନର କାଠକୁ ଅକ୍ଳେଶରେ ଠିକଣା ମୁଣ୍ଡକୁ ନିଆଯାଇ ପାରୁଛି ।

 

କାଠ ଗଡ଼ଗୁଡ଼ିକ ନଈ କୂଳରେ କିଛି ଦିନ ଜମା ହୋଇ ରହେ । ବସନ୍ତ ଋତୁ ଆସିବା କ୍ଷଣି ବରଫ ତରଳିବାକୁ ଆରମ୍ଭ କରେ ଓ ନଈମାନଙ୍କରେ ଭୀଷଣ ବଢ଼ି ହୁଏ । ଏତିକିବେଳେ ଲୋକେ କାଠଗୁଡ଼ିକୁ କଳ ଦ୍ୱାରା ହେଉ କିମ୍ୱା ଲୋକଙ୍କ ଦ୍ୱାରା ହେଉ ପାଣିକୁ ଖସାଇ ଦିଅନ୍ତି ।

Image

ଅରଣ୍ୟରୁ କାଠ ସଂଗ୍ରହ

 

ଏଥର ନଈ ସୁଅରେ କାଠ ଭେଳା ଭାସିବାକୁ ଆରମ୍ଭ କରେ । ନଈରେ ଯାଉଥିବା ବେଳେ ଦୂରବର୍ତ୍ତୀ ଅଞ୍ଚଳମାନଙ୍କୁ କମ୍ପାନୀର କର୍ମଚାରୀମାନେ ଖବର ପଠାଇ ଦିଅନ୍ତି ।

 

କାଠ ଭେଳା ଉପରେ ଲୋକମାନେ ମଧ୍ୟ ରହନ୍ତି । କାଳେ କେଉଁଠି ଭେଳାରୁ କାଠ ଖସିଯିବ କିମ୍ୱା ବାଟରେ ଭେଳା ଅଟକି ଯିବ, ସେଥିଲାଗି ପ୍ରତ୍ୟେକ ଭେଳାକୁ ବାହି ନେବାକୁ ପଡ଼େ-

 

ଯଥା ସ୍ଥାନରେ ଭେଳା ପହଞ୍ଚିଲେ, ତାହାକୁ ଅଟକାଇ ଦିଅନ୍ତି । କାନାଡ଼ାରେ ଅଧିକାଂଶ କରତ କଳ ପ୍ରାୟ ନଈ କୂଳରେ ଅବସ୍ଥିତ । ନଈଠାରୁ ଦୂରରେ କରତ କଳ ପ୍ରତିଷ୍ଠିତ ହୋଇଥିଲେ, କାଠ ବୋହି ନେବାକୁ ବହୁ ଖର୍ଚ୍ଚ ପଡ଼ନ୍ତା । ତେଣୁ ନଈ କୂଳରେ କରତ କଳ ସବୁ ପ୍ରତିଷ୍ଠିତ ହୋଇଛି ।

 

କାଠଗଡ଼ କରତ କଳ ନିକଟରେ ପହଞ୍ଚିବା ପରେ ବରାଦ ମୁତାବକ ପଟା ପ୍ରସ୍ତୁତ କରାଯାଏ ।

 

ଆଜିକାଲି କାଗଜ ତିଆରି ନିମନ୍ତେ କାଠ ଯଥେଷ୍ଟ ସାହାଯ୍ୟ କରୁଛି । କୋଟି କୋଟି ମହଣ ଓଜନର କାଠ ନିତି କାଗଜ କଳକୁ ଯୋଗାଇ ଦିଆଯାଉଛି । କିନ୍ତୁ ଆମ ଦେଶରେ କାଠ ଅପେକ୍ଷା ବାଉଁଶ କାଗଜ ପାଇଁ ଅଧିକ ବ୍ୟବହୃତ ହେଉଛି ।

Image

 

ଚାହା

 

ଶହ ଶହ ବର୍ଷ ଆଗେ ପୃଥିବୀର ଲୋକେ ଚାହା ଅଧିକ ବ୍ୟବହାର କରୁ ନ ଥିଲେ । ମାତ୍ର ଆଜିକାଲି ପ୍ରାୟ ଅନେକ ଦେଶରେ ଚାହା ପାନୀୟ ଦ୍ରବ୍ୟ ରୂପେ ବ୍ୟବହୃତ ହେଉଛି । ଆଗେ ଇଂଲଣ୍ଡର ଲୋକେ ମଉଜ ମଜଲିସ୍‍ କରିବା ଲାଗି ଚାହା ପିଉଥିଲେ । ଯେଉଁମାନେ ଧନୀ ବିଳାସୀ ସେମାନେ କେବଳ ଚାହା ପିଇବା ଲାଗି ଟଙ୍କା ଖର୍ଚ୍ଚ କରି ପାରୁଥିଲେ ।

 

ଯେତେବେଳେ ଚାହାର ପ୍ରଚଳନ ଅଧିକ ନ ଥିଲା, ସେତେବେଳେ ଇଂଲଣ୍ଡର ଲୋକେ ଅଧ ସେର ଚାହାକୁ ଣହେ ଟଙ୍କା ଦେଇ କିଣୁଥିଲେ । ଚାହା କିପରି ଦୁର୍ମୂଲ୍ୟ ଥିଲା, ଏହି ଉଦାହରଣରୁ ବୋଧହୁଏ ବୁଝି ପାରୁଥିବ ।

 

ଏବେ ଭାରତର ଚାଷୀ ମୂଲିଆଙ୍କଠାରୁ ଆରମ୍ଭ କରି ଧନୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଚାହାକୁ ଆଦର କରୁଛନ୍ତି । ତାହା ଲୋକଙ୍କର ଆଉ ବିଳାସ ସାମଗ୍ରୀ ହୋଇ ରହିନାହିଁ ।

 

ପାଞ୍ଚ ହଜାର ବର୍ଷ ତଳେ

 

ପଣ୍ଡିତମାନେ କହନ୍ତି ଯେ, ପ୍ରାୟ ପାଞ୍ଚ ହଜାର ବର୍ଷ ପୂର୍ବେ ଚୀନ ଦେଶରେ ପ୍ରଥମେ ଚାହା ଚାଷ ହୋଇଥିଲା । ଠିକ୍‍ ସେତିକିବେଳେ ଭାରତରେ ମଧ୍ୟ ଚାହା ଗଛ ଥିଲା ବୋଲି କେତେକ ପଣ୍ଡିତ ବିଶ୍ୱାସ କରନ୍ତି । ତେବେ ସେ ଯାହାହେଉ ଏହି ଦୁଇ ଦେଶ ଯେ ଚାହାର ଜନ୍ମସ୍ଥଳୀ, ଏହା ବୋଧହୁଏ ଭୁଲ୍‍ ନୁହେଁ ।

 

ସେକାଳରେ ପାଶ୍ଚାତ୍ୟ ଦେଶର ଲୋକେ ଚାହା କଥା ଆଦୌ ଜାଣି ନ ଥିଲେ; ମାତ୍ର କ୍ରମେ ସେମାନେ ଚାହାର ମୂଲ୍ୟ ବୁଝି ତାହାକୁ ବ୍ୟବସାୟ ଉଦ୍ଦେଶ୍ୟରେ ଚାଷ କଲେ । ଚୀନ ଦେଶରୁ ଚାହା ମଞ୍ଜି କିପରି ବିଦେଶକୁ ରପ୍ତାନୀ ହେଲା ତାହା ଏବେ ଜଣାଯାଇଛି ।

 

ଇତିହାସରୁ ଜଣାଯାଏ, ବିଦେଶୀ ଲୋକେ ବେପାର କରିବାକୁ ଆସି ଚାହା ବିଷୟରେ ନାନା କଥା ପ୍ରାଚ୍ୟ ଦେଶରୁ ଜାଣିଥିଲେ । କେବଳ ସେତିକି ନୁହେଁ, ଚାହା ଚାଷର ପ୍ରଣାଳୀ ଶିଖିବା ଲାଗି ମଧ୍ୟ ବହୁ ଚେଷ୍ଟା କରିଥିଲେ ।

 

ଚାହା ଗଛ କିପରି ବଞ୍ଚେ ଓ ବଢ଼େ

 

ଚାହା ଉଷ୍ଣ ଓ ଆର୍ଦ୍ର ଜଳବାୟୁରେ ଭଲ ବଢ଼େ । ଯେଉଁଠି ପାହାଡ଼ ଅଛି ଓ ଅଧିକ ବର୍ଷା ହେଉଛି, ସେହି ଅଞ୍ଚଳମାନଙ୍କରେ ଚାହା ଆମଦାନୀ ଖୁବ୍‍ ଅଧିକ । ଚାହା ପ୍ରଚୁର ବର୍ଷା ଲୋଡ଼େ; କିନ୍ତୁ ବର୍ଷା ପାଣି ଗଛ ମୂଳରେ ଜମି ରହିଲେ ତାହା ଗଛକୁ ପଚାଇ ନଷ୍ଟ କରିଦିଏ । ତେଣୁ ପାହାଡ଼ର ଢାଲୁ ଅଞ୍ଚଳରେ ଚାହା ଚାଷ କରାଯାଏ ।

Image

ଚାହା ବଗିଚା

 

ପ୍ରଥମେ ଭୂଇଁକୁ ଉତ୍ତମ ରୂପେ ହଳ କରି ପରେ ମଞ୍ଜି ବୁଣାଯାଏ । ମଞ୍ଜିରୁ ଗଜା ବାହାରିଲେ ତାହା ଧୀରେ ଧୀରେ ବଢ଼େ । ସେହି ଚାରା ଗଛଗୁଡ଼ିକୁ ସୂର୍ଯ୍ୟଙ୍କ କିରଣରୁ ରକ୍ଷା କରିବା ନିମନ୍ତେ ଚାଷୀମାନେ ଛାମୁଣ୍ଡିଆ କରିଥାଆନ୍ତି ।

 

ଚାହା ଗଛ ଫୁଟେ ଉଚ୍ଚ ହେବା ପରେ ତାହାକୁ ଅନ୍ୟତ୍ର ଉଠାଇ ନିଆଯାଏ । ଯେଉଁଠାରେ ଚାହାଗଛ ରୁଆଯାଏ, ସେହି ଭୂଇଁ ପୂର୍ବରୁ ଭଲ ଭାବେ ହଳ ହୋଇ ତହିଁରେ ସିଆର କଟା ଯାଇଥାଏ । ଚାଷୀ ଚାରି କିମ୍ବା ପାଞ୍ଚ ଫୁଟ ଅନ୍ତରରେ ଚାରା ଗଛଗୁଡ଼ିକ ଲଗାଇ ଦିଏ । ତିନି ବର୍ଷ ପରେ ଗଛ ସବୁ ଝଙ୍କାଳିଆ ଦିଶିଲେ ତହିଁରୁ ପତ୍ର ତୋଳାଯାଏ । ବର୍ଷକେ ଚାରିଥର ପତ୍ର ତୋଳିବାକୁ ପଡ଼େ । ଚାହାଗଛ ଯେପରି ଅଧିକ ଉଚ୍ଚ ନ ହେବ, ସେଥି ପ୍ରତି ଚାଷୀ ବିଶେଷ ଦୃଷ୍ଟି ଦିଏ । କାରଣ ଗଛ ଅଧିକ ଉଚ୍ଚ ହେଲେ ତୋଳିବାକୁ ଅସୁବିଧା ହୁଏ । ଗୋଟିଏ ଚାହା ଗଛ ଅନ୍ୟୂନ ୭୦ ବର୍ଷ ବଞ୍ଚେ ।

 

ଆମ ଦେଶର ଆସାମ, ଦାର୍ଜିଲିଂ, ଡେରାଡୁନ ଓ ନୀଳଗିରିରେ ପ୍ରଚୁର ଚାହା ଚାଷ ହୁଏ-। ଭାରତ ବାହାରେ ମଧ୍ୟ ଅନେକ ଚାହା ବଗିଚା ରହିଛି । ଚୀନ, ଜାପାନ, ପୂର୍ବଭାରତୀୟ ଦ୍ୱୀପପୁଞ୍ଜରେ ଅଧିକ ବର୍ଷା ହେଉଥିବାରୁ ଚାହା ପ୍ରଚୁର ପରିମାଣରେ ଉତ୍ପାଦିତ ହୁଏ-। ବାଳକ ବାଳିକାମାନେ ଅଳ୍ପ ମଜୁରି ପାଇ ଚାହା ବଗିଚାରୁ କଅଁଳିଆ ପତ୍ର ତୋଳନ୍ତି । ତୋଳାଳିମାନେ ପିଠିରେ କିମ୍ୱା ମୁଣ୍ଡରେ ଗୋଟିଏ ଲେଖାଏଁ ଟୋକେଇ ବାନ୍ଧି ଚାହା ବଗିଚାକୁ ଯାଆନ୍ତି-। ପତ୍ରଗୁଡ଼ିକ ତୋଳି ସେହି ଟୋକେଇ ଭିତରକୁ ପକାନ୍ତି । କିଏ କେତେ ତୋଳିଲା ହିସାବ ରହେ-। ପରିମାଣ ଅନୁସାରେ ମଜୁରିଆମାନେ ମୂଲ ପାଆନ୍ତି । ଏଥର ସେହି ପତ୍ରକୁ ଅଖାରେ ପୂରାଇ କାରଖାନାକୁ ପଠାଯାଏ ।

 

କାରଖାନାରେ କଅଣ ଦେଖିବାକୁ ମିଳେ ?

 

ଚାହା କାରଖାନାର ଘରଗୁଡ଼ିକ ପ୍ରାୟ ଦୁଇ ମହଲା ବିଶିଷ୍ଟ । ଉପର ମହଲାରେ ଅନେକଗୁଡ଼ିଏ କାଠ କିମ୍ୱା ଲୁହାର ଜାଲି ଥାକ ଥାଏ । ଶ୍ରମିକମାନେ ଯେଉଁସବୁ କଞ୍ଚା ଚାହାପତ୍ର ଛିଣ୍ଡାଇ ଆଣନ୍ତି, ତାହାକୁ ସେମାନେ ସେହି ଡାଲିଆମାନଙ୍କରେ ଅଜାଡ଼ି ଦିଅନ୍ତି । ପରେ ତାହାକୁ ଖେଳାଇ ଦିଆଯାଏ । ପତ୍ରଗୁଡ଼ିକ ଚଞ୍ଚଳ ଶୁଖାଇବା ଲାଗି ଥାକ ତଳେ ବିଜୁଳି ପଙ୍ଖାର ବ୍ୟବସ୍ଥା ଥାଏ । କଳ ଚୁଲିରୁ ଉତ୍ତାପ ଯାଇ ପତ୍ରଗୁଡ଼ିକୁ ଶୁଖାଇବାରେ ସାହାଯ୍ୟ କରେ । ଚାହାପତ୍ର ୧୮ ଘଣ୍ଟା ଶୁଖିବା ପରେ ତାହା ତଳ ମହଲାକୁ ଅଣାଯାଏ ।

 

କଳଦ୍ୱାରା ଚାହାପତ୍ରକୁ ଗୁଣ୍ଡ କରାଯାଏ ଏବଂ ତହିଁରୁ ରସ ନିଗିଡ଼ି ପଡ଼େ । ଏତିକିବେଳେ ଚାହାପତ୍ରର ରଙ୍ଗ ମାଟିଆ ଦିଶେ । କେତେ ଉତ୍ତାପ ଦେଲେ ଚାହାର ପ୍ରକୃତ ରଙ୍ଗ ଓ ସୁଗନ୍ଧ ଆସିବ, ତାହାର କାଇଦା ଦକ୍ଷ କାରିଗରମାନେ ଜାଣିଥାନ୍ତି । ସେହି କାର୍ଯ୍ୟଟିକୁ ଖୁବ୍‍ ଯତ୍ନସହକାରେ କରିବାକୁ ପଡ଼େ । ଗୁଣ୍ଡକୁ ଚଲାଇ ତହିଁରୁ ଭିନ୍ନ ଭିନ୍ନ କିସମର ଚାହା ସଂଗୃହୀତ ହୁଏ ।

 

ଉତ୍କୃଷ୍ଟ ଚାହା ଟିଣମାନଙ୍କରେ ମୁଦ ହୋଇ ରହେ । ତେଣୁ ତାହାର ସୁଗନ୍ଧ ସହଜରେ ନଷ୍ଟ ହୁଏ ନାହିଁ ।

 

ଭାରତରେ ଚାହା

 

ଇଂରେଜମାନେ ପ୍ରଥମେ ଏ ଦେଶକୁ ବାଣିଜ୍ୟ କରିବା ଲାଗି ଆସି, ଆସାମରେ ଚାହା ଗଛ ଅଛି ବୋଲି ଭାରତୀୟଙ୍କଠାରୁ ଶୁଣିବାକୁ ପାଇଲେ । ସେମାନେ ଚାହାକୁ ଲାଭଦୃଷ୍ଟିରୁ ଏକଚାଟିଆ କାରବାର କରିବା ପାଇଁ ମନସ୍ଥ କଲେ ଏବଂ କେତେକ ଚୀନା ମାଳି ଏ ଦେଶକୁ ଅଣାଇଲେ । ସେମାନେ ଚାହା ଗଛର ତତ୍ତ୍ୱ ନେଲେ । ତାହା ଦେଖି ଆହୁରି କେତେକ ଘରୋଇ କମ୍ପାନୀ ସିଂହଳ ଓ ଆସାମରେ ଚାହା ବଗିଚା ଆରମ୍ଭ କଲେ । ଏବେ ଆସାମରେ ପ୍ରାୟ ଏକ ହଜାର ଚାହା ବଗିଚା ଦେଖିବାକୁ ମିଳିବ । ପୃଥିବୀରେ ସବୁଠାରୁ ଅଧିକ ଚାହା ଭାରତରୁ ଆମଦାନୀ ହେଉଛି । ବାର୍ଷିକ ହାରାହାରି କୋଡ଼ିଏ କୋଟି ଟଙ୍କାର ଚାହା ଭାରତରୁ ବିଦେଶକୁ ରପ୍ତାନୀ ହେଉଛି ।

ସିଂହଳ ଓ ଆସାମର ଅଧିକାଂଶ ଚାହା ବଗିଚା ଇଂରେଜମାନଙ୍କ ଦ୍ୱାରା ପ୍ରତିଷ୍ଠିତ । ସେମାନେ ବହୁ ମୂଳଧନ ଖଟାଇ ଶ୍ରମିକମାନଙ୍କ ନିମନ୍ତେ ଘରଦ୍ୱାର ତୋଳାଇଅଛନ୍ତି ।

ଓଡ଼ିଶାର କେତେକ ଲୋକ ଏବେ ସୁଦ୍ଧା ଆସାମରେ କାର୍ଯ୍ୟ କରନ୍ତି । ସାନ୍ତାଳ ଓ ଅନ୍ୟାନ୍ୟ ଜାତିର ଲୋକେ ଏଠାରେ ଅନେକ ଅଛନ୍ତି ।

ଚାହା ଅତି ଲାଭଜନକ ବ୍ୟବସାୟ ହେତୁ ବିଦେଶୀ ବ୍ୟବସାୟୀମାନେ ସିଂହଳ, ଆସାମ ପ୍ରଭୃତି ରାଜ୍ୟରେ ହଜାର ହଜାର ଏକର ଜମି ଦଖଲ କରିଛନ୍ତି । ଅଳ୍ପ କେତେକ ଭାରତୀୟ ଚାହା ବଗିଚାର ମାଲିକ ହେବାର ଦେଖାଗଲାଣି ।

Image

 

ମାଟିପାତ୍ର ଓ ଚୀନାବାସନ

 

ହାଣ୍ଡି, ମାଠିଆ, ସରା ଇତ୍ୟାଦି ମାଟି ପଦାର୍ଥ ସହିତ ମଣିଷ ଜାତି ବହୁ ଦିନରୁ ପରିଚିତ-। ପାତ୍ରଟିଏ ନ ହେଲେ ରୋଷେଇ କରି ଖାଇବା ଅସମ୍ଭବ ।

 

ବହୁଯୁଗରୁ ମଣିଷ ପାତ୍ରକୁ ନିଜ କାର୍ଯ୍ୟରେ ଲଗାଇ ଆସିଛି । କିଏ, କିପରି ମଣିଷକୁ ପାତ୍ରର ଉପକାରିତା ସମ୍ୱନ୍ଧରେ ଶିକ୍ଷା ଦେଲା, ତାହା କହିବା ସମ୍ପୂର୍ଣ୍ଣ କଠିନ । ବୋଧହୁଏ, ମଣିଷ ତାହାର ଅଭିଜ୍ଞତା ବଳରୁ ମାଟିପାତ୍ରର ବ୍ୟବହାର ଶିଖିଛି ।

 

ପୃଥିବୀର ବହୁ ଦେଶ ମାଟିପାତ୍ରର ବ୍ୟବହାର ଅନେକ କାଳରୁ ଜାଣିଥିଲେ ବୋଲି ଯୁକ୍ତି ଦେଖାନ୍ତି । ମାତ୍ର ପଣ୍ଡିତମାନେ କୌଣସି ଏକ ଦେଶର ଲୋକଙ୍କୁ ମାଟିପାତ୍ରର ସ୍ରଷ୍ଟା ବୋଲି ସ୍ୱୀକାର କରନ୍ତି ନାହିଁ । ସେମାନେ ବିଶ୍ୱାସ କରନ୍ତି ଯେ, ଏଇ ମାଟିପାତ୍ରର ବ୍ୟବହାର ଆଦିମ ଯୁଗରୁ ରହିଛି । ମଣିଷ ଯେତେବେଳେ ବଣ ଜଙ୍ଗଲରେ ପଶୁ ଭଳି ଜୀବନ ଯାପନ କରୁଥିଲା, ସେତେବେଳେ ମଧ୍ୟ ସେ ମାଟିକୁ ସ୍ୱକାର୍ଯରେ ଲଗାଇବାକୁ ଉଦ୍ୟମ କରିଛି ।

 

ମାଟିପାତ୍ର ତିଆରି ହେଲା କାହିଁକି ?

 

ମାଟିରୁ ବିଭିନ୍ନ ପାତ୍ର ଗଢ଼ା ଯାଇପାରେ ବୋଲି ମଣିଷ ବହୁଯୁଗରୁ କଳ୍ପନା କରିଛି । ଆଦିମ ମନୁଷ୍ୟମାନେ ବଣ ଜଙ୍ଗଲରେ ବୁଲି ଜୀବଜନ୍ତୁଙ୍କୁ ଶିକାର କରୁଥିଲେ ଏବଂ ସେମାନଙ୍କର ମାଂସ ଖାଉଥିଲେ । ମାତ୍ର ଅବଶିଷ୍ଟ ମାଂସ କିପରି ସାଇତି ରଖିବେ, ତହିଁର ଉପାୟ ମନେମନେ ପାଞ୍ଚିଲେ । ପାତ୍ରଟିଏ ଥିଲେ ସିନା, ତହିଁରେ ଥୋଇ ଦିଅନ୍ତେ; କିନ୍ତୁ ସେହି ପାତ୍ର ତିଆରି କରିବେ କିପରି ?

 

ନିତି ସେମାନେ ଯେଉଁ ବଣ ଜଙ୍ଗଲରେ ମାଟି ଚକଟି ବୁଲନ୍ତି ତାହାରି କଥା କେହି ଜଣେ ବୋଧହୁଏ ଚିନ୍ତା କଲା । ସେ ଦେଖିଲା, ମାଟିରେ ପାଣି ପଡ଼ିବାରୁ ତହିଁରୁ ଅଠାଳିଆ ଅଂଶ ବାହାରୁଛି ଏବଂ ସେହି ଚକଟା ମାଟି ଖରାରେ ଶୁଖିଯିବା ପରେ ଖୁବ୍‍ ଟାଣ ହୋଇ ଯାଉଛି । ତାହା ଖୁବ୍‍ ସମ୍ଭବ, ମଣିଷ ମନକୁ ପ୍ରଥମେ ନୂତନ କଳ୍ପନା ଆଣି ଦେଲା । ସେ ସାଙ୍ଗେ ସାଙ୍ଗେ ହାତରେ ମେଞ୍ଚାଏ ଓଦା ମାଟି ଧରି ତହିଁରେ ଖେଳିବାକୁ ଆରମ୍ଭ କଲା । ଖେଳ ଚାଲିଥାଏ । ସେହି ଖେଳରୁ ଦୈବାତ୍‍ ସୃଷ୍ଟି ହେଲା ଗୋଟିଏ ବଙ୍କା ଢଙ୍କା ମାଟିର ପାତ୍ର । ସେହି ପାତ୍ରଟି ଖରାରେ ଶୁଖିଯିବାରୁ ତାହା ଟାଣ ହୋଇଗଲା । ଏଥର ସେମାନେ ତାହାକୁ ନିଜ କାମରେ ବ୍ୟବହାର କରିବାକୁ ଚେଷ୍ଟା କଲେ ।

 

ନିଆଁର ବ୍ୟବହାର ଶିଖିବା ଦିନଠାରୁ ମଣିଷ ଆଉ ସୂର୍ଯ୍ୟଙ୍କ କିରଣ ଉପରେ ନିର୍ଭର କରି ରହିଲା ନାହିଁ । କାରଣ ସବୁ ସମୟରେ ତ ପାଗ ଭଲ ନ ଥାଏ । ବର୍ଷା ଦିନେ ସେମାନେ ଯେଉଁ ମାଟିପାତ୍ର ସବୁ ତିଆରି କଲେ, ତାହା ଆଉ ଶୁଖିଲା ନାହିଁ । ତେଣୁ ନିଆଁରେ ପୋଡ଼ିବା ନିହାତି ଦରକାର ପଡ଼ିଲା ।

 

ସେ କାଳରେ କଞ୍ଚାମାଟିକୁ ନିଆଁରେ ପୋଡ଼ି ତାକୁ କାର୍ଯ୍ୟରେ ଲଗାଇବା ଆଦିମ ମନୁଷ୍ୟ ପକ୍ଷରେ ଅବଶ୍ୟ ଗୌରବର କଥା । ସେହି କାର୍ଯ୍ୟରେ ପ୍ରଶଂସିତ ହେବା ଲାଗି ନାନା ଜାତିର ଲୋକେ ଉଦ୍ୟମ କରିଛନ୍ତି । ମାଟିପାତ୍ର ନିର୍ମାଣ କରିବାରେ କୌଣସି ବାହାଦୁରି ବ୍ୟକ୍ତି ବିଶେଷଙ୍କର ନୁହେଁ–ସମଗ୍ର ମନୁଷ୍ୟ ସମାଜର । ଏହି କୌଶଳ ପ୍ରତ୍ୟେକ ଜାତିର ଲୋକଙ୍କୁ ଊଣା ଅଧିକେ ଜଣାଥିଲା ।

 

କୁମ୍ଭାର ଚକକୁ ଗଢ଼ିଲା କିଏ ?

 

ଆମ ଦେଶର କୁମ୍ଭାରମାନେ ସୁନ୍ଦର ସୁନ୍ଦର ହାଣ୍ଡି, ମାଠିଆ ଇତ୍ୟାଦି ହାତରେ ଗଢ଼ୁଛନ୍ତି-। ଏହା ଗୋଟିଏ ହସ୍ତଶିଳ୍ପ । ହାତରେ ହାଣ୍ଡି, ମାଠିଆ ଇତ୍ୟାଦି ଗଢ଼ାଯାଏ ସତ, କିନ୍ତୁ ଗୋଟିଏ ଚକ ଗଢ଼ିବା କାର୍ଯ୍ୟରେ ବିଶେଷ ସାହାଯ୍ୟ କରେ । କୁମ୍ଭାର କିପରି କଞ୍ଚା ମାଟି ପିଣ୍ଡୁଳାକୁ ଚକ ଉପରେ ରଖି ତାହାକୁ ଘୂରାଏ, ତାହା ସମସ୍ତେ ଦେଖିଥିବେ । ମାତ୍ର ସେହି ଚକଟିକୁ କେଉଁ ଦେଶର ଲୋକେ ଆଗେ ଉଦ୍ଭାବନ କଲେ ତାହା ଜାଣିଅଛ କି ?

 

ଗ୍ରୀସ୍‍ ନାମକ ଏକ ଦେଶ ଅଛି । ସେହି ଦେଶର ଅଧିବାସୀଙ୍କୁ ଗ୍ରୀକ୍‍ କୁହାଯାଏ । ଗ୍ରୀକ୍‍ମାନେ କୁମ୍ଭାର ଚକକୁ ପ୍ରଥମେ ରୂପ ଦେଇଥିଲେ ବୋଲି ଦାବି କରନ୍ତି । କିନ୍ତୁ ମିଶର ଦେଶର ଲୋକେ ତାହା ଆଦୌ ସ୍ୱୀକାର କରନ୍ତି ନାହିଁ । ମିଶରର ସଭ୍ୟତା ଅତି ପ୍ରାଚୀନ । ଏହା ପଣ୍ଡିତମାନେ ବହୁବାର ପ୍ରମାଣିତ କରିଛନ୍ତି । ସେମାନଙ୍କ ମତରେ ମିଶରୀୟମାନେ ହିଁ ମାଟିପାତ୍ର ଗଢ଼ିବା ନିମନ୍ତେ ଗୋଟିଏ ଚକର କଳ୍ପନା ପ୍ରଥମେ କରିଥିଲେ । ସେହି ଚକ ସମ୍ୱନ୍ଧରେ ନାନା କିମ୍ୱଦନ୍ତୀ ରହିଛି ।

 

ଚକଟି ଭଗବାନଙ୍କର ଦାନ ବୋଲି କେହି କେହି କହନ୍ତି । ତେବେ ସେ ଯାହାହେଉ, ଅଭାବ ହିଁ ମଣିଷକୁ ନୂଆ କଥା ଶିଖାଇଛି । ପ୍ରଥମ ଉଦ୍ୟମରେ ସେମାନେ ଥରେ କାହିଁକି ବାରମ୍ୱାର ହତୋତ୍ସାହ ହୋଇଥିବେ । କିନ୍ତୁ ଶେଷରେ ସେମାନେ ବିଜୟୀ ହୋଇଛନ୍ତି ।

 

ମାଟି ତଳୁ ମାଟିପାତ୍ର ଆବିଷ୍କାର

 

ଭାରତୀୟ ଲୋକେ ମାଟିରେ ସୁନ୍ଦର ସୁନ୍ଦର ପାତ୍ର ନିର୍ମାଣ କରିବାର କୌଶଳ ବହୁକାଳରୁ ଜାଣିଥିଲେ । ସେହି କଥାର ସତ୍ୟାସତ୍ୟ ଏବେ ସ୍ପଷ୍ଟ ପ୍ରମାଣିତ ହୋଇଛି ।

Image

ମହେଞ୍ଜୋଦାରୋ ଆଧୁନିକ ସିନ୍ଧୁ ପ୍ରଦେଶରେ ଅବସ୍ଥିତ । ସିନ୍ଧୁନଦୀର ମୁହାଣଠାରୁ ପ୍ରାୟ ଦୁଇ ଶହ ମାଇଲ ଦୂରରେ ଏହି ଐତିହାସିକ ସ୍ଥାନଟି ରହିଛି । ହରପ୍‍ପା ମଧ୍ୟ ଆହୁରି ଗୋଟିଏ ପୁରୁଣା ସହର । କିନ୍ତୁ ଦୁଃଖର କଥା ଯେ, ସେହି ଦୁଇଟି ସହର ମାଟିରେ ଯୁଗ ଯୁଗ ହେଲା ପୋତି ହୋଇ ରହିଥିଲା । ଏବେ ତାହା ଖୋଳାଯାଇଛି ଏବଂ ପଣ୍ଡିତମାନେ ବହୁ ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ମାଟି ତଳୁ କେତେଗୁଡ଼ିଏ ଚିତ୍ରିତ ମାଟିପାତ୍ର, ସିଲ୍‍ ଇତ୍ୟାଦି ମିଳୁଛି । ତାହା ଦେଖିଲେ ସ୍ପଷ୍ଟ ଜଣାଯାଏ ଯେ, ହଜାର ହଜାର ବର୍ଷ ଆଗେ ଭାରତୀୟମାନେ ବଡ଼ ସଭ୍ୟ ଥିଲେ । ସେମାନଙ୍କର ଘରକରଣା ଜିନିଷଗୁଡ଼ିକ ଅତି ସୁନ୍ଦର ଓ ମଜବୁତ୍‍ ଥିଲା ।

 

ପ୍ରାଚୀନ ମିଶରୀୟମାନେ ମାଟିରେ ବହୁ ସୁନ୍ଦର ପାତ୍ର ନିର୍ମାଣ କରୁଥିଲେ । ତହିଁରୁ କେତୋଟି ଏବେ ଆବିଷ୍କୃତ ହୋଇଛି । ତାହା ଦେଖିଲେ ସେ କାଳର ଲୋକଙ୍କୁ ଧନ୍ୟବାଦ ନ ଦେଇ ରହିହେବ ନାହିଁ ।

 

ଚୀନାବାସନ କଥା–

 

ଚୀନ ଦେଶର ଲୋକେ ଆଗେ ମାଟିର ବାସନ ନିର୍ମାଣ କରୁଥିଲେ ବୋଲି ଦୃଢ଼ କଣ୍ଠରେ ଦାବି କରନ୍ତି । ଆଜିକାଲି ଚାହା କପ୍‍, ପ୍ଲେଟ୍‍ ଇତ୍ୟାଦିକୁ ଚୀନ ଦେଶର ବାସନ ବୋଲି କୁହାଯାଏ । କିନ୍ତୁ ଏ କଥାରେ ମିଶର ଦେଶବାସୀ ଆଦୌ ଏକମତ ନୁହନ୍ତି । ସେମାନେ ତିନି ହଜାର ବର୍ଷ ଆଗେ ଯେଉଁସବୁ ମାଟିର ପାତ୍ର ବ୍ୟବହାର କରୁଥିଲେ, ତାହା ସାଧାରଣ ମାଟିପାତ୍ରଠାରୁ ସମ୍ପୂର୍ଣ୍ଣ ପୃଥକ୍‍ । ଚୀନାମାନେ ଯେଉଁ ପାତ୍ର ନିର୍ମାଣ କରୁଥିଲେ, ତାହା ପ୍ରସ୍ତୁତ ହେବାର ମୋଟେ ଦୁଇ ହଜାର ବର୍ଷ ହୋଇଛି । କିନ୍ତୁ ସେମାନଙ୍କର ବହୁ ପୂର୍ବରୁ ମିଶରୀୟମାନେ ତାହାର ନିର୍ମାଣ କୌଶଳ ପୂରାପୂରି ଜାଣିଥିଲେ ।

 

ଇଉରୋପୀୟମାନେ ଅନେକ ବର୍ଷ ପରେ ଚୀନାବାସନ ତିଆରି କରିବାକୁ ଶିକ୍ଷା କଲେ-। ଆଗେ ଇଟାଲୀ, ମଧ୍ୟ ଇଉରୋପ ଓ ଇଂଲଣ୍ଡର ଲୋକେ ବାସନଶିଳ୍ପର ବହୁ ଉନ୍ନତି କରିଥିଲେ-

 

ଆମ ଭାରତରେ ଚୀନା ବାସନ ତିଆରି ହେବାର ମୋଟେ ପଚାଶ ବର୍ଷ ହୋଇଛି । ଥାନ୍‍ ନାମକ ସ୍ଥାନରେ ପ୍ରଥମେ ଗୋଟିଏ କାରଖାନା ପ୍ରତିଷ୍ଠିତ ହୋଇଥିଲା । ତାହା ପରେ ଗୋଆଲିୟର ଓ ବମ୍ୱେଠାରେ ଆହୁରି କେତୋଟି କାରଖାନା ଖୋଲିଲା । ଏବେ ହଜାର ହଜାର ସଂଖ୍ୟାରେ ଚୀନାବାସନ ତିଆରି ହେଉଛି । ତାହା ଯେପରି ସୁନ୍ଦର, ସେହିପରି ଚିକ୍‍କଣ ଓ ପରିଷ୍କାର । ପ୍ରତ୍ୟେକ ଲୋକର ଘରେ ପ୍ରାୟ ଚୀନା ବାସନ ଥିବ । ଏହି ଶିଳ୍ପ ନିମନ୍ତେ ଯେଉଁ ମାଟି ପ୍ରୟୋଜନ, ତାହା ଭାରତର କେତେକ ସ୍ଥାନରେ ରହିଛି । ପ୍ରଥମେ ମାଟିକୁ ଆଣି କଳ ସାହାଯ୍ୟରେ ଗୁଣ୍ଡ କରାଯାଏ ଏବଂ ସେହି ଗୁଣ୍ଡକୁ ପାଣିଦେଇ ଚକଟାଯାଏ । ସେଥିରୁ ଯେଉଁ ବାସନ ପ୍ରସ୍ତୁତ ହୁଏ, ତାହା ଅଳ୍ପ ଶୁଖିଗଲେ ଭାଟିରେ ପୋଡ଼ାଯାଏ ।

 

ପ୍ରଥମେ ଭାଟିକୁ ଅଳ୍ପ ଅଳ୍ପ ଉତ୍ତାପ ଦିଆଯାଏ । କାରଣ ବହୁତ ଉତ୍ତାପ ପାଇଲେ କଞ୍ଚା ପାତ୍ରଗୁଡ଼ିକ ହଠାତ୍‍ ଫାଟି ଯିବାର ସମ୍ଭାବନା ଥାଏ । ତେଣୁ ଧୀର ଉତ୍ତାପ ହିଁ ପାତ୍ରଗୁଡ଼ିକୁ ଶୁଖାଇ ଟାଣ କରାଏ ।

 

କେଉଁ ମାଟି ଚୀନା ବାସନ ପାଇଁ ଉପଯୁକ୍ତ ତାହା କେବଳ ଦକ୍ଷ କାରିଗରମାନେ ପରୀକ୍ଷା ଦ୍ୱାରା ଜାଣନ୍ତି । ଭଲ ମାଟି ନ ହେଲେ ଚୀନା ବାସନ ଅଯଥା ଭାଟି ମଧ୍ୟରେ ଫାଟି ନଷ୍ଟ ହୋଇଯାଏ । ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ହୁଏ । ଭାରତୀୟ ଶିଳ୍ପ ବ୍ୟବସାୟୀମାନେ ଉକ୍ତ ବ୍ୟବସାୟରେ ଉନ୍ନତି କରୁଥିବାର ଦେଖାଯାଉଛି ଏବଂ ଆଶା କରାଯାଉଛି ଯେ, ସେମାନଙ୍କ ଦ୍ୱାରା ଭବିଷ୍ୟତରେ ଦେଶର ଉନ୍ନତି ହେବ ।

Image